Bank cyber fraud: ବଢ଼ୁଛି ବ୍ୟାଙ୍କ ସାଇବର ଠକେଇ: ପଶ୍ଚିମବଙ୍ଗରୁ ଦୁଇ ସାଇବର ଠକ ଗିରଫ, ୧୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଚଳୁ

ଦିନକୁ ଦିନ ବ୍ୟାଙ୍କ ସାଇବର ଠକେଇ ବଢ଼ିବାରେ ଲାଗିଛି। କାହାକୁ କ୍ରେଡିଟ୍‌କାର୍ଡ ଦେବାକୁ କହି ତ କାହାର କେୱାଇସି, ପୁଣି କାହାର ୟୋନୋ ଅପ୍‌ଡେଟ୍‌ କରିବାକୁ କହୁଛନ୍ତି। ଯୁବତୀଙ୍କ ସ୍ବରରେ କଲ୍‌ କରି ଫସାଇବା ପରେ ତଥ୍ୟ ନେବା ଆଳରେ ଆକାଉଣ୍ଟରୁ ସର୍ବସ୍ବ ଲୁଟୁଛନ୍ତି।

bank fraud

ଭୁବନେଶ୍ବର: ଦିନକୁ ଦିନ ବ୍ୟାଙ୍କ ସାଇବର ଠକେଇ ବଢ଼ିବାରେ ଲାଗିଛି। କାହାକୁ କ୍ରେଡିଟ୍‌କାର୍ଡ ଦେବାକୁ କହି ତ କାହାର କେୱାଇସି, ପୁଣି କାହାର ୟୋନୋ ଅପ୍‌ଡେଟ୍‌ କରିବାକୁ କହୁଛନ୍ତି। ଯୁବତୀଙ୍କ ସ୍ବରରେ କଲ୍‌ କରି ଫସାଇବା ପରେ ତଥ୍ୟ ନେବା ଆଳରେ ଆକାଉଣ୍ଟରୁ ସର୍ବସ୍ବ ଲୁଟୁଛନ୍ତି। ଗତ କିଛିଦିନ ମଧ୍ୟରେ ସାଇବର ଲୁଟେରା ରାଜଧାନୀର ଦୁଇଜଣ ବ୍ୟକ୍ତିଙ୍କୁ ବ୍ୟାଙ୍କ କର୍ମଚାରୀର ପରିଚୟ ଦେଇ ଅପ୍‌ଡେଟ୍‌ ନାଁରେ ସାଢ଼େ ୧୦ଲକ୍ଷ ଟଙ୍କା ଲୁଟିଛନ୍ତି। ସାଇବର ଥାନା ପୁଲିସ ପଶ୍ଚିମବଙ୍ଗ କୋଲକାତା ସିଅଲ ଲେନ୍‌ର ଆୟନ ଦେ(୨୧) ଓ ହାୱଡ଼ା ଅଞ୍ଚଳର ମହମ୍ମଦ ହୁସେନ୍‌(୨୦)କୁ ଗିରଫ କରିବା ପରେ ଏହାର ଗୁମର ଫିଟିଛି। ପୁଲିସ ସେମାନଙ୍କ ନିକଟରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି।

ସୂଚନା ମୁତ‌ାବକ, ଗତ ଏପ୍ରିଲ୍‌ ୧ ତାରିଖରେ ଚନ୍ଦ୍ରଶେଖରପୁର ଅଞ୍ଚଳର ବିଦ୍ୟୁତ୍‌ ପରିଡ଼ାଙ୍କ ହ୍ବାଟସ୍‌ ଆପ୍‌କୁ ମେସେଜ୍‌ ଆସିଥିଲା। ଯେଉଁଥିରେ ତାଙ୍କର କ୍ରେଡିଟ୍‌କାର୍ଡ ମିଳିବା ‌ନେଇ ଲେଖାଥିଲା। ଏହାର କିଛି ସମୟ ପରେ ହଠାତ୍‌ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ଯୁବତୀଙ୍କ ସ୍ବରରେ ସାଇବର ଠକ ଫୋନ୍‌ କରି କହିଥିଲେ ଯେ ‘ସାର୍‌, ଅପାଣଙ୍କର ସିଭିଲ୍‌ ସ୍କୋର ବହୁତ ଭଲ ଅଛି। କ୍ରେଡିଟ୍‌କାର୍ଡ ପ୍ରି ଆପ୍ରୁଭଡ୍‌ ଅଛି। ହେଲେ କିଛି ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍‌ କରିବାକୁ ହେବ। ଏହାର ଏକ ଲିଙ୍କ୍‌ ହ୍ବାଟ୍‌ଆପ୍‌ରେ ପଠାଉଛି।’। ଏହାପରେ ସାଇବର ଠକ ବିଦ୍ୟୁତଙ୍କ ହ୍ବାଟ୍‌ସକୁ ଲିଙ୍କ୍‌ ପଠାଇଥିଲା। ସେ ଲିଙ୍କରେ କ୍ଲିକ୍‌ କରିବା ପରେ ଠକ ଗୋଟିଏ ପରେ ଗୋଟିଏ ତଥ୍ୟ ହାତେଇଥିଲା। କିଛି ସମୟ ପରେ ବିଦ୍ୟୁତ୍‌ଙ୍କ ଆକାଉଣ୍ଟ୍‌ରୁ ୪ଟି କାରବାରରେ ପାଖାପାଖି ସାଢ଼େ ୬ଲକ୍ଷ ଟଙ୍କା କଟିଯାଇଥିଲା। ବିଦ୍ୟୁତ୍‌ ସମ୍ପୃକ୍ତ ନମ୍ବରକୁ କଲ୍‌ କରିଥିଲେ ବି ସେ ଆଉ ଉଠାଇନଥିଲେ। ଠକାମିର ଶିକାର ହେବା ଜାଣିବା ପରେ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ। 

ସେହିପରି ଗତ ଅଗଷ୍ଟ ୨୩ ତାରିଖରେ ସୁନ୍ଦରପଦା ଅଞ୍ଚଳର ଋଷି ପଟ୍ଟନାୟକଙ୍କ ପତ୍ନୀ ୟୋନୋ ଆପ୍‌ ଅପ୍‌ଡେଟ୍‌ କରୁଥିବା ସମୟରେ ସମସ୍ୟା ଯୋଗୁ ଗ୍ରାହକ ସେବାକେନ୍ଦ୍ରକୁ ଫୋନ୍‌ କରିଥିଲେ। ଗ୍ରାହକ ସେବାକେନ୍ଦ୍ର ପ୍ରତିନିଧିଙ୍କ କହିବା ମୁତାବକ ଋଷିଙ୍କ ପତ୍ନୀ ତଥ୍ୟ ପ୍ରଦାନ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ତାଙ୍କ ଆକାଉଣ୍ଟ୍‌ରୁ ୪ଲକ୍ଷ ଟଙ୍କା କଟିଯାଇଥିଲା। ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଦୁଇଟି ମାମଲାରେ ସାଇବର ଥାନା ପୁଲିସ ତଦନ୍ତ ବେଳେ ସାଇବର ଠକଙ୍କୁ ଚିହ୍ନଟ କରିଥିଲା। ଗତକାଲି ରାତିରେ ପୁଲିସ ପଶ୍ଚିମବଙ୍ଗସ୍ଥିତ ଦୁଇ ଠକଙ୍କ ଘରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲା। ଆଜି ଉଭୟଙ୍କୁ  କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe