ଏୟାରପୋର୍ଟରୁ ବାଂଲାଦେଶୀ ଗିରଫ ଘଟଣା: ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ଚିଠି

Advertisment
କ୍ରାଇମ୍‌ବ୍ରାଞ୍ଚ୍‌ ନାଁ ନେଇ ଠକିବା ଘଟଣା, ସାଇବର ଠକକୁ ମହଙ୍ଗା ପଡ଼ିବ ଫେସବୁକ୍ ଆଇଡି!

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବାଂଲାଦେଶୀ ଗିରଫ ମାମଲା ନୂଆ ମୋଡ଼ ନେଇଛି। ମାମଲାର ତଦନ୍ତ କରିବା ପାଇଁ କମିସନରେଟ୍‌ ପୁଲିସ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛି। କ୍ରାଇମ୍‌ବ୍ରାଞ୍ଚ ମାମଲାର ମୂଳ ପର୍ଯ୍ୟନ୍ତ ଯିବା ପାଇଁ ଯୋଜନା କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କିଭଳି ଓ ‌କେଉଁ ପରିସ୍ଥିତିରେ ଏତେ ଦିନ ଧରି ଭାରତରେ ରହୁଥିଲେ? ଜାଲ୍‌ ପାସ୍‌ପୋର୍ଟ ବଳରେ କିଭଳି ଯିବାଆସିବା କରୁଥିଲେ? ଏହା ପଛରେ ଜାଲ୍‌ ପାସ୍‌ପୋର୍ଟ ରୢାକେଟ ରହିଛି କି? ଏଭଳି ଆଉ କେତେକ ବାଂଲାଦେଶୀ ଓଡ଼ିଶାରେ ଛଦ୍ମବେଶରେ ରହୁଛନ୍ତି କି? ଏମାନେ କେଉଁ କେଉଁ ଅପରାଧରେ ଲିପ୍ତ ଅଛନ୍ତି? ଏମାନଙ୍କୁ ଦେଶ କିମ୍ବା ରାଜ୍ୟ ଭିତରେ ଅପରାଧ ଘଟାଇବାରେ କେହି ସହଯୋଗ କରୁଛନ୍ତି କି? ଏ ସବୁ ପ୍ରସଙ୍ଗରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବ। ଗିରଫ ବାଂଲାଦେଶୀ କୋଲକାତାରେ ବର୍ଷ ବର୍ଷ ଧରି ରହୁଥିବା ପ୍ରକାଶ କରିଥିବାରୁ କ୍ରାଇମ୍‌ବ୍ରାଞ୍ଚର ଟିମ୍‌ ସେଠାକୁ ମଧ୍ୟ ଯିବ ବୋଲି ଜଣାପଡ଼ିଛି। ଏୟାରପୋର୍ଟ ଥାନା ପୁଲିସ ରିମ‌ାଣ୍ଡରେ ଆଣି ପଚରାଉଚରା କରିବା ପରେ ସଂଗ୍ରହ କରିଥିବା ସମସ୍ତ ତଥ୍ୟ କ୍ରାଇମ୍‌ବ୍ରାଞ୍ଚ ନେବା ପରେ ଏହାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଏବେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବାକୁ ଯାଉଥିବାରୁ ଏହି ବିଦେଶୀଙ୍କ ଓଡ଼ିଶା ଆତଯାତକୁ ନେଇ ରହିଥିବା ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୬ ତାରିଖରେ ଏଫ୍‌ଡି-୧୨୨ ବିମାନରେ ବ୍ୟାଙ୍କକ୍‌ରୁ ଆସିଥିବା ସମ୍ପୃକ୍ତ ଯୁବକଙ୍କ ଉପରେ ସନ୍ଦେହ ହେବାରୁ ପାସ୍‌ପୋର୍ଟ ଯାଞ୍ଚ କରାଯାଇଥିଲା। ଇମିଗ୍ରେସନ ବିଭାଗ ଅଧିକାରୀ ବିଚିତ୍ରାନନ୍ଦ ସାମଲ ଯାଞ୍ଚ କରିବା ପରେ ବିଶ୍ବନାଥ ମଣ୍ଡଳ ନାମରେ ପାସ୍‌ପୋର୍ଟ ତିଆରି କରି କୋଲକାତାରେ ରହିବା ସହ ଭାରତର ସମସ୍ତ ଜାଗାକୁ ଅନାୟାସରେ ଯାତ୍ରା କରୁଥିବା ଜଣାପଡ଼ିଥିଲା। ଏହି ଛଦ୍ମବେଶୀ ବାଂଲାଦେଶୀ ଯୁବକର ନାମ ଆୟାନ ଶ୍ରମଣ ଓରଫ ବରୁଆ(୨୯)। ସେ ବାଂଲାଦେଶ ଚିତ୍ତଗଙ୍ଗ୍‌ ଜିଲ୍ଲା ବଂଶକାଲି ଥାନା ଜଲ୍‌ଦି ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଥିଲା। ତା’ଠାରୁ ଦୁଇଟି ଆଧାର କାର୍ଡ, ଦୁଇଟି ମୋବାଇଲ, ଗୋଟିଏ ନୋଟ୍‌ ବୁକ୍‌ ଓ ବିଶ୍ବନାଥ ମଣ୍ଡଳ ନାମରେ ଗୋଟିଏ ଭାରତୀୟ ପାସ୍‌ପୋର୍ଟ (ନଂ.ପି୫୯୨୧୮୭୪) ଜବତ କରାଯାଇଥିଲା। ପଚରାଉଚରା ବେଳେ ଚାକିରି ଅନ୍ବେଷଣରେ ଜଣେ ବାଂଲାଦେଶୀ ଦଲାଲଙ୍କ ଜରିଆରେ ଜାଲ୍‌ ପାସ୍‌ପୋର୍ଟ ତିଆରି କରିଥିବା ସେ କହିଥିଲା। ବିଚିତ୍ରାନନ୍ଦଙ୍କ ଅଭିଯୋଗକୁ ଆଧାର କରି ପାସ୍‌ପୋର୍ଟ ଓ ଫରେନର୍ସ ଆଇନ ବଳରେ ଏକ ମାମଲା ରୁଜୁ କରି ଏୟାରପୋର୍ଟ ଥାନା ପୁଲିସ ତାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା। ପରେ ତାକୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ସଂଗ୍ରହ କରିଥିଲା। ହେଲେ ବିଭିନ୍ନ ରାଜ୍ୟରେ ଏହାର ଲିଙ୍କ୍‌ ଆସିବାରୁ କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ଭାର ଦେବା ପାଇଁ କମିସନରେଟ୍‌ ପୁଲିସ ଯୋଜନା କରିଥିଲା। ଜବତ ନୋଟ୍‌ବୁକ୍‌ରେ ମଧ୍ୟ ଅନେକ ତଥ୍ୟ ରହିଛି, ଯାହା କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତରେ ସାହାଯ୍ୟ କରିବ ବୋଲି କୁହାଯାଉଛି। ଅନ୍ୟପଟେ ଯେଉଁ ଦୁଇଜଣ ବାଂଲାଦେଶୀ ଦଲାଲଙ୍କ ଜରିଆରେ ଏହି ନକଲି ପାସ୍‌ପୋର୍ଟ ତିଆରି ହୋଇଥିଲା, ସେମାନେ ସୁବାସ ସରକାର ଓ ରୁବେଲ ବରୁଆ ବୋଲି ଜଣାପଡ଼ିଛି। ୨୦୧୬ ନଭେମ୍ବର ୧୬ ତାରିଖରେ ଇସ୍ୟୁ ହୋଇଥିବା ଏହି ପାସ୍‌ପୋର୍ଟର ଅବଧି ୨୦୨୬ ନଭେମ୍ବର ୧୫ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ୧୦ରୁ ୧୨ବର୍ଷ ଧରି ଆୟାନ ପଶ୍ଚିମବଙ୍ଗର ରାମକୃଷ୍ଣ ପଲ୍ଲୀରେ ରହି ଆସୁଥିଲା। ଏହି ଦୁଇ ଦଲାଲଙ୍କର ଓଡ଼ିଶା ତଥା ପଶ୍ଚିମବଙ୍ଗରେ କ’ଣ ଲିଙ୍କ୍‌ ରହିଛି, ତାହା ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe