ଖଣ୍ଡଗିରି: ଖଣ୍ଡଗିରି ଯାତ୍ରା ଯୁଦ୍ଧର ଅନ୍ତିମ ପର୍ଯ୍ୟାୟ ଲଢ଼େଇ ବେଶ୍ ଜୋର୍ଦାର ହେଉଛି। ଆଜି ରବିବାରିଆ ଭିଡ଼ ଭିତରେ ଦ୍ବିତୀୟ ରାତି ପାଇଁ ଛଅକୁ ଛଅ ପେଣ୍ଡାଲ୍ରେ ପ୍ରଥମ ରାତିର ନାଟକ ପୁଣି ମଞ୍ଚସ୍ଥ ହୋଇଛି। ମହତାବ ପେଣ୍ଡାଲ୍ରେ ତୁଳସୀ ଗଣନାଟ୍ୟ ଗତବର୍ଷର ବହୁ ଚର୍ଚ୍ଚିତ ନାଟକ ‘ଅଧା ରାତିର ସାଥୀ’ ପୁଣି ଦର୍ଶକଙ୍କୁ ବାଇଆ କରୁଛି। ଗତକାଲି ଡବଲ୍ ସୋ’ ପରେ ବି ଆଜି ପୁଣି ଏହି ଭିନ୍ନ ସ୍ବାଦର ନାଟକଟି ଦର୍ଶକଙ୍କୁ ଟାଣିନେଇଥିଲା। ଏଥରର ସ୍ଥିତି ଯାହା, ତୁଳସୀ ଏହି ନାଟକ ବଦଳାଇବ ନାହିଁ। ପୀୟୂଷଙ୍କ ଦମ୍ଦାର ଅଭିନୟ ଦର୍ଶକଙ୍କୁ ସତେ ଯେମିତି ଯାଦୁ କରିଛି। ସେହିଭଳି ଘାଟିକିଆ ସନାତନ ସେବା ସମିତି ପେଣ୍ଡାଲ୍ରେ ସୂର୍ଯ୍ୟ ମନ୍ଦିର ‘ତୁ ରାଜା ଝିଅ, ମୁଁ ରିକ୍ସା ବାଲା’ ମଞ୍ଚସ୍ଥ କରିଛି। ପ୍ରେମ କାହାଣୀ ଆଧାରିତ ଏହି ନାଟକର କାହାଣୀ ଦର୍ଶକଙ୍କ ମନଛୁଆଁ ହୋଇପାରିଛି। କିନ୍ତୁ ମଇଦାନରେ ବେଶି ଚର୍ଚ୍ଚାରେ ଅଛନ୍ତି କହ୍ନେଇ ଦାସ ଓ ଗଉରା ଦାସ। ଜାଗମରା ଇନ୍ଦିରା ସାଂସ୍କୃତିକ ମଣ୍ଡପରେ ଶିବାନୀ ଗଣନାଟ୍ୟର ‘ଗାନ୍ଧୀ ଭୂମିକାରେ କହ୍ନେଇ ଦାସ’ ଓ ଜୟଦୂର୍ଗା ମଣ୍ଡପରେ ସ୍ବପ୍ନ ମହଲର ‘କେତେ କାନ୍ଦିବୁରେ ଗଉରା ଦାସ’ ଯାତ୍ରା ଖଟିରେ ଆସ୍ଥାନ ଜମାଇଛି। ଗୋଟିଏ ମଞ୍ଚରେ କହ୍ନେଇର ସଂଳାପ ଦର୍ଶକଙ୍କ ଭିତରେ ଯେତିକି ଶିହରଣ ଖେଳାଉଛି, ଅନ୍ୟ ମଞ୍ଚରେ ଗଉରା ଦାସ ନିଜେ କାନ୍ଦିକାନ୍ଦି ଦର୍ଶକଙ୍କୁ ସେତିକି କନ୍ଦାଉଛି। ମା’ ମଙ୍ଗଳା ମଣ୍ଡପରେ ସ୍ବର୍ଣ୍ଣ ମହଲର ‘କେତେ ଦୁଃଖ ଦେବୁ ଦେ ରେ କାଳିଆ’ ଏବଂ ସାଈ ନୀଳାଦ୍ରି ମଞ୍ଚରେ ରଙ୍ଗ ମହଲର ‘ଜହ୍ନରେ ତୋଳିବି ଘର’ କିଛି କମ୍ ଚର୍ଚ୍ଚାରେ ନାହିଁ। ରବିବାରିଆ ରାତି ପାଇଁ ସବୁ ମଞ୍ଚ ହାଉସ୍ଫୁଲ୍ ଥିଲା।
ପାହାଡ଼ ଉପରେ ଖାଁ ଖାଁ, ତଳେ ମେଳା ଭିଡ଼
ଆଜି ଖଣ୍ଡଗିରି ପାହାଡ଼ ଉପର ଖାଁ ଖାଁ ଲାଗୁଥିଲା। ଯେଉଁଠି ମନ୍ତ୍ରଧ୍ବନିରେ ଗିରିଗହ୍ବର ଗୁଞ୍ଜରିତ ହେଉଥିଲା, ଭଜନ ଓ ନାମ ସଂକୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହେଉଥିଲା, ଆଜି ସେଠାରେ ଗଭୀର ନିରବତା ବିରାଜମାନ କରିଥିଲା। ଆଜି ଆଉ ନ ଥିଲା ହୋମଯଜ୍ଞ, ନାମ ସଂକୀର୍ତ୍ତନ, ଭାଗବତ ଗୀତାପାଠ, ରାମଚରିତ ମାନସ ପାରାୟଣ ପରି ଆଧ୍ୟାତ୍ମିକ ପରିବେଶ। କିନ୍ତୁ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ରେ ପର୍ଯ୍ୟଟକଙ୍କ ଭିଡ଼ ପୂର୍ବ ଭଳି ଥିଲା। ଅନ୍ୟପକ୍ଷରେ ପାହାଡ଼ ତଳେ ମେଳା ଭିଡ଼ କିଛି କମ୍ ନ ଥିଲା। ରବିବାର ଯୋଗୁଁ ଅପରାହ୍ଣ ୩ଟା ପରଠାରୁ ମେଳାରେ ଅସମ୍ଭାଳ ଭିଡ଼ ଜମିଥିଲା।
‘ରଙ୍ଗେଇ ଲୁଣ୍ଡା’କୁ ଟକ୍କର ଦେଉଛି ‘ରିମ୍ଝିମ୍ ପାଣି’
ଏଥର ମେଲାଡି ପର୍ଯ୍ୟାୟରେ ଦୁଇଟି ଗୀତ ବେଶ୍ ହିଟ୍ କରୁଥିବା ଚର୍ଚ୍ଚା ହେଉଛି। ‘ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ’ ବହୁ ମଞ୍ଚରେ ଧୁମ୍ ମଚାଉଛି। ସେହିଭଳି ‘ରିମ୍ଝିମ୍ ପାଣି’ ଗୀତରେ ନୃତ୍ୟଶିଳ୍ପୀମାନଙ୍କ ଜଲୱା ଦର୍ଶକଙ୍କୁ ଝୁମାଉଛି। ପ୍ରାୟ ସବୁ ମଞ୍ଚରେ ଦେଶାତ୍ମବୋଧକ ସଂଗୀତ ବି ଦର୍ଶକଙ୍କ ମନ କିଣିପାରୁଛି। ପୂର୍ବ ଭଳି ସର୍କସ ଷ୍ଟଣ୍ଟ୍ ସୋ’ ମଧ୍ୟ ପ୍ରାୟ ସବୁ ପେଣ୍ଡାଲର ଆକର୍ଷଣ ହୋଇରହିଛି।
ସକାଳୁ ସରିଗଲା, ସଂଜକୁ ମିଳିଲାନି ଟିକଟ
ଆଜି ସକାଳ ୯ଟାରୁ ୧୧ଟା ଭିତରେ ସବୁ ପେଣ୍ଡାଲ୍ର ଟିକଟ ସରିଯାଇଥିଲା। ସଂଜ ବେଳକୁ କୌଣସି ପେଣ୍ଡାଲ୍ର ଟିକଟ ମିଳୁନଥିଲା। ମହତାବ ମଞ୍ଚ ଭଳି କିଛି ପେଣ୍ଡାଲ୍ରେ ଭୋର୍ ୩ଟାରୁ ଟିକଟ କିଣିବାକୁ ଲାଗିଥିଲା ଲମ୍ବା ଧାଡ଼ି। କାଉଣ୍ଟର୍ ସକାଳ ୮ଟା ବେଳକୁ ଖୋଲିବାକୁ ଥିଲେ ବି ଲୋକେ ରାତିରୁ ଲାଇନ୍ ଲଗାଇଥିଲେ। ସି ଓ ଡି ଶ୍ରେଣୀ ଟିକଟର ଚାହିଦା ବେଶି ଥିଲା। କିନ୍ତୁ ସେହି ଦୁଇ ଶ୍ରେଣୀ ସରିଯିବା ପରେ ଧାଡ଼ିରେ ଥିବା ଯାତ୍ରାପ୍ରେମୀମାନେ ଯାହା ପାଇଲେ, ତାହା କିଣିନେଲେ। କିଛି ଦର୍ଶକ ସି ଓ ଡି ଶ୍ରେଣୀ ଟିକଟ ପାଇଁ ୫୦ରୁ ୧୦୦ ଟଙ୍କା ଅଧିକ ଗଣିବାକୁ ପ୍ରସ୍ତୁତ ଥିଲେ। ସଂଜ ବେଳକୁ ବହୁ ଦର୍ଶକ ନିରାଶ ହୋଇଥିଲେ। ଦୂରରୁ ଆସିଥିବା ବହୁ ଦର୍ଶକ ଟିକଟ ନପାଇ ବଡ଼ ବ୍ୟାକୁଳ ହୋଇଥିଲେ। ଏମିତିକି ବ୍ଲାକ୍ରେ କିଛି ଟଙ୍କା ଅଧିକ ଗଣିବାକୁ ବି ସେମାନେ ଖୋଲାଖୋଲି କହି ବୁଲୁଥିଲେ। କିଛି ଦର୍ଶକ ତ କାଉଣ୍ଟର ଛାଡ଼ି ଯାଉନଥିଲେ। କାଳେ କେହି ବ୍ଲାକର୍ ଜୁଟିଯିବା ଆଶାରେ ସେମାନେ ଟିକଟ ଘର ନିକଟରେ ଲସରପସର ହେଉଥିଲେ। କିଛି ଦର୍ଶକ ରାତି ୨ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ରାତି ୨ଟା ପରେ ବିନା ଟିକଟରେ ପଶି ପଛରେ ଠିଆ ହୋଇ ନାଟକ ଦେଖିଥିଲେ।
Follow Us