୧୧ ଦିନ‌ ପରେ ବି ବାଣୀବିହାର ସ୍ଥିତି ସୁଧୁରୁନି: ତାତିଲେ ଛାତ୍ର, ଫାଟକରେ ତାଲା

୧୧ ଦିନ‌ ପରେ ବି ବାଣୀବିହାର ସ୍ଥିତି ସୁଧୁରୁନି: ତାତିଲେ ଛାତ୍ର, ଫାଟକରେ ତାଲା

ଭୁବନେଶ୍ବର: ୧୧ ଦିନ ବିତିଲା। ଉତ୍କଳ ବିଶ୍ବବିଦ୍ୟାଳୟରେ ସଫେଇ ହେଲାନି। ସମ୍ପୂର୍ଣ୍ଣ କ୍ୟାମ୍ପସକୁ ବିଜୁଳି ସଂଯୋଗ ବି ହେଲାନି। ଏନେଇ ବିଶ୍ବବିଦ୍ୟାଳୟର ପ୍ରଫେସର, କର୍ମଚାରୀମାନେ ପୂର୍ବରୁ ଧାରଣା ଦେଇଥିଲେ। ଏବେ ଛାତ୍ରମାନେ ବି ତାତିଲେଣି। ଆଜି ଫାଟକରେ ତାଲା ପକାଇବା ସହ କ୍ୟାମ୍ପସକୁ ଅଚଳ ‌କରିଦେବାକୁ ଚେତାବନୀ ଦେଲେଣି। ସ୍ଥିତି ଏମିତି ହେଲାଣି ଯେ, ଆଗକୁ ହେବାକୁ ଥିବା ବିଭିନ୍ନ ବିଭାଗ ପିଜି ପରୀକ୍ଷା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କ୍ୟାମ୍ପସରେ ସଫେଇ କରୁ ନଥିବାରୁ ଗତକାଲି ଛାତ୍ରଛାତ୍ରୀ ଅଣ୍ଟା ଭିଡ଼ିଥିଲେ। କୁଳପତିଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ହଷ୍ଟେଲରେ ସଫେଇ କରିଥିଲେ। ଛାତ୍ରଛାତ୍ରୀଙ୍କ ଏଭଳି ଅଭିନବ ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ। ଫଳସ୍ବରୂପ ଆଜି ଛାତ୍ରଛାତ୍ରୀ ସଫେଇ କରିଥିଲେ। ପ୍ରବେଶ ପଥରେ ପଡ଼ିଥିବା ଅଳିଆ ଆବର୍ଜନା ଉଠାଇବା ସହ ବଡ଼ ବଡ଼ କାଠକୁ ରାସ୍ତାକୁ ହଟାଇ ଅନ୍ୟତ୍ର ପକାଇଥିଲେ। ଗୋଟିଏ ଗୋଷ୍ଠୀର ଛାତ୍ରଛାତ୍ରୀ ଏଭଳି ଉଦ୍ୟମ କରିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ପିଲାମାନେ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ଅଚଳ କରିଦେଇଥିଲେ। ସକାଳୁ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ସମେତ ୩ଟି ଯାକ ଫାଟକରେ ତାଲା ପକାଇଥିଲେ। ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ମନମାନିକୁ ସମାଲୋଚନା କରିଥିଲେ। କ୍ୟାମ୍ପସର କିଛି ଛାତ୍ରଙ୍କ ଅଭିଯୋଗ ହେଉଛି ମେ’ ୨୧ରୁ ବିଭିନ୍ନ ବିଭାଗର ପିଜି ପରୀକ୍ଷା ଆରମ୍ଭ ହେବ। ତେବେ ଏପର୍ଯ୍ୟନ୍ତ ହଷ୍ଟେଲକୁ ବିଜୁଳି ଓ ପାଣି ସଂଯୋଗ ହୋଇ ନଥିବାରୁ ଛାତ୍ରଛାତ୍ରୀ ରହିବା ପାଇଁ ଅସୁବିଧାର ସମ୍ମୁଖୀନ ହେବେ। ପଢ଼ିପାରିବେ ନାହିଁ କି ପରୀକ୍ଷା ଲାଗି ପ୍ରସ୍ତୁତ ହୋଇପାରିବେ ନାହିଁ। ବିଶ୍ବବିଦ୍ୟାଳୟର କ୍ୟାମ୍ପସରେ ବିକଳ ଚିତ୍ର ରହିଥିବା ବେଳେ ଜଣେ ବରିଷ୍ଠ ଅଧିକାରୀ ୪ ଦିନ ହେଲା ଦିଲ୍ଲୀରେ ଯାଇଛନ୍ତି। କ୍ୟାମ୍ପସରେ ସୁବିଧା ହେଲା କି ନାହିଁ ସେଥିପ୍ରତି ତାଙ୍କର ଧ୍ୟାନ ନାହିଁ। କୁଳସଚିବ ବି କ୍ୟାମ୍ପସର ସଫେଇ, ବିଜୁଳି ସଂଯୋଗ ଉପରେ ଗୁରୁତ୍ବ ଦେଉନାହାନ୍ତି। ଯଦି ଏଭଳି ସ୍ଥିତି ଲାଗିରୁହେ ତେବେ ଆଗକୁ ଭୟଙ୍କର ପରିସ୍ଥିତି ଉପୁଜିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି। ସେପଟେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ ରାତିରେ କେତେକ ଛାତ୍ରାବାସକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିବା ଜଣାପଡ଼ିଛି। ତେବେ ଛାତ୍ରୀନିବାସ ଅବସ୍ଥାରେ କୌଣସି ବି ସୁଧାର ଆସିପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe