ଅଳିଆରେ ଭର୍ତ୍ତି ବରମୁଣ୍ଡା ଖେଳ ପଡ଼ିଆ: ଆବର୍ଜନା ଉଠାଇବ କିଏ?

Advertisment

ଟଙ୍କା ନେଲା ପଡ଼ିଆ ସଫା କଲାନି କ୍ରୀଡ଼ା ବିଭାଗ

ଟଙ୍କା ନେଲା ପଡ଼ିଆ ସଫା କଲାନି କ୍ରୀଡ଼ା ବିଭାଗ

ଅଳିଆରେ ଭର୍ତ୍ତି ବରମୁଣ୍ଡା ଖେଳ ପଡ଼ିଆ: ଆବର୍ଜନା ଉଠାଇବ କିଏ?

ଖଣ୍ଡଗିରି: ଖେଳ ପାଇଁ ପଡ଼ିଆକୁ ବଞ୍ଚାଇଲୁ ଏବେ ଏହା ଇଭେଣ୍ଟ ମ୍ୟାନେଜମେଣ୍ଟ ପଡ଼ିଆରେ ପରିଣତ ହୋଇ ସାରିଛି। ଶିଶିର ସରସ ପରେ ପଡ଼ିଆ ସଫେଇ ପାଇଁ ଓରମାସ୍‌ ଠାରୁ ଟଙ୍କା ନେଇଛି କ୍ରୀଡ଼ା ବିଭାଗ କିନ୍ତୁ ୧୩ ଦିନ ପରେ ମଧ୍ୟ ପଡ଼ିଆ ସଫେଇ କରାଯାଉ ନାହିଁ। ବରଂ ଅବସ୍ଥା ଏଭଳି ହୋଇଛି ଯେ ଟୁର୍ଣ୍ଣାମେଣ୍ଟ କଥା ଦୂରେ ଥାଉ ସାଧାରଣ ଭାବରେ ପିଲା ଖେଳିବା ପାଇଁ ମଧ୍ୟ ଏହା ଅନୁପଯୋଗୀ ହୋଇପଡ଼ିଛି। ଏଭଳି ଅଭିଯୋଗ କରିଛନ୍ତି ବରମୁଣ୍ଡା ୟୁଥ ଆସୋସିଏସନ ପରିଚାଳନା କମିଟି ଏବଂ ୱାର୍ଡ ନମ୍ବର ୫୦ର କର୍ପୋରେଟର ରାମଚନ୍ଦ୍ର ରଣସିଂ। ରାଜଧାନୀ ବରମୁଣ୍ଡାସ୍ଥିତ ୭.୫ ଏକର ପରିମିତ ଏହି ପଡ଼ିଆ ଯେ ରାଜ୍ୟ କ୍ରୀଡ଼ା ବିଭାଗର ଅଧୀନରେ ଆସେ ବର୍ତ୍ତମାନ ଏହାକୁ ଦେଖିଲେ ବିଶ୍ବାସ ହେବ ନାହିଁ। ଏହାର ସମୁଦାୟ ଅଞ୍ଚଳଟି ଆବର୍ଜନାମୟ ହୋଇପଡ଼ିଛି। ପଡ଼ିଆ ତମାମ ଗାତ ଖୋଳି ଦିଆଯାଇଛି। ଅସ୍ଥାୟୀ ଶୌଚାଳୟ ହୋଇଥିବା ସ୍ଥାନକୁ ପୋତାଯାଇ ନାହିଁ। ପିଲା ଖେଳିବା କଥା ଦୂରେ ଥାଉ ସକାଳ ଏବଂ ସଂଧ୍ୟାରେ ବ୍ୟାୟାମ କିମ୍ବା ଚାଲିବା ମଧ୍ୟ ସ୍ଥାନୀୟ ଅଧିବାସୀଙ୍କ ପାଇଁ ଅନୁପଯୋଗୀ ହୋଇପଡ଼ିଛି। ୧୫ ତାରିଖରେ ଓରମାସ୍‌ ପକ୍ଷରୁ ଆୟୋଜିତ ଶିଶିର ସରସ ମେଳା ସରିବା ପର ଠାରୁ ଏହି ସ୍ଥିତି ରହିଛି। ବରମୁଣ୍ଡା ୟୁଥ ଆସୋସିଏସନ ପରିଚାଳନା କମିଟିର ପରାମର୍ଶଦାତା ଅକ୍ଷୟ ପାଇକରାୟଙ୍କ ଅନୁସାରେ, ବରମୁଣ୍ଡା ଖେଳ ପଡ଼ିଆଟି କ୍ରୀଡ଼ା ବିଭାଗ ଅଧୀନରେ ଅଛି। କିନ୍ତୁ ଏଠାରେ ଖେଳ କମ ସରକାରୀ, ଘରୋଇ କମ୍ପାନି ଏବଂ ରାଜନୈତିକ ଦଳଙ୍କ କାର୍ଯ୍ୟକ୍ରମ ବେଶି ହୁଏ। କାର୍ଯ୍ୟକ୍ରମ ସରିବା ପରେ କେହି ମଧ୍ୟ ଏହାକୁ ସଫେଇ କରନ୍ତି ନାହିଁ।

ଏସଂକ୍ରାନ୍ତରେ କ୍ରୀଡ଼ା ବିଭାଗକୁ କହିଲେ ମଧ୍ୟ ଲାଭ ହୁଏ ନାହିଁ। ବିଭିନ୍ନ ସମୟରେ ପରିଚାଳନା କମିଟି ପକ୍ଷରୁ ସଫେଇ ଓ ସମତୁଲ କରାଯାଏ। ଶ୍ରୀ ପାଇକରାୟଙ୍କ ଅନୁସାରେ, ୧୯୮୯ ମସିହା ପୂର୍ବରୁ ବରମୁଣ୍ଡା ବସଷ୍ଟାଣ୍ଡ ଜମି ବରମୁଣ୍ଡା ଗାଁ ପଡ଼ିଆ ଥିଲା। କିନ୍ତୁ ଏଠାରେ ବସଷ୍ଟାଣ୍ଡ ନିର୍ମାଣ ପରେ ଲୋକଙ୍କ ଆବଶ୍ୟକତା ଏବଂ ଆନ୍ଦୋଳନକୁ ଦୃଷ୍ଟିରେ ରଖି ୧୯୯୦ ମସିହାରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବର୍ତ୍ତମାନ ବରମୁଣ୍ଡା ପଡ଼ିଆକୁ ଗ୍ରାମବାସୀଙ୍କ ଖେଳ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ସମର୍ପି ଦେଇଥିଲେ। ସେଥିପାଇଁ ପଡ଼ିଆର ନାମ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ ରଖାଯାଇଛି। ଏହାର ସତ୍ତ୍ବାଧିକାର କ୍ରୀଡ଼ା ବିଭାଗକୁ ଦିଆଯାଇଥିଲା। କିନ୍ତୁ ବରମୁଣ୍ଡା ୟୁଥ ଆସୋସିଏସନ ଏହାର ପରିଚାଳନା ଦାୟିତ୍ବରେ ରହିଲା। ଏଠାରେ କ୍ରିକେଟ, ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ, ବରମୁଣ୍ଡା ସମେତ ନିକଟସ୍ଥ ଅଞ୍ଚଳର ସାଂସ୍କୃତିକ ଉତ୍ସବ, ଦୁର୍ଗାପୂଜା ସହିତ ବରମୁଣ୍ଡାସ୍ଥିତ ସରକାରୀ ସ୍କୁଲ ଏବଂ ସରସ୍ବତୀ ଶିଶୁମନ୍ଦିର ବିଦ୍ୟାର୍ଥୀଙ୍କ ଖେଳ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ। ସ୍ଥାନୀୟ ପିଲାମାନେ ଖେଳିବା ସହିତ ବରିଷ୍ଠ ନାଗରିକ ଏଠାକୁ ବୁଲିବା ପାଇଁ ଆସନ୍ତି। କିନ୍ତୁ କିଛି ବର୍ଷ ହେଲା କ୍ରୀଡ଼ା ବିଭାଗ ଏହାକୁ କାର୍ଯ୍ୟକ୍ରମ ଆୟୋଜନର ପଡ଼ିଆ କରି ଭଲ ଆୟ କରୁଛି କିନ୍ତୁ ଏହାର ଉନ୍ନତି ଦିଗରେ କୌଣସି ବ୍ୟବସ୍ଥା କରୁନାହିଁ। କିଛି ଦିନ ପୂର୍ବରୁ ବିଡିଏ ପକ୍ଷରୁ ଏଠାରେ ପାଚେରି କରାଯାଇ ଥିଲା। କର୍ପୋରେଟରଙ୍କ ଅନୁସାରେ, ଶିଶିର ସରସ ପରେ ପଡ଼ିଆର ସଫେଇ ପାଇଁ ଓରମାସ୍‌ର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ସେମାନେ ସଫେଇ ବାବଦର ଅର୍ଥ କ୍ରୀଡ଼ା ବିଭାଗକୁ ଦେଇଥିବା କହିଛନ୍ତି। ବର୍ତ୍ତମାନ ପରିତ୍ୟକ୍ତ ହୋଇ ପଡ଼ିଥିବା ସୁନ୍ଦର ପଡ଼ିଆର ସଫେଇ କିଏ କରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe