୨୧ଦିନ ଲକ୍‌-ଡାଉନ୍‌ ଘୋଷଣା ପରେ ବିଭିନ୍ନ ଛକରେ ବାରିକେଡ୍ ଲଗାଇଲା ପୁଲିସ

ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ କଟକଣାମୁକ୍ତ, ଦିନସାରା ଖୋଲା ରହିବ, ୨୪ ଘଣ୍ଟାରେ ଧରାପଡ଼ିଛନ୍ତି ୨୫୫ ଉଲ୍ଲଂଘନକାରୀ

୨୧ଦିନ ଲକ୍‌-ଡାଉନ୍‌ ଘୋଷଣା ପରେ ବିଭିନ୍ନ ଛକରେ ବାରିକେଡ୍ ଲଗାଇଲା ପୁଲିସ

ଭୁବନେଶ୍ବର : ସାରା ଦେଶରେ ୨୧ଦିନ ଲକ୍‌-ଡାଉନ୍‌ ଘୋଷଣା ହୋଇଥିବା ବେଳେ ସବୁଆଡ଼େ କଡ଼ା କଟକଣା। ରାଜଧାନୀ ଭୁବନେଶ୍ବରରେ କମିସନରେଟ୍‌ ପୁଲିସ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଥିବା ବେଳେ କିଛି ଲୋକ ଅମାନିଆ ହେଉଛନ୍ତି। ବିନା କାମରେ ଗାଡ଼ି ଧରି ସହର ଭିତରେ ବୁଲୁଛନ୍ତି। ସହରକୁ ସଂଯୋଗ କରୁଥିବା ସବୁ ରାସ୍ତାକୁ ବାରିକେଡ୍ ଲଗାଇ ନାକାବନ୍ଦୀ କରିଛି କମିସନରେଟ୍‌ ପୁଲିସ। ରସୁଲଗଡ଼, ଖଣ୍ଡଗିରି, ଉତ୍ତରା, ଟଙ୍କପାଣି ବ୍ରିଜ୍ ରାସ୍ତାରେ ଲାଗିଛି ବାରିକେଡ୍। ସେହିପରି ସହର ଭିତରେ ରାଜଭବନ ଛକ, ଏଜି ଛକ, ରୁପାଲି ଛକ, ଶିଶୁଭବନ ଛକ, ଜୟଦେବ ବିହାର ଭଳି ରାସ୍ତାରେ ବାରିକେଡ୍ ଲଗାଇ ପୁଲିସ ତନ୍ନତନ୍ନ କରି ଯାଞ୍ଚ କରୁଛି। ଯେଉଁ ଗାଡ଼ି ଚାଳକଙ୍କ ପାଖରେ ଉପଯୁକ୍ତ କାଗଜପତ୍ର ନାହିଁ, ସେମାନଙ୍କୁ ପୁଲିସ ଛାଡ଼ୁନାହିଁ। ଅମାନିଆ ଗାଡ଼ି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଜରିମାନା କରାଯିବା ସହ ଗାଡ଼ି ଜବତ କରୁଛି ପୁଲିସ। ଦିନବେଳା ପୁଲିସ ଚେକିଂ ଓ ପାଟ୍ରୋଲିଂକୁ କଡ଼ାକଡ଼ି କରିଦେଇଛି। ବିନା କାମରେ ବାଇକ୍ ଧରି ପୁଲିସକୁ ହଇରାଣ ହରକତ କରିଥିବା ଯୁବକମାନଙ୍କ ବିରୋଧରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଅତ୍ୟାବଶ୍ୟକ ସାମଗ୍ରୀ ନ ଥାଇ ଜଳଖିଆ, ପାନ, ଗୁଟଖା ବିକ୍ରି କରୁଥିବା କିଛି ଦୋକାନରେ ଗହଳି ହେଉଥିବାରୁ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେହି ଦୋକାନଗୁଡ଼ିକୁ ବନ୍ଦ କରି ଦେଇଛି ପୁଲିସ।

ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ କଟକଣାମୁକ୍ତ, ଦିନସାରା ଖୋଲା ରହିବ
ଭୁବନେଶ୍ବର-କଟକ ସହର ବାସିନ୍ଦାଙ୍କ ପାଇଁ ଖୁସି ଖବର। ତେଜରାତି, ପନିପରିବା, ଦୁଗ୍ଧ, ଅଣ୍ଡା, ମାଛ, ମାଂସ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ପାଇଁ ଆଉ କଟକଣା ନାହିଁ। ସେମାନେ ନିଜ ଇଚ୍ଛା ଅନୁସାରେ ଦୋକାନ ଖୋଲିପାରି‌ବେ। ଦିନସାରା ଦୋକାନ ଖୋଲା ରହିଲେ ଗ୍ରାହକଙ୍କ ଭିଡ଼ କମିବା ସହ ସୁରୁଖୁରରେ ସାମଗ୍ରୀ ନେଇପାରିବେ ବୋଲି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

୨୪ ଘଣ୍ଟାରେ ଧରାପଡ଼ିଛନ୍ତି ୨୫୫ ଉଲ୍ଲଂଘନକାରୀ
ଭୁବନେଶ୍ବର : ଚାରି ଦିନ ହେବ ସମଗ୍ର ରାଜ୍ୟରେ ବଳବତ୍ତର ରହିଛି ‘ତାଲା ବନ୍ଦ’। ସମସ୍ତ ବ୍ୟବସ୍ଥା ସତ୍ତ୍ବେ କେତେକ ଏହି ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରୁଥିବା ଲକ୍ଷ୍ୟ କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫୫ ଜଣ ଉଲ୍ଲଙ୍ଘନକାରୀ ଧରା ପଡ଼ିଛନ୍ତି। ଏଥିରୁ ୨୪୩ଟି ତାଲା ବନ୍ଦ ଉଲ୍ଲଂଘନ ହୋଇଥିବା ବେଳେ ୫ଟି ଗୃହ ସଂଗରୋଧ ଓ ୭ଟି ଅନ୍ୟାନ୍ୟ ଉଲ୍ଲଂଘନ ହୋଇଥିବା ରେକର୍ଡ କରାଯାଇଛି। ଗତକାଲି ୧୪୯ ଉଲ୍ଲଂଘନକାରୀ ଧରା ପଡ଼ିଥିଲେ। ଆଜି ଉଲ୍ଲଂଘନକାରୀଙ୍କ ସଂଖ୍ୟା ବଢ଼ିଛି। ଗତକାଲି କାର୍ଯ୍ୟାନୁଷ୍ଠାନ ସହ ବିଭିନ୍ନ ସ୍ଥାନରେ ଉଲ୍ଲଂଘନକାରୀଙ୍କୁ ପୁଲିସ ପିଟୁଥିବା ଦେଖା ଯାଇଥିଲା। କେତେକ ଜାଗାରେ ଉଲ୍ଲଂଘନକାରୀଙ୍କୁ ବସ୍‌ ଉଠ୍‌ କରାଯାଇଥିଲା। ଏସବୁ ସତ୍ତ୍ବେ ଉଲ୍ଲଂଘନକାରୀଙ୍କ ସଂଖ୍ୟା କମି ନ ଥିଲା। ଲୋକ ବିନା କାରଣରେ ଘରୁ ବାହାରକୁ ଆସୁଥିଲେ। ବଡ଼ କଥା ହେଲା, ଯେଉଁମାନେ ଗୃହ ସଂଗରୋଧ‌ରେ ରହିଥିଲେ ସେମାନଙ୍କ ମଧ୍ୟରୁ କେତେକ ମଧ୍ୟ ବାହାରକୁ ଚାଲି ଆସିଥିବା ପରିଲକ୍ଷିତ ହୋଇଥିଲା। ଯାହାକୁ ନେଇ ପୁଲିସ ଚିନ୍ତାରେ ପଡ଼ିଥିଲା। ତେବେ ସେମାନଙ୍କୁ ତୁରନ୍ତ ଫେରାଇ ନିଆଯାଇଥିବା ଓଡ଼ିଶା ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe