ମୂଲ୍ୟ‌ବୋଧଭିତ୍ତିକ ରାଜନୀତିର ଅନନ୍ୟ ବ୍ୟକ୍ତିତ୍ୱ ବାଙ୍କବିହାରୀ

Advertisment

ଜନ୍ମଶତବାର୍ଷିକୀରେ ବିଶିଷ୍ଟ ବକ୍ତାଙ୍କ ମତ

ଜନ୍ମଶତବାର୍ଷିକୀରେ ବିଶିଷ୍ଟ ବକ୍ତାଙ୍କ ମତ

ମୂଲ୍ୟ‌ବୋଧଭିତ୍ତିକ ରାଜନୀତିର ଅନନ୍ୟ ବ୍ୟକ୍ତିତ୍ୱ ବାଙ୍କବିହାରୀ

ଭୁବନେଶ୍ୱର: ବାଙ୍କ ବାବୁ ଥିଲେ ମୂଲ୍ୟବୋଧଭିତ୍ତିକ ନୀତିନିଷ୍ଠ ରାଜନୀତିର ଜଣେ ଅନନ୍ୟ ବ୍ୟକ୍ତିତ୍ୱ ଓ ଜନଦରଦୀ ନେତୃତ୍ୱ। ସେ କ୍ଷମତାରେ ଥାଆନ୍ତୁ ବା ନଥା’ନ୍ତୁ, ରାଜ୍ୟର ଗରିବ, କୃଷକ, ଶ୍ରମିକ ଓ ସାଧାରଣ ଜନତାର ହକ୍‌ ପାଇଁ ବିସ୍ଥାପିତଙ୍କ ଥଇଥାନ ସମସ୍ୟାର ସମାଧାନ ତଥା ରେଙ୍ଗାଲି ବାସଚ୍ୟୁତ ଆନ୍ଦୋଳନ, ଆଠମଲ୍ଲିକ ମନଜୋର୍‌ ଜଳସେଚନ ଆନ୍ଦୋଳନ, ଐତିହାସିକ ଚିଲିକା ବଞ୍ଚାଅ ଆନ୍ଦୋଳନର ଯେଭଳି ବେସାଲିସ୍‌ ଦୃଢ଼ ନେତୃତ୍ବ ନେଇଥିଲେ, ତାହା ଓଡ଼ିଶାର ଜନଆନ୍ଦୋଳନର ଇତିହାସରେ ତାଙ୍କୁ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିବ।

ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦୃଢ଼ନିଷ୍ଠା ଓ ସଂକଳ୍ପ ତଥା ବୁଦ୍ଧିମତା ବଳରେ ସେ ଚିଲିକା ହ୍ରଦକୁ ଟାଟା ଗୋଷ୍ଠୀ ହାତରୁ ରକ୍ଷା କରିପାରିଥିଲେ। ବିଶିଷ୍ଟ ସମାଜବାଦୀ ନେତା, ପ୍ରବୀଣ ଅର୍ଥନୀତିଜ୍ଞ, କୃଷକ ଆନ୍ଦୋଳନର ଅନ୍ୟତମ ଅଗ୍ରସାରଥୀ, ପୂର୍ବତନ ମନ୍ତ୍ରୀ ବାଙ୍କବିହାରୀ ଦାସଙ୍କ ଜନ୍ମଶତବାର୍ଷିକୀ ଉପଲକ୍ଷେ ଉତ୍କଳ ବିକାଶ ଯୁବ ପରିଷଦ ପକ୍ଷରୁ ଅନୁଷ୍ଠିତ ସ୍ମୃତିସଭାରେ ଏଭଳି ମତପ୍ରକାଶ ପାଇଛି।

ସ୍ଥାନୀୟ ଲୋହିଆ ଏକାଡେମିଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ତଥା ବାଙ୍କବିହାରୀ ଦାସଙ୍କ ପଟ୍ଟଶିଷ୍ୟ ଦେବୀପ୍ରସାଦ ପୃଷ୍ଟି ଅଧ୍ୟକ୍ଷତା କରିଥିଲେ। ସଭାରେ ରେଙ୍ଗାଲି ବାସଚ୍ୟୁତ ଆନ୍ଦୋଳନର ନେତା ସୁଧୀର କପରଦାର, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ସ୍ତମ୍ଭକାର ପ୍ରଦ୍ୟୁମ୍ନ ଶତପଥୀ, ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ, ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ ଓ ତାଙ୍କ ଜ୍ୟେଷ୍ଠପୁତ୍ର ରାସବିହାରୀ ଦାସ ଓ ବୋହୂ ପ୍ରଫେସର୍‌ ଅଭିଳାଷା କୁମାରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବାଙ୍କବିହାରୀ ଦାସ ଓଡ଼ିଶାର ରାଜନୀତି, ପ୍ରକୃତି ଓ ପରିବେଶର ସୁରକ୍ଷା ତଥା ଜମି, ଜଳ, ଜଙ୍ଗଲ, ଚାଷବାସର ସଂରକ୍ଷଣ ସାଙ୍ଗକୁ ମଣିଷ ତଥା କୋଟି ଜୀବଜଗତର ବିଭୂଦତ୍ତ ଜୀବନ ଜୀବିକାର ଆଧାରକୁ ବଞ୍ଚାଇବା ଦିଗରେ ଯେଉଁ ଐତିହାସିକ କାର୍ଯ୍ୟ କରିଯାଇଛନ୍ତି, ତାହା ଆମର ଆଗାମୀ ପିଢ଼ିଙ୍କୁ ନିଶ୍ଚିତ ଭାବେ ଅନେକ ଖୋରାକ୍‌ ଯୋଗାଇବ ତଥା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ।

ଉତ୍ସବରେ ପରିବେଶ ଓ କୃଷକ ଓ କୃଷି ତଥା ବିସ୍ଥାପନ ଆନ୍ଦୋଳନର ନେତୃତ୍ୱ ନେଉଥିବା ସୁନ୍ଦରଗଡ଼ର ନଟକିଶୋର ମିଶ୍ର, ବଲାଙ୍ଗୀରର ଆକାଶ ମିଶ୍ର, ଅନୁଗୁଳର ଶାନ୍ତିଲତା ସାହୁ, ତାଳଚେରର ବାଉରୀବନ୍ଧୁ ବେଜ୍‌, ବାଲିଆପାଳ ଭିଟାମାଟି ବଞ୍ଚାଅ ଆନ୍ଦୋଳନ ନେତା ଅରୁଣ ଜେନା ଓ ରେଙ୍ଗାଲୀ ବାସଚ୍ୟୁତ ଆନ୍ଦୋଳନର ନେତା ଗିରିଧାରୀ ସାହୁ ଏବଂ ମନ୍‌ଜୋର୍ ଜଳସେଚନ ପ୍ରକଳ୍ପ ଆନ୍ଦୋଳନ ନେତା ସ୍ୱର୍ଗୀୟ ସୁରେନ୍ଦ୍ର ପ୍ରଧାନ, ପାରଳାଖେମୁଣ୍ଡିର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କୁ ଉତ୍ତରୀୟ, ମାନପତ୍ର, ଖଦୀମାଳା ଓ ଆମ୍ବଗଛ ଚାରା ଦେଇ ନିଆରା ଢଙ୍ଗରେ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମକୁ ମୁଣ୍ଡଳର ଯୁବଚାଷୀ ଅନିଲ କୁମାର ସୁବୁଦ୍ଧି ଚାରା ଗଛରେ ପାଣି ଦେଇ ଉଦ୍‌ଘାଟନ କରିଥିଲେ। ଆସନ୍ତା ଦିନରେ ରାଜ୍ୟବ୍ୟାପୀ ବାଙ୍କବିହାରୀ ଦାସଙ୍କର ଆନ୍ଦୋଳନ କ୍ଷେତ୍ର, ରାଜନୈତିକ କର୍ମଭୂମି ସମେତ ଏବେ ଯେଉଁଠାରେ ପରିବେଶ ଓ କୃଷକ ଆନ୍ଦୋଳନ ଚାଲିଛି, ସେ ସମସ୍ତ ସ୍ଥାନରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ କରାଯିବ ବୋଲି ସମ୍ବର୍ଦ୍ଧିତ ପ୍ରତିଭାମାନେ ସଂକଳ୍ପ ନେଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଭାସିନୀ ରାଉତ ଆବାହନୀ ବିପ୍ଳବ ସଂଗୀତ ଗାନ କରିଥିଲେ। ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ସିଏସ୍‌ଆଇଆର୍‌ର ବରିଷ୍ଠ ବୈଜ୍ଞାନିକ ପ୍ରଫେସର୍‌ ଶ୍ରୀକାନ୍ତ ରଥ ଓ କୋଲକାତାର ଆଇବିଏସ୍ ଡିନ୍ ପ୍ରଫେସର୍‌ ଦୀପଙ୍କର ଦେ’ଙ୍କର ବାର୍ତ୍ତା ପାଠ କରାଯାଇଥିଲା। କାର୍ଯ୍ୟକ୍ରମରେ ବାଙ୍କବିହାରୀ ଦାସଙ୍କର ପରିବାରବର୍ଗ ବିଶ୍ୱବିହାରୀ ଦାସ, ପ୍ରଫେସର ସରୋଜ ନଳିନୀ ଦାସ, ଲକ୍ଷ୍ମୀନାରାୟଣ ମହାନ୍ତି ଓ ଡାକ୍ତର ସିଦ୍ଧାର୍ଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଜ୍ୟେଷ୍ଠପୁତ୍ର ରାସବିହାରୀ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe