Advertisment

ମଞ୍ଚେଶ୍ବରରୁ ବମିଖାଲ୍‌...ସବୁଠି ବେହାଲ୍‌: ରାସ୍ତାସାରା ଖାଲଢିପ, ଲହଡ଼ି ଭାଙ୍ଗୁଛି ପାଣି

Advertisment
ମଞ୍ଚେଶ୍ବରରୁ ବମିଖାଲ୍‌...ସବୁଠି ବେହାଲ୍‌: ରାସ୍ତାସାରା ଖାଲଢିପ, ଲହଡ଼ି ଭାଙ୍ଗୁଛି ପାଣି

ଭୁବନେଶ୍ବର: ରାଜଧାନୀକୁ ସରସ ସୁନ୍ଦର କରି ଗଢ଼ି ତୋଳାଯିବ। ରାସ୍ତ‌ାଘାଟ ସବୁ ଚକାଚକ୍‌ ହେବ। ସବୁଠି ତୁରନ୍ତ ଜଳ ନିଷ୍କାସନ ପାଇଁ ନିର୍ମାଣ ହେବ ଡ୍ରେନ୍। ଏମିତି କେତେ ସୁନେଲି ସ୍ବପ୍ନ ଦେଖାଇଥିଲା ବିଏମ୍‌ସି ଓ ପୂର୍ତ୍ତ ବିଭାଗ। ହେଲେ ୪ ମାସର ବର୍ଷାଋତୁ ପ‌ରେ ରାଜଧାନୀର ଅଧିକାଂଶ ରାସ୍ତାଘାଟ ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। କେଉଁଠି ରାସ୍ତାରୁ ପିଚୁ ଉଠିଯାଇଛି ତ କେଉଁଠି କଙ୍କ୍ରିଟ୍‌ ଭାଙ୍ଗି ନଷ୍ଟ ହୋଇ ରଡ୍‌ ବାହାରକୁ ବାହାରିଛି। କେତେକ ସ୍ଥାନରେ ୨/୩ ଫୁଟ୍‌ର ଖାଲ ହୋଇଛି ତ କେଉଁଠି ପାଣି ଜମି ପୋଖରୀ ଭଳି ଭ୍ରମ ସୃଷ୍ଟି ହେଉଛି। ରାସ୍ତାସାରା ଗେଟି, ପଥର ମୁଣ୍ଡ ଟେକିଛି। ରାଜଧାନୀର ରସୁଲଗଡ଼ ଛକରୁ ଆରମ୍ଭ କରି ମଞ୍ଚେଶ୍ବର ଶିଳ୍ପାଞ୍ଚଳ, ଭିଏସ୍‌ଏସ୍‌ନଗର, ଚକେଇସିଆଣି, ଜିଜିପି କଲୋନି, ପାଣ୍ଡରା, ଜଗନ୍ନାଥ ନଗର, ବମିଖାଲ୍‌, ରସୁଲଗଡ଼ ଶିଳ୍ପାଞ୍ଚଳ, କୋଚିଲାଖାଇ ହାଟ ରାସ୍ତାଗୁଡ଼ିକର ବାସ୍ତବ ସ୍ଥିତି ଏବେ ଏମିତି ହୋଇଛି। ଖାଲି ଏତିକି ନୁହେଁ; ଲକ୍ଷ୍ମୀସାଗର ଏବଂ ଭିତର ଅଞ୍ଚଳର ରାସ୍ତାଗୁଡ଼ିକ ଅବସ୍ଥା ସଂଗିନ ହୋଇ ପଡ଼ିଛି। ରାଜଧାନୀ ପ୍ରମୁଖ ଅଞ୍ଚଳରେ ଏଭଳି ମରଣଯନ୍ତା ପାଲଟିଥିବା ରାସ୍ତାଘାଟ ସମସ୍ତଙ୍କୁ ଯେତିକି ଚକିତ କରିଛି ସେତିକି ବିସ୍ମୟ ସୃଷ୍ଟି କରିଛି। ଏଥିରୁ ଅନେକ ରାସ୍ତାରେ ବର୍ଷ ବର୍ଷ ହେବ ମାଟି ମୁଠାଏ ବି ପଡ଼ିନି। ଶେଷଥର ପାଇଁ କେବେ ରାସ୍ତା ମରାମତି ହୋଇଥିଲା, ତାହା ବି ପ୍ରଶାସନ ଭୁଲି ଗଲାଣି।

ଏହି ରାସ୍ତାରେ ଉପରେ ନିର୍ଭର କରୁଥିବା ଥିବା ଲକ୍ଷଲକ୍ଷ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ। ରାସ୍ତାର ଶୋଚନୀୟ ସ୍ଥିତି ଯୋଗୁଁ ଲୋକ ଅଫିସ ଯିବାଠାରୁ ଆରମ୍ଭ କରି ପିଲାଙ୍କୁ ସ୍କୁଲରେ ଛାଡ଼ିବା ପର୍ଯ୍ୟନ୍ତ ଲୋକ ନାକେଦମ୍ ହୋଇଗଲେଣି। କେଉଁଠି ରାସ୍ତା ଜାମ୍ ଯୋଗୁଁ ଘଣ୍ଟା ଘଣ୍ଟା ଧରି ଲୋକ ଲମ୍ବା ଲାଇନ୍‌ରେ ଛିଡ଼ା ହେଉଛନ୍ତି ତ ଆଉ କେଉଁଠି ଖାଲରେ ପଡ଼ି ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏମିତିକି ଅନେକ ସମୟରେ ଆମ୍ବୁଲାନ୍ସ ବି ଜାମ୍‌ରେ ଫସିଥିବା ନଜିର ରହିଛି। ଏସବୁ ରାସ୍ତାର ସ୍ଥିତି କେବେ ସୁଧୁରିବ, ତାହା ଏବେ ବଡ଼ ପ୍ରଶ୍ନବାଚୀ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe