ବରମୁଣ୍ଡା ରୁଚିକା ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି, ବିନା ଚାନ୍ଦାରେ ପୂଜା

Advertisment
ବରମୁଣ୍ଡା ରୁଚିକା ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି, ବିନା ଚାନ୍ଦାରେ ପୂଜା

ଭୁବନେଶ୍ବର: ଚାନ୍ଦାର ଜୁଲମ ନାହିଁ। ଅଥଚ ପୂଜାରେ ଆଡ଼ମ୍ବର କମି ଯାଏନି। ପ୍ରଶାସନ ସିନା ଏଇ ଦୁଇ ବ‌ର୍ଷ ହେଲା ଚାନ୍ଦା ଆଦାୟ କରିବା ପାଇଁ କଟକଣା କଡ଼ାକଡ଼ି କଲା। ମାତ୍ର ଦୀର୍ଘ ୨୮ ବର୍ଷ କାଳ ବିନା ଚାନ୍ଦାରେ ପୂଜା ଆୟୋଜନ କରି ଉଦାହରଣ ସାଜିଛି ବରମୁଣ୍ଡା ରୁଚିକା ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି। ପୂଜାର ବଜେଟ୍‌ ୧୦ ଲକ୍ଷ ଅତିକ୍ରମ କରିଛି। ମାତ୍ର ଏଥିପାଇଁ କାହାକୁ ଚାନ୍ଦା ମାଗିବାକୁ ପଡ଼ିନି। ବରଂ ଆପେ ଆସି ‌ଅଞ୍ଚଳବାସୀ ଅନୁଦାନ ରାଶି ଦେଇ ଯାଆନ୍ତି। ସବୁଠୁ ବଡ଼ କଥା ହେଉଛି ପୂଜାରେ ଯାହା ଖର୍ଚ ହୁଏ, ତାହାର ଟିକିନିଖି ହିସାବ ଏକ ବହି ଆକାରରେ ଲୋକଙ୍କ ଅନୁଦାନ ଦେଉଥିବା ଲୋକ ନିକଟରେ ପହଞ୍ଚାଇ ଦିଆଯାଏ। ଏହି ପୂଜା ମଣ୍ଡପର ମା’ଙ୍କ ମୁହଁ ଉତ୍ତର ଦିଗକୁ ରହିଛି। ତେଣୁ ଶାସ୍ତ୍ରମତେ ମା’ ଉତ୍ତରାୟଣୀ। କଥିତ ଅଛି ଉତ୍ତରାୟଣୀଙ୍କ ପାଖରେ ମାନସିକ କଲେ ଭକ୍ତର ମନୋବାଞ୍ଛା ପୂର୍ଣ୍ଣ ହୁଏ। ଏଣୁ ମାନସିକ ରଖିବାକୁ ଚାହୁଥିବା ଭକ୍ତମାନେ ନିଜର ସାଧ୍ୟମତେ ଦକ୍ଷିଣ ସହିତ ଏକ ଛୋଟ କାଗଜରେ ନିଜ ନାମ ଓ ଗୋତ୍ର ନାଲି କାଳିରେ ଲେଖି ମାନସିକ ‌ହୁଣ୍ଡିରେ ପକାଇ ପାରିବେ। ଦଶମୀ ଦିନ ଏହା ମା’ଙ୍କ ପାଦ ତଳେ ଅର୍ପଣ କରାଯିବ ବୋଲି ସମିତିର ସଭାପତି ରବିନାରାୟଣ ମିଶ୍ର କହିଛନ୍ତି। ଏଥିସହ ପୂଜା କମିଟି ପକ୍ଷରୁ ମା’ଙ୍କ ପାଖରେ ଏକ ବଡ଼ ଅଖଣ୍ଡ ଦୀପ ଅହରହ ଜଳିବ ବୋଲି ସମ୍ପାଦକ ମାନସ ପାଢ଼ୀ ଓ କୋଷାଧ୍ୟକ୍ଷ ଡିକେ ଭୂୟାଁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe