ଭୁବନେଶ୍ବର: ଅଣନିଃଶ୍ବାସୀ କରିଦେଲାଣି ବରମୁଣ୍ଡା ଛକ ଟ୍ରାଫିକ୍ ଭିଡ଼। ଦିନରାତି ସବୁବେଳେ ଟ୍ରାଫିକ୍ ଜାମ୍ ଲାଗି ରହୁଛି। ନୋ ଭେଣ୍ଡିଂରେ ଜୋନ୍ରେ ବସିଛି ମାଳମାଳ ଦୋକାନ। ବ୍ରିଜ୍ ତଳେ ଓ ଦୁଇପାର୍ଶ୍ବରେ ରାସ୍ତା ଉପରେ ଦହିବରା, ଆଇସ୍କ୍ରିମ୍, ପୋଷାକଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦୋକାନର ପସରା ମେଲୁଛି। ତଥାପି ନିହଲ ହୋଇ ବସିଛି ଭୁବନେଶ୍ବର ମହାନଗର ନିଗମ। କେଉଁ ଅଦୃଶ୍ୟ ଚାପ ପଡ଼ୁଛି କେଜାଣି କାହାରି ଦେହରେ ହାତ ମାରୁନି। ସେପଟେ ବୋଝ ଉପରେ ନଳିତା ବିଡ଼ା ହୋଇଛି ବସ୍ ରହଣି। ବରମୁଣ୍ଡା ବ୍ରିଜ୍ ତଳ ଓ ଛକରେ ବସ୍ ରହଣିରେ କଟକଣା ଥିଲେ ବି ଏଠାରେ ସବୁ ବସ୍ ରହୁଛି ଓ ଯାତ୍ରୀ ଉଠାଯାଉଛି, ଯାହା ଭିଡ଼କୁ ବଢ଼ାଉଛି ଓ ଟ୍ରାଫିକ୍ ସ୍ଥିତି ଅଣାୟତ କରୁଛି।
ବରମୁଣ୍ଡା ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ୍ ରାଜ୍ୟର ସବୁଠୁ ବଡ଼ ବସ୍ଷ୍ଟାଣ୍ଡ୍। ଦୈନିକ ଏହି ବସ୍ଷ୍ଟାଣ୍ଡ୍କୁ ରାଜ୍ୟ ଓ ରାଜ୍ୟ ବାହାରୁ ୧୫୦୦ରୁ ଅଧିକ ବସ୍ ଚଳାଚଳ କରୁଛି। ଦୈନିକ ୨୦ହଜାରରୁ ଅଧିକ ଯାତ୍ରୀ ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ଉପରେ ନିର୍ଭରଶୀଳ। ସେହି ଅନୁସାରେ ବସ୍ଷ୍ଟାଣ୍ଡ୍ର ନବକଳେବର କରାଯାଇଛି। ବସ୍ ରହଣି ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। କିନ୍ତୁ ବରମୁଣ୍ଡା ବସ୍ଷ୍ଟାଣ୍ଡ୍ରୁ ବାହାରିବା ପରେ ଅବା ବସ୍ଷ୍ଟାଣ୍ଡ୍କୁ ଯିବା ବେଳେ ଯାତ୍ରୀମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ଟ୍ରାଫିକ୍ ଭିଡ଼ରେ ଫସି କଲବଲ ହେଉଛନ୍ତି। ଟ୍ରାଫିକ୍ ଭିଡ଼ରେ ଫସିଲେ ବାହାରିବାକୁ ବହୁ ସମୟ ଲାଗିଯାଉଛି। ଯଦି ଏକାଧିକ ବସ୍ ରାସ୍ତା ଉପରେ ଠିଆ ହୋଇଗଲେ, ପୂରା ରାସ୍ତା ବନ୍ଦ ହୋଇଯାଉଛି।
ମାଡ଼ି ବସିଲେଣି ଉଠା ଦୋକାନୀ
ବସ୍ଷ୍ଟପ୍ ନ ହୋଇ ବି ରହୁଛି ବସ୍
ଦୋକାନ ପାଖରେ ଫିଙ୍ଗୁଛନ୍ତି ଅଳିଆ
ବରମୁଣ୍ଡା ବ୍ରିଜ୍ ଦୁଇପାର୍ଶ୍ବରେ ରାସ୍ତା ଉପରେ ବେପାର କରିବା ଅବା ଦୋକାନ ଖୋଲିବାରେ କଟକଣା ରହିଛି। କିନ୍ତୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏନ୍ଫୋର୍ସମେଣ୍ଟ ଠିକ୍ରେ ହେଉନଥିବାରୁ ଉଭୟ ବରମୁଣ୍ଡା-ଖଣ୍ଡଗିରି ରାସ୍ତା ଓ ବରମୁଣ୍ଡା-ଫାୟାର ଷ୍ଟେସନ୍ ରାସ୍ତାରେ ଦୋକାନୀମାନେ ମନଇଛା ଦୋକାନ ପକାଇ ରାସ୍ତା ଅବରୋଧ କରି ରଖୁଛନ୍ତି। ସକାଳୁ ସକାଳୁ ରାସ୍ତା ଉପରେ ଉଠା ଦୋକାନୀଙ୍କ ଲମ୍ବାଧାଡ଼ି ଲାଗୁଛି। ଏଣୁ ଯେଉଁ ଲୋକେ ଏହି ଦୋକାନକୁ ଯାଉଛନ୍ତି, ସେମାନେ ରାସ୍ତା ଉପରେ ଗାଡ଼ି ପାର୍କିଂ କରି ରାସ୍ତା ଅବରୋଧ କରୁଛନ୍ତି। ସେପଟେ ଦୋକାନୀମାନେ ଦୁଇ ରାସ୍ତାକୁ ଏତେ ଆବର୍ଜନାମୟ କରୁଛନ୍ତି ଯେ ଆଗନ୍ତୁକମାନେ ଏହା ଦେଖି ନାକ ଟେକୁଛନ୍ତି। ପାନଛେପଠାରୁ ଆରମ୍ଭ କରି ଖାଦ୍ୟପେୟର ବଳକା ଉଚିଷ୍ଟ ସବୁ ରାସ୍ତାକୁ ଆବର୍ଜନାମୟ କରି ଦେଉଛି।
ଅପରପକ୍ଷେ ବରମୁଣ୍ଡା ବସ୍ଷ୍ଟାଣ୍ଡ୍ର ନବକଳେବର ପରେ ବରମୁଣ୍ଡା ଛକ ବ୍ରିଜ୍ ନିକଟରେ ବସ୍ ରହଣି ଉପରେ କଟକଣା ଲଗାଯାଇଥିଲା। ଏପରିକି ଖଣ୍ଡଗିରି ପାର୍ଶ୍ବକୁ ଯାଉଥିବା ଗାଡ଼ି ବାମପାର୍ଶ୍ବକୁ ବୁଲି ବ୍ରିଜ୍ ଉପର ଦେଇ ଯିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କିନ୍ତୁ କେହି ଏହି ନିୟମ ମାନୁନାହାନ୍ତି। ଖଣ୍ଡଗିରି ପାର୍ଶ୍ବକୁ ଯାଉଥିବା ଗାଡ଼ି ସିଧାସଳଖ ବ୍ରିଜ୍ ତଳେ ଯାଉଛନ୍ତି ଓ ଭିଡ଼ ବଢ଼ାଉଛନ୍ତି। ଯାତ୍ରୀଙ୍କୁ ଉଠାଇବା ପାଇଁ ଛିଡ଼ା ହୋଇ ରହୁଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ସେପଟେ ପୁରୀ, କଟକ, ଭଦ୍ରକ, ଯାଜପୁର, ବାଲେଶ୍ବର ଆଦି ସ୍ଥାନକୁ ଯାଉଥିବା ଗାଡ଼ି ବାମପାର୍ଶ୍ବକୁ କଟି ବୁଲାଣି ଜାଗାରେ ଗାଡ଼ି ଛିଡ଼ା କରୁଛନ୍ତି। ଗୋଟିଏ ଜାଗାରେ ଏକାଧିକ ଗାଡ଼ି ଛିଡ଼ା ହେଉଛି। ଯାହା ଭିଡ଼ ବଢ଼ାଇବା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି। ଯେହେତୁ ଏକାଧିକ ବସ୍ ରାସ୍ତା ଉପରେ ଛିଡ଼ା ହେଉଛି, ପଛରୁ ଆସୁଥିବା ଚାରିଚକିଆ, ଅଟୋ, ଦୁଇଚକିଆ ଆଦି ରାସ୍ତାରେ ଯା’ଆସ କରି ନପାରି ଠିଆ ହେଉଛନ୍ତି। ଏହା ଜଟିଳ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି। ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ବରମୁଣ୍ଡା ଗାଁ ଲୋକଙ୍କ ସହ ଯାତ୍ରୀମାନେ ଦାବି କରିଛନ୍ତି।
Follow Us