ବଡ଼ଗଡ଼ ପ୍ରାଥମିକ ବିଦ୍ୟାଳୟ, ଶତବାର୍ଷିକ ଉତ୍ସବ

Advertisment
ବଡ଼ଗଡ଼ ପ୍ରାଥମିକ ବିଦ୍ୟାଳୟ, ଶତବାର୍ଷିକ ଉତ୍ସବ

ପୁରୁଣା ଭୁବନେଶ୍ବର: ବଡ଼ଗଡ଼ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଶତବାର୍ଷିକୀ ପାଳନ କମିଟିର ଆବାହକ ପ୍ରତାପ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ପୌରୋହିତ୍ୟ କରିଥିଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ବିର୍ଲା ଗ୍ଲୋବାଲ ବିଶ୍ବବିଦ୍ୟାଳୟର କୁଳପତି ଡ. ସୁଧାକର ପଣ୍ଡା ଓ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ବିଶ୍ବରଞ୍ଜନ ଯୋଗ ଦେଇଥିଲେ। ଏଥିରେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅବସରପ୍ରାପ୍ତ ଡେପୁଟି ଗଭର୍ଣ୍ଣର ହାରୁନ୍ ରସିଦ୍ ଖାନ୍ ତାଙ୍କ ପିଲାବେଳର ସ୍ମୃତି ରୋମନ୍ଥନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଆଦ୍ୟ ୪ଜଣ ପ୍ରଧାନ ପଣ୍ଡିତଙ୍କ ଫଟୋଚିତ୍ର ଅନାବରଣ ଓ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ପୁରାତନ ଗୁରୁମାନଙ୍କ ସ୍ମୃତିଚାରଣ ଓ ଗୁରୁପ୍ରଣାମ ଉତ୍ସବ। ହରିବୋଲ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ସଭାସ୍ଥଳୀ ମଧ୍ୟରେ ଆଦିପଣ୍ଡିତେ ସ୍ୱର୍ଗତ ଅନାମ ନନ୍ଦ (ଘାଟିକିଆ), ସ୍ୱର୍ଗତ ଅନାମ ନନ୍ଦ (ସୁନ୍ଦରପଦା), ସ୍ୱର୍ଗତ କେଳେଇ ନନ୍ଦ, ସ୍ୱର୍ଗତ ରମାକାନ୍ତ ମହାପାତ୍ର, ସ୍ୱର୍ଗତ କୁମୁଦିନୀ ପଟ୍ଟନାୟକ, ସ୍ୱର୍ଗତ ମାଗୁଣି ମହାନ୍ତି, ସ୍ୱର୍ଗତ ପ୍ରଫୁଲ୍ଲବାଳା ଦାସଙ୍କୁ ମରଣୋତ୍ତର ସମ୍ମାନ ସେମାନଙ୍କ ଦୟାଦମାନଙ୍କୁ ପ୍ରଦାନ କରାଯାଇଥିଲା। ଏହି ଐତିହାସିକ ଅନୁଷ୍ଠାନର ସ୍ମୃତିକୁ ମନେ ପକାଇ ପୁରାତନ ଛାତ୍ର ସଂସଦ ପକ୍ଷରୁ ସକାଳେ ଗଣଦୌଡ଼ କରାଯାଇଥିବା ବେଳେ ଅପରାହ୍‌ଣରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା।

ପୁରାତନ ଛାତ୍ର ସଂସଦ ଦ୍ବାରା ଆରମ୍ଭ କରାଯାଇଥିବା ଅନାମ ନନ୍ଦ ସ୍ମୃତି ସମ୍ମାନ ଅବସରପ୍ରାପ୍ତ ଶିକ୍ଷକ ଧ୍ରୁବ ଚରଣ ରଥ, କେଳେଇ ନନ୍ଦ ସ୍ମୃତି ସମ୍ମାନ ଅବସରପ୍ରାପ୍ତ ଶିକ୍ଷକ ସୁରେଶ କୁମାର ରାଉତରାୟ ଓ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଗ୍ରାମର ପ୍ରଥମ ଗ୍ରଜୁଏଟ, ଓକିଲ ଓ ଶିକ୍ଷାବିତ୍‌ ସ୍ବର୍ଗତ ହାଡ଼ିବନ୍ଧୁ ହାଲି ସ୍ମୃତି ସମ୍ମାନ ଶିକ୍ଷକ ବୀର କିଶୋର ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା।
ପ୍ରଧାନ ଶିକ୍ଷକ ବଳରାମ ଖୁଣ୍ଟିଆ, ଖୁଲଣା ସୁନ୍ଦରୀ ଭୂୟାଁ, ପ୍ରତିମା କୁମାରୀ ପଟ୍ଟନାୟକ, କେଦାର ନାଥ ନନ୍ଦ, ମୁରଲୀଧର ଦାସ, ଗୋପବନ୍ଧୁ ପ୍ରଧାନ, ଡ. ମୀନାକ୍ଷୀ ଦାସ, ଶୈଳବାଳା ସାହୁ, ଶୈଳବାଳା ମାହାଲି, ଚପଳା କୁମାର ଦେଈ, ଭରତ ଚନ୍ଦ୍ର ସାହୁ, ସୁରଭି ସାମନ୍ତ, ସରୋଜିନୀ ମହାନ୍ତି, ବିଦ୍ୟୁତ୍‌ପ୍ରଭା କର, ପ୍ରତିଭା ବାରିକ, ଜ୍ୟୋତ୍ସ୍ନା ମହାନ୍ତି, ପୁଷ୍ପଲତା ସେନାପତି, ଲୋପାମୁଦ୍ରା ସାହୁ ଓ ବାସନ୍ତୀ ପଣ୍ଡାଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ଗୁରୁପୂଜା କରାଯାଇଥିଲା। କମଳିନୀ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କୃଷ୍ଣଚନ୍ଦ୍ର ପାତ୍ର, ଅଜିତ ବେହେରା, ସଂଗ୍ରାମ ନାୟକ ଓ ଗଙ୍ଗାଧର ମାନସିଂ ଉପସ୍ଥିତ ଥିଲେ। ଶେଷରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe