ଲୋକାର୍ପିତ ହେଲା ବନ୍ଦନା ମିଶ୍ରଙ୍କ କବିତା ସଂକଳନ ‘ଗଲା ହପ୍ତା ଯାଇଥିଲି ଗାଁକୁ ତୋର’ 

ଲୋକାର୍ପିତ ହେଲା ବନ୍ଦନା ମିଶ୍ରଙ୍କ କବିତା ସଂକଳନ ‘ଗଲା ହପ୍ତା ଯାଇଥିଲି ଗାଁକୁ ତୋର’ 

????????????????????????????????????

ଭୁବନେଶ୍ୱର: କବିତାର ଭାଷା ସରଳ ହେଲେ ତାହା ପାଠକର ମନକୁ ଛୁଏଁ। ପାଠକ ଭିତରେ କବିତା ପଢ଼ିବା ଲାଗି ଆଗ୍ରହ ସୃଷ୍ଟି ହୁଏ। ବୋଧହୁଏ କବିତାର ଭାଷା ସରଳ ହୋଇ ନ ଥିବା ଯୋଗୁଁ ଆଜିକାଲି ତାହା ପାଠକଙ୍କଠାରୁ ଦୂରେଇ ଯାଉଛି ବୋଲି ମତବ୍ୟକ୍ତ କରିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ। ମଙ୍ଗଳବାର ‘ସମ୍ବାଦ’ ଭବନରେ ଲେଖିକା-ସାମ୍ବାଦିକା ବନ୍ଦନା ମିଶ୍ରଙ୍କ କବିତା ସଂକଳନ ‘ଗଲା ହପ୍ତା ଯାଇଥିଲି ଗାଁକୁ ତୋର’ର ଲୋକାର୍ପଣ କରି ସେ କହିଛନ୍ତି କି କବିତା ବୁଝିବାକୁ କଷ୍ଟ ଲାଗିଲେ ବା ତାହା ସହଜରେ ବୋଧଗମ୍ୟ ନ ହେଲେ ପାଠକକୁ ପ୍ରଭାବିତ କରିପାରେ ନାହିଁ। ବନ୍ଦନା ମିଶ୍ରଙ୍କ ଏହି ସଂକଳନରେ ଥିବା କବିତାଗୁଡ଼ିକର ଭାଷା ସରଳ ଓ ଭାବପ୍ରକାଶ ଶୈଳୀ ସାବଲୀଳ ହୋଇଥିବାରୁ ତାହା ପାଠକଙ୍କୁ ଭଲଲାଗିପାରେ।

ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ‘ଗଲା ହପ୍ତା ଯାଇଥିଲି ଗାଁକୁ ତୋର’ ସଂକଳନର ସମୀକ୍ଷା କରି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଥିଲେ କି କବିତା ଅଳ୍ପରେ ଅନେକ କଥା କହିପାରେ। ବନ୍ଦନାଙ୍କ କବିତାରେ ତାହା ପରିଲକ୍ଷିତ ହୋଇଛି। ଏହା ତାଙ୍କର ପ୍ରଥମ କବିତା ସଂକଳନ ହୋଇଥିବାରୁ ଏହା ଏକ ସଫଳ ଆରମ୍ଭ ବୋଲି କୁହାଯାଇପାରେ। ସଂକଳନରେ ସ୍ଥାନୀତ ‘ଗଲା ହପ୍ତା ଯାଇଥିଲି ଗାଁକୁ ତୋର’,‘ଝିଅଲୋ’, ‘ମୁହୂର୍ତ୍ତ’, ‘ସବୁ ଦିନ ପାଇଁ ଚାଲିଯାଅ’ ଓ ‘ଶବ୍ଦ’ ଆଦି କବିତା  ପାଠକକୁ ପ୍ରଭାବିତ କରିବ ବୋଲି ସେ ମତ ରଖିଥିଲେ।

ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ଫିଚର ସଂପାଦକ ଡ.ଗୌରହରି ଦାସ କହିଥିଲେ   କବିତା ରଚନା ଏକ ଅତ୍ୟନ୍ତ ସୁକ୍ଷ୍ମକାମ। ଗୋଟିଏ ଶବ୍ଦର ବ୍ୟବହାରରେ ଓଲଟପାଲଟ ହୋଇଗଲେ ବି ତାହା କବିତାକୁ ବିଗାଡ଼ି ଦିଏ। ବନ୍ଦନା ଏହି ରାସ୍ତାରେ ପାଦ ରଖିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି। ସେ ଆଗକୁ ଆହୁରି ଭଲ ସୃଷ୍ଟି କରିବେ ବୋଲି ଆଶା ରଖୁଛି। ଉତ୍ସବର ଅନ୍ୟତମ ଅତିଥି ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି ଉନ୍ମୋଚିତ ପୁସ୍ତକ ‘ଗଲା ହପ୍ତା ଯାଇଥିଲି ଗାଁକୁ ତୋର’ ସଂପର୍କରେ ମତ ରଖି କହିଥିଲେ କି ଏହି ସଂକଳନର କେତେକ କବିତାରେ ଭରି ରହିଛି ଗଳ୍ପର ଉପାଦାନ। ତାହାକୁ ରୂପାନ୍ତରିତ କଲେ ସୁନ୍ଦର ଗଳ୍ପ ଜନ୍ମ ନେଇ ପାରିବ। କବି ଏ ଦିଗରେ ମନୋନିବେଶ କରିବା ଦରକାର। ଏହି ଉତ୍ସବରେ ‘ସମ୍ବାଦ’ର ସଂପାଦକୀୟ ପୃଷ୍ଠାର ସଂପାଦକ ରଣଜିତ ଗୁରୁ ଏବଂ ‘ସମ୍ବାଦ’ପୋର୍ଟାଲର ବାର୍ତ୍ତା ସଂପାଦକ ଧୃତିକାମ ମହାନ୍ତି ପ୍ରମୁଖ ଅତିଥି ଭାବେ  ଉପସ୍ଥିତ ରହି କବିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ।

ଏହି ଉତ୍ସବକୁ ‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର ସଂଯୋଜନା କରିଥିଲେ। ସେ ସଂକଳନରେ ସ୍ଥାନୀତ କବିତାସମୂହରେ  ଭାବପ୍ରକାଶରେ ସାବଳୀଳତା ଓ ସାଧୁତା ପରିଲକ୍ଷିତ ହୋଇଛି ବୋଲି ମତ ରଖିଥିଲେ। ଶେଷରେ ‘ସମ୍ବାଦ’ପୋର୍ଟାଲର ସହ-ସଂପାଦିକା ରୀନା ରାମ୍‌ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe