ଚନ୍ଦ୍ରଶେଖରପୁର : କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଠୋର ନିଷ୍ପତ୍ତି ନେଇଛନ୍ତି। ଘରୁ ବାହାରିବା କ୍ଷଣି ମୁହଁକୁ ମାସ୍କରେ ଘୋଡ଼ାଇବାକୁ କୁହାଯାଇଛି। ଯଦି କେହି ନିୟମ ନ ମାନନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି କଟକଣା ପରେ ଲୋକେ ମାସ୍କ ପାଇବାକୁ ଏଣେତେଣେ ଦୌଡୁଛନ୍ତି। କିଏ ଔଷଧ ଦୋକାନକୁ ଯାଉଛନ୍ତି ତ ଆଉ କିଏ ବିଭିନ୍ନ ଦୋକାନରେ ଖୋଜୁଛନ୍ତି। ତେବେ ଏହାର ସୁଯୋଗ ନେଇ କେତେକ ବ୍ୟବସାୟୀ ମାସ୍କ ଦାମ ବଢ଼ାଇ ଦେଇଛନ୍ତି। ୧୦ ଟଙ୍କିଆ ମାସ୍କକୁ ୩୦ ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଯାହାକି ବସ୍ତିବାସିନ୍ଦଙ୍କ ପକ୍ଷେ କିଣିବା ମୁସ୍କିଲ। ଏଭଳି ସମୟରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବସ୍ତିବାସିନ୍ଦଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡର ବନ୍ଦନା ମିଶ୍ର।
ନିଜ ଉଦ୍ୟମରେ ପ୍ରତିଦିନ ମାସ୍କ ପ୍ରସ୍ତୁତ କରି ସେ ବସ୍ତିବାସିନ୍ଦାଙ୍କୁ ବଣ୍ଟନ କରୁଛନ୍ତି। ଗତ ୪ ଦିନ ହେଲା ନିଜ ଘରେ ଥିବା ନୂଆ କଟନ କପଡାକୁ ସିଲାଇ କରି ପାଖାପାଖି ୩୦୦ ମାସ୍କ ପ୍ରସ୍ତୁତ କରି ଲୋକଙ୍କୁ ବାଣ୍ଟିଛନ୍ତି। ଏବେ ଆହୁରି ୭୦୦ ମାସ୍କ ପ୍ରସ୍ତୁତି କାମରେ ଲାଗି ପଡିଛନ୍ତି। ଦିନରାତି ଏକ କରି ନିଜ ପାଖରେ ଥିବା ସିଲେଇ ମେସିନ ସାହାଯ୍ୟରେ ମାସ୍କ ପ୍ରସ୍ତୁତ କରୁଛନ୍ତି। ଖାଲି ସମୟ ପାଇଲେ ଏହି କାମରେ ଲାଗିପଡୁଛନ୍ତି। ପ୍ରତିଦିନ ସେ ୫୦ରୁ ୭୦ଟି ମାସ୍କ ତିଆରି କରୁଛନ୍ତି।
ବନ୍ଦନାଙ୍କ କହିବାନୁଯାୟୀ ଏଭଳି ଏକ ସମୟରେ ଗରିବ ଲୋକଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଛି। କାରଣ ମାସ୍କ କିଣିବା ପାଇଁ ଏବେ ସେମାନଙ୍କ ପାଖରେ ଅର୍ଥର ଅଭାବ ରହିଛି। ବିଶେଷକରି ଦିନ ମଜୁରିଆ ଦିନକୁ ଯେତିକି ରୋଜଗାର କରନ୍ତି ସେଥିରେ ପରିବାର ଚଳେ। ଏବେ ଯେଉଁଭଳି ସ୍ଥିତି ସେଥିରେ ବସ୍ତିରେ ରହୁଥିବା ଲୋକେ ଖାଇବାକୁ ଦୁଇ ଓଳି ପାଇବା କଷ୍ଟକର। ମାସ୍କ କିଣି ପିନ୍ଧିବେ କଣ। ତେଣୁ ସେମାନଙ୍କୁ ସହଯୋଗର ହାତ ବଢାଇଛି। ଛୋଟ ସାହାଯ୍ୟ ଭାବେ ମାସ୍କ ପ୍ରସ୍ତୁତ କରି ବାଣ୍ଟୁଛି। ପାଖ ପଡିଶା ଲୋକ ବି ମୋତେ ସହଯୋଗ କରୁଛନ୍ତି। ନିଜ ପାଖରେ ଥିବା ବସ୍ତ୍ର ଦେଉଛନ୍ତି। ତାହାକୁ ନେଇ ଏବେ ମୁଁ ମାସ୍କ ତିଆରି କରୁଛି।
Follow Us