ଦୃଢ଼ ଇଚ୍ଛାଶକ୍ତି ରାଜନେତାଙ୍କ ଆଦର୍ଶ ହେଉ: ନିରଞ୍ଜନ

ବସନ୍ତ ବିଶ୍ୱାଳଙ୍କ ପଞ୍ଚଦଶ ଶ୍ରାଦ୍ଧ ଦିବସ

ଦୃଢ଼ ଇଚ୍ଛାଶକ୍ତି ରାଜନେତାଙ୍କ ଆଦର୍ଶ ହେଉ: ନିରଞ୍ଜନ

ଭୁବନେଶ୍ୱର: ଶାସନ ଘୋଡ଼ା ଭଳି। ସେ ଶାସନ ଘୋଡ଼ାରେ ବସି ଲଗାମକୁ ଶକ୍ତ ଭାବେ ଧରିବାର କ୍ଷମତା ଜଣେ ରାଜନେତାର ରହିବା ଦରକାର। ବସନ୍ତ ବିଶ୍ୱାଳ ଘୋଡ଼ାରେ ବସି ଲଗାମ୍‌ ଧରି ପାରୁଥିଲେ। ସେ କେବେ ଘୋଡ଼ାର ତଳେ ଠିଆ ହୋଇ ଲଗାମ ଧରିବା ଶିଖି ନଥିଲେ ଏବଂ ଶାସନକୁ ନିଜ ନିୟନ୍ତ୍ରଣରେ ରଖି ପାରିବାର କଳା ତାଙ୍କୁ ଭଲ ଭାବେ ଜଣାଥିଲା ବୋଲି ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଆଜି ଜୟଦେବ ଭବନ ପରିସରରେ ଆୟୋଜିତ ପୂର୍ବତନ ମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ପଞ୍ଚଦଶ ଶ୍ରାଦ୍ଧ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ବସନ୍ତ ବିଶ୍ୱାଳଙ୍କୁ ଜଣେ ଶକ୍ତିଶାଳୀ ନେତା ଭାବେ ବର୍ଣ୍ଣନା କରିଥିଲେ। ତାଙ୍କର ଦୃଢ଼ ଇଚ୍ଛାଶକ୍ତି ଆଗରେ କୌଣସି କାର୍ଯ୍ୟ ଅଟକି ରହି ପାରୁ ନଥିଲା। ଏଭଳି ଇଚ୍ଛାଶକ୍ତି ରାଜନେତାଙ୍କ ଆଦର୍ଶ ହେବା ଉଚିତ୍‌। କଂଗ୍ରେସ ସରକାର ଅମଳରେ ରାଜ୍ୟରେ ଯେତେ ଜଳସେଚନ ଯୋଜନା କାର୍ଯ୍ୟକାରୀ ହୋଇଥିଲା, ସେସବୁ ଆଜି ଯାଏ ଶେଷ ହୋଇ ପାରୁ ନାହିଁ। ଆଜି ସରକାରଙ୍କ ନିକଟରେ ଅର୍ଥର ଅଭାବ ନାହିଁ। କଂଗ୍ରେସ ଯେତେବେଳେ ଶାସନରେ ଥିଲା ସେତେବେଳେ ଓଡ଼ିଶାର ଆର୍ଥିକ ସ୍ଥିତି ସେତେ ଭଲ ନଥିଲା। ତଥାପି କଂଗ୍ରେସ କାର୍ଯ୍ୟକାଳ ସମୟରେ ବହୁ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆ ଯାଇ ପାରିଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ମୁଖ୍ୟବକ୍ତା ଭାବେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ ବସନ୍ତ ବିଶ୍ୱାଳଙ୍କୁ ଜଣେ କର୍ମଯୋଗୀ ଭାବେ ବର୍ଣ୍ଣନା କରିଥିଲେ। ସ୍ୱର୍ଗତ ବିଶ୍ୱାଳ ଜଣେ କର୍ମବୀର ଥିଲେ। ସେ ବାକ୍ୟବୀର ନଥିଲେ। ସେ କେବଳ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ନେତା ନଥିଲେ, ସାରା ଓଡ଼ିଶାର ନେତା ଥିଲେ। କଟକଠାରୁ ଆରମ୍ଭ କରି ସମ୍ବଲପୁରରେ ମହାନଦୀ ରିଙ୍ଗ୍‌ ରୋଡ୍‌ ନିର୍ମାଣ ଏହାର ଜ୍ୱଳନ୍ତ ଉଦାହରଣ ବୋଲି ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ମନୋଜ ଝା, ବରିଷ୍ଠ କଂଗ୍ରେସ ନେତା ପ୍ରଫେସର କୈଳାସ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ପ୍ରମୁଖ ଯୋଗଦେଇ ବସନ୍ତ ବିଶ୍ୱାଳଙ୍କୁ ଓଡ଼ିଶାର ନିର୍ମାଣର ପ୍ରମୁଖ କାରିଗର ଭାବେ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ବିଶିଷ୍ଟ ସ୍ତମ୍ଭକାର ଓ ସାହିତ୍ୟିକ ଡ.ଗୌରାଙ୍ଗ ନାୟକ, ବିଶିଷ୍ଟ ସମବାୟବିତ୍‌ ହେମନ୍ତ ନାୟକ, ସ୍କାଉଟ ଗାଇଡ ସଂଗଠକ ନମିତା ପଟ୍ଟନାୟକ, କ୍ରିକେଟର୍‌ ରାଜେଶ କୁମାର ମହାନ୍ତି ପ୍ରମୁଖଙ୍କୁ ସମ୍ବର୍ଧିତ କରାଯାଇଥିଲା। ସେହିଭଳି ଚଳିତ ୨୦୧୮ ମାଟ୍ରିକ୍‌ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା ଢେଙ୍କାନାଳ ଜିଲ୍ଲା ଭୁବନ ଉଚ୍ଚ ବିଦ୍ୟାଳୟର ଛାତ୍ର ସୁଦୀପ ସୁଦର୍ଶନ ରଣା ଏବଂ ଜଗତସିଂହପୁର ଜିଲ୍ଲାର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe