ଅଟକି ଯାଇଛି ବରମୁଣ୍ଡା ବସ୍‌ ଟର୍ମିନାଲ୍‌ ନିର୍ମାଣ

ହଟିପାରିନି ଅବରୋଧ, ଖଣ୍ଡଗିରିରେ ସରିଛି ବସ୍‌-ବେ’

ଅଟକି ଯାଇଛି ବରମୁଣ୍ଡା ବସ୍‌ ଟର୍ମିନାଲ୍‌ ନିର୍ମାଣ

ଖଣ୍ଡଗିରି : ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଅତ୍ୟାଧୁନିକ ରୂପରେ ଗଢ଼ିବା ପାଇଁ ନିଆଯାଇଥିବା କଣ୍ଟ ପୁଣି ବିଳମ୍ବିତ ହେବା ନିଶ୍ଚିତ। ୨ ବର୍ଷରେ କାମ ସାରିବାକୁ ଧାର୍ଯ୍ୟ ହୋଇଥିଲେ ବି ବିଭିନ୍ନ ବାଧକ ନିର୍ମାଣ କାମକୁ ଆଗେଇ ନେଉନାହିଁ। ୯ ମାସ ଭିତରେ ଇଟା ଖଣ୍ଡେ ପଡ଼ି ନଥିବାରୁ ଆଉ ୧୫ମାସ ଭିତରେ କାମ ସରିବା ସମ୍ଭବ ନୁହେଁ ବୋଲି ଜଳଜଳ ହୋଇ ଦେଖାଗଲାଣି। ଅବରୋଧ ଉଚ୍ଛେଦ ବାକି ଥିବା ବେଳେ ବ୍ୟବସାୟୀମାନଙ୍କ ଅଡ଼ୁଆ ତୁଟି ନାହିଁ। ଏହା ସାଙ୍ଗକୁ ମହାମାରୀ କରୋନା ନିର୍ମାଣ କାମର ରାସ୍ତା ଓଗାଳିଛି। ତେଣୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡର ବହୁ ପ୍ରତୀକ୍ଷିତ ନବୀକରଣ କାମ ପୁଣି ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଅବସ୍ଥାରେ ପହଞ୍ଚିଛି ବୋଲି ଚର୍ଚ୍ଚା ହେଉଛି।

୨୦୧୦ ମସିହାରୁ ରାଜ୍ୟର ଏହି ପ୍ରମୁଖ ବସ୍‌ଷ୍ଟାଣ୍ଡର ଅତ୍ୟାଧୁନିକ ରୂପ ପାଇଁ ସରକାର ଯୋଜନା କରିଥିଲେ। ୨୦୧୮ରେ ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ। ଏହାପରେ ୨୦୧୯ ମସିହାରେ କ୍ୟାବିନେଟ ବୈଠକରେ ଟେଣ୍ଡରକୁ ଅନୁମୋଦନ ମିଳିଥିଲା। ଏଥିପାଇଁ ୧୬୬ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ପାଖାପାଖି ୧୬ଏକର ଜମିର ଉନ୍ନତି କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ତଦାରଖ ପାଇଁ ବିଡିଏକୁ ସରକାର ଦାୟିତ୍ବ ଦେଇଥିବା ବେଳେ ଟେଣ୍ଡର ନେଇଥିଲା ବ୍ରିଜ୍‌ ଆଣ୍ଡ୍‌ ରୁଫ୍ କମ୍ପାନି ପ୍ରାଇଭେଟ୍‌ ଲିମିଟେଡ୍‌। ୨୪ ମାସ ମଧ୍ୟରେ ପ୍ରକଳ୍ପ ସାରିବା ଲକ୍ଷ୍ୟ ନେଇ କାମ ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆର୍‌ଟିସି)ର ବସ୍‌ ବେ’ ସ୍ଥାନାନ୍ତର ପାଇଁ ଖଣ୍ଡଗିରିରେ ଏକ ଅସ୍ଥାୟୀ ବସ୍‌ ବେ’ ନିର୍ମାଣ କରାଯାଇଥିଲା। କିନ୍ତୁ ସେତିକିରେ ସବୁ କିଛି ଅଟକିଗଲା। ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବାକି ଅବରୋଧ ହଟିପାରିଲା ନାହିଁ। ଏବେ କରୋନା ଯୋଗୁଁ ବସ୍‌ଷ୍ଟାଣ୍ଡ ପରିସରରୁ ଉଚ୍ଛେଦ ହୋଇପାରୁନଥିବା ବିଡିଏ ଅଧିକାରୀ ସଫେଇ ଦେଉଛନ୍ତି। ଗତ ୪ ମାସ ହେଲା କରୋନା ସମସ୍ୟା ସିନା ହେଲା, କିନ୍ତୁ ଆଗରୁ ବିଡିଏ କର୍ତ୍ତୃପକ୍ଷ କ’ଣ କରୁଥିଲେ ବୋଲି ‌ସାଧାରଣରେ ପ୍ରଶ୍ନ ହେଉଛି। କ୍ୟାବିନେଟ୍‌ ମଞ୍ଜୁରି ଓ ଟେଣ୍ଡର ପରେ ବ୍ୟବସାୟୀମାନଙ୍କ ଅଡ଼ୁଆ କ’ଣ ପାଇଁ ତୁଟାଇବାରେ ବିଳମ୍ବ କରାଗଲା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଏବେ କରୋନା କଟକଣା କୋହଳ ହେବା ପରେ ଖଣ୍ଡଗିରିରେ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ କାମ ଦ୍ରୁତବେଗରେ ଆଗେଇ ଚାଲିଛି, ତେଣୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନବୀକରଣ କାମ କାହିଁକି ଆରମ୍ଭ ହେଉନାହିଁ ବୋଲି ଚର୍ଚ୍ଚା ହେଉଛି। ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା ପାଇଁ ନିର୍ମାଣ କାମ ବିଳମ୍ବିତ ହେଉଛି ବୋଲି ଅଭିଯୋଗ ହେଉଛି। ମହାମାରୀ କରୋନା ସଂକଟ ବାହାନାରେ କର୍ତ୍ତୃପକ୍ଷ କାନ୍ଧ ଖସାଇବାକୁ ବସିଥିବା ବେଳେ ଏହି ମଲ୍ଟି ମୋଡାଲ ହାଇଟେକ୍ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌ ନିର୍ମାଣକୁ ବିଳମ୍ବିତ କରାଯାଉଛି ବୋଲି ସରଗରମ ଆଲୋଚନା ହେଉଛି।

publive-image Bhubaneswar Buzz

ଏ ନେଇ ବିଡିଏର ଉପାଧ୍ୟକ୍ଷ ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି ଯେ କରୋନା ଯୋଗୁଁ ଉଚ୍ଚ ନ୍ୟାୟାଳୟ ୧୫ ଜୁଲାଇ ପର୍ଯ୍ୟନ୍ତ କେବଳ ଗୁରୁତ୍ବପୂର୍ଣ୍ଣ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଟର୍ମିନାଲ ନିର୍ମାଣ ପାଇଁ ଆବଶ୍ୟକ କିଛି ଉଚ୍ଛେଦ ହୋଇପାରୁନାହିଁ। ଫଳରେ ଯେଉଁ ହାରରେ କାମ ଚାଲିବା କଥା, କରୋନା ଯୋଗୁଁ ତାହା ସମ୍ଭବ ହୋଇପାରୁନାହିଁ। ମହାମାରୀ ସ୍ଥିତିରେ ସୁଧାର ଆସିଲେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଅଧିକ ଲୋକ ବଳ ନିୟୋଜିତ କରାଯିବ ବୋଲି ଶ୍ରୀ ଚୌଧରୀ କହିଛନ୍ତି।

ଏମିତି ହେବ ପ୍ରକଳ୍ପର ରୂପରେଖ
ପ୍ରକଳ୍ପ ମୁତାବକ, ୧ ଲକ୍ଷ ୩୧ ହଜାର ୭୧୩ ବର୍ଗ ଫୁଟ ଅଞ୍ଚଳରେ ବସ୍ ଟର୍ମିନାଲ ନିର୍ମାଣ କରାଯିବ। ୧ ଲକ୍ଷ ୭ ହଜାର ୯୧୨ ବର୍ଗ ଫୁଟ ଅଞ୍ଚଳକୁ ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ବିନିଯୋଗ କରାଯିବ। ଟର୍ମିନାଲରେ ୩୫ଟି ବସ୍‌-ବେ’ର ବ୍ୟବସ୍ଥା ହେବ। ଏହା ମଧ୍ୟରେ ୧୯୦ ଟି ବସ୍ ପାର୍କିଂ ପାଇଁ ସ୍ଥାନ ରହିବ। ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ପରିସରରେ ୨୫୦ରୁ ଅଧିକ ଚାରିଚକିଆ ଯାନ ଓ ୧୭୫ଟି ଦୁଇ ଚକିଆ ଯାନର ପାର୍କିଂ ସୁବିଧା ରହିବ। ବସ୍‌ ଟର୍ମିନାଲ୍‌ରେ ଫାୟାର୍‌ ଡିଟେକ୍ସନ୍‌ ଆଲାରାମ, ନିରନ୍ତର ବିଦ୍ୟୁତ ଯୋଗାଣ, ଫାୟାର୍‌ ଫାଇଟିଂ ସିଷ୍ଟମ୍‌, ସୂଚନା ଡିସ୍‌ପ୍ଲେ ବ୍ୟବସ୍ଥା, ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଘୋଷଣା ବ୍ୟବସ୍ଥା, ସିସିଟିଭି, ପାନୀୟ ଜଳ, ସୌର ବିଦ୍ୟୁତ, ଏସି, ସ୍ବରେଜ ଟ୍ରିଟ୍‌ମେଣ୍ଟ, ବସ୍‌ ସଫେଇ ବ୍ୟବସ୍ଥା, ଏଲିଭେଟର୍‌ ଓ ଏସ୍କାଲେଟର୍‌ ଆଦି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe