ବମିଖାଲ ରାସ୍ତାରେ ବଡ଼ ବଡ଼ ଖାଲ : ମୃତ୍ୟୁ ସହ ମୁହାଁମୁହିଁ

ବମିଖାଲ ରାସ୍ତାରେ ବଡ଼ ବଡ଼ ଖାଲ : ମୃତ୍ୟୁ ସହ ମୁହାଁମୁହିଁ

ଭୁବନେଶ୍ୱର: ବମିଖାଲରୁ ସହିଦନଗରକୁ ନିର୍ମାଣ ହେଉଥିବା ରେଳ ଓଭରବ୍ରିଜ୍‌ ପାଇଁ ଏବେ ବମିଖାଲ ଅଞ୍ଚଳରେ କଟକରୋଡ୍‌ ମରଣଯନ୍ତା ପାଲଟିଛି। ନିକଟ ଅତୀତରେ ନିର୍ମଣାଧୀନ ବ୍ରିଜ୍‌ରୁ ସ୍ଲାବ୍‌ ଖସି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ପରେ ବି ପୂର୍ତ୍ତ ବିଭାଗ ଚେତିନି। ଏବେ ଏହି ରାସ୍ତାରେ ବଡ଼ବଡ଼ ଖାଲ ସୃଷ୍ଟି ହୋଇଥିବାବେଳେ ଦୈନିକ ହଜାର ହଜାର ଲୋକ ନିଜ ଜୀବନକୁ ବାଜି ଲଗାଇ ଏହି ରାସ୍ତାରେ ଯାତାୟତ କରୁଛନ୍ତି। ସ୍ଥିତି ଏପରି ହୋଇଛି ଯେ, ଏହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକ ପ୍ରତି ମୁହୂର୍ତ୍ତରେ ମୃତ୍ୟୁକୁ ସାମ୍ନା କରି ଯାଉଛନ୍ତି। କଟକ ରୋଡ୍‌ର ଏହି ସମ୍ବେଦନଶୀଳ ଅଞ୍ଚଳ ନେଇ ପୂର୍ତ୍ତ ବିଭାଗ ଅବଗତ ଥିଲେ ହେଁ ଲୋକଙ୍କୁ ମାରିବାକୁ ଛାଡ଼ି ଦେଇଛି। ବମିଖାଲ ଛକରୁ ରସୁଲଗଡ଼ ମଧ୍ୟରେ ଥିବା ଷ୍ଟେଟ ବ୍ୟାଙ୍କ୍‌ ଏଟିଏମ୍‌ ସମ୍ମୁଖରେ ରାସ୍ତାର ୨୦ମିଟର ମଧ୍ୟରେ ପ୍ରାୟ ୨୦ରୁ ଅଧିକ ଗାତ ସୃଷ୍ଟି ହୋଇଛି। ଏହି ୨୦ମିଟର ଲମ୍ବର ଏହି ବିପଦପୂର୍ଣ୍ଣ ରାସ୍ତାକୁ ଅତିକ୍ରମ କରିବାକୁ ୧୦ମିନିଟରୁ ଅଧିକ ସମୟ ଲାଗୁଛି। ଗାଡ଼ିରେ ଯିବା ସମୟରେ ଯଦି ଟିକେ ବି ସନ୍ତୁଳନ ଏପଟସେପଟ ହୋଇଯିବ ତେବେ ଗାଡ଼ି ସହ ତଳେ ପଡ଼ିବା ଥୟ।

ଆଉ ପଛରେ ଆସୁଥିବା ଗାଡ଼ିର ସନ୍ତୁଳନ ଯଦି ନ ରହିଲା ତେବେ ଗାଡ଼ି ତଳେ ଚାପି ହୋଇ ପ୍ରାଣ ଚାଲିଯିବାର ଆଶଙ୍କା ରହିଛି। ଏହିଭଳି ଶୋଚନୀୟ ସ୍ଥିତିରେ ରାସ୍ତାଟି ତିନି ସପ୍ତାହ ହେଲା ଥିବାବେଳେ ପ୍ରତ୍ୟେକ ଦିନ ୫୦ରୁ ଅଧିକ ଦୁର୍ଘଟଣା ଘଟୁଛି। ପ୍ରତ୍ୟେକ ଦିନ ଖଣ୍ଡିଆଖାବରା ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଆଜି ଏହି ରାସ୍ତାରେ ଯାଉଥିବା ଜଣେ ମହିଳା ଦୁର୍ଘଟଣାର ଶିକାର ହେବା ପରେ ହଠାତ୍‌ ରାସ୍ତା ଉପରେ ଧାରଣା ଦେବା ଆରମ୍ଭ କରିଦେଇଥିଲେ। ରାସ୍ତା ମରାମତି ନ ହେବା ପର୍ଯ୍ୟନ୍ତ ସେ ଧାରଣା ଜାରି ରଖିବେ ବୋଲି ଜିଦ୍‌ ଧରିଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳର ଲୋକେ ତାଙ୍କୁ ସମର୍ଥନ ଜଣାଇ ଧାରଣାରେ ସାମିଲ୍‌ ହୋଇଥିଲେ। ଏପରିକି ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି ରାସ୍ତାକୁ ବନ୍ଦ କରିଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ସହ ଖୁବ୍‌ ଶୀଘ୍ର ରାସ୍ତା ମରାମତି ନେଇ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଉପରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଆଜି ଲୋକେ ଏହି ଧାରଣା ଦେବା ପରେ ଲୋକଙ୍କ ଅସନ୍ତୋଷକୁ ଆଖିରେ ରଖି କମିସନରେଟ୍‌ ପୁଲିସ ପକ୍ଷରୁ ସେହି ରାସ୍ତାରେ ଗୋଟିଏ ଟ୍ରାକ୍ଟରରେ ଯାଉଥିବା ଭଙ୍ଗାଇଟା/କଂକ୍ରିଟ ଆଦି ନେଇ ଯାଉଥିବା ସାମଗ୍ରୀକୁ ଜବରଦସ୍ତି ଏଠାରେ ପକାଇଥିଲା।

publive-image

ସବୁଠୁ ବିଡ଼ମ୍ବନାର ବିଷୟ ଏହି ରାସ୍ତାର ଶୋଚନୀୟ ଅବସ୍ଥା ନେଇ ପୂର୍ତ୍ତ ବିଭାଗର ଭୁବନେଶ୍ୱର ଡିଭିଜନ-୪ର ନିର୍ବାହୀ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଏହି ଅଞ୍ଚଳର ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ସମସ୍ତେ ଅବଗତ ଅଛନ୍ତି। କିନ୍ତୁ ଅପେକ୍ଷା କରିଛନ୍ତି କେଉଁ ଦିନ ଲୋକ ଦୁର୍ଘଟଣାରେ ମରିବେ। ଆଉ ତା’ପରେ ରାସ୍ତା କାମ ଆରମ୍ଭ କରିବେ। ଏହି ରାସ୍ତାର ଶୋଚନୀୟ ସ୍ଥିତି ନେଇ ସମ୍ବାଦ ପକ୍ଷରୁ ପୂର୍ତ୍ତ ବିଭାଗ ଭୁବନେଶ୍ୱର ଡିଭିଜନ ୪ର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକଙ୍କୁ ଜଣାଇବାରୁ ସେ ଅତ୍ୟନ୍ତ ବେପରୁଆ ଭାବେ କହିଥିଲେ ଯେ, ମୁଁ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପଠାଇ ରାସ୍ତା କ’ଣ ହୋଇଛି ଦେଖିବି। କିନ୍ତୁ ତିନି ଦିନ ପରେ ବି ରାସ୍ତା ମରାମତି ନେଇ କିଛି ବି ପଦକ୍ଷେପ ନିଆଗଲାନି। ଦୁଇ ମାସ ହେଲା ଏହି ଗୁରୁତ୍ୱପୂର୍ଣ୍ଣ ଡିଭିଜନରେ ଯୋଗ ଦେଇଥିବା ନିର୍ବାହୀ ଯନ୍ତ୍ରୀ ଏହି ସମସ୍ୟା ସମାଧାନ କରିପାରୁନଥିବାବେଳେ ରେଳ ଓଭରବ୍ରିଜ୍‌ ଜନିତ ସମ୍ୟା କିପରି ସମାଧାନ କରିବେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି।

ଏହାଠାରୁ ଅଧିକ ବିଡ଼ମ୍ବନାର ବିଷୟ ସ୍ଥାନୀୟ କର୍ପୋରେଟର ନିକଟରେ ଥିବା ଦଳୀୟ କାର୍ଯ୍ୟାଳୟରେ ପ୍ରତ୍ୟେକ ଦିନ ବସୁଥିବାବେଳେ ଥରଟିଏ ବି ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ଜଣାଇନାହାନ୍ତି। ଏହି ରାସ୍ତାରେ ବାରମ୍ବାର ଆଣ୍ଠୁଏ ଉଚ୍ଚରେ ଖାଲ ସୃଷ୍ଟି ହେଉଥିଲେ ହେଁ କର୍ପୋରେଟର ଏହାର ସ୍ଥାୟୀ ସମାଧାନ ପାଇଁ ପାଟି ଫିଟାଉନାହାନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ତେବେ ସର୍ବଶେଷ ସୂଚନା ଅନୁଯାୟୀ ମଧ୍ୟରାତ୍ରିରେ ପୂର୍ତ ବିଭାଗ ପକ୍ଷରୁ ଏହି ଖାଲ ମରାମତି ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe