ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉନ୍ନତୀକରଣ ପାଇଁ ବଜାର ମୂଲ୍ୟରେ ଜମି ଅଧିଗ୍ରହଣ ହେବ

Advertisment
ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉନ୍ନତୀକରଣ ପାଇଁ ବଜାର ମୂଲ୍ୟରେ ଜମି ଅଧିଗ୍ରହଣ ହେବ

New Indian Express

ଭୁବନେଶ୍ବର: ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ଜୋରଦାର୍ ପ୍ରସ୍ତୁତି କରୁଛନ୍ତି। ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ଶେଷ ହୋଇଛି। ଏବେ ରାସ୍ତା ପ୍ରଶସ୍ତୀକରଣ, ନୂଆ ରାସ୍ତା ଖୋଲିବା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ଜମି ଅଧିଗ୍ରହଣ ହେବ। ତେଣୁ ଏହି ଜମି କିପରି ଅଧିଗ୍ରହଣ ହେବ ସେନେଇ ଆଜି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ, ବଜାର ଦର ଅନୁଯାୟୀ ଲୋକଙ୍କୁ ଅର୍ଥ ଦେଇ ଜମି ଅଧିଗ୍ରହଣ ହେବ।

ଆଜି ସଂଧ୍ୟାରେ ବିଡିଏ କାର୍ଯ୍ୟାଳୟରେ ବସିଥିବା ବୈଠକରେ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉନ୍ନତୀକରଣ ପାଇଁ ପ୍ରସ୍ତୁତ ହୋଇଥିବା ନକ୍ସାକୁ ଅଧିକାରୀମାନଙ୍କ ଆଗରେ ଉପସ୍ଥାପନ କରାଯାଇଥିଲା। ପ୍ରସ୍ତୁତ ହୋଇଥିବା ବ୍ଲୁ ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ହେଲେ କେତେ ଜମି ଅଧିଗ୍ରହଣ ହେବ ଏବଂ କିପରି ହେବ ସେନେଇ ଆଲୋଚନା ହୋଇଥିଲା। ପୁରୀ ଭଳି ଏଠାରେ ଜମି ଅଧିଗ୍ରହଣ ହେବାକୁ ଥିଲେ ହେଁ ପୁରୀ ତୁଳନାରେ ଭୁବନେଶ୍ବରରେ ଜମିର ମୂଲ୍ୟ ଅଧିକ ଥିବାରୁ ଜମି ଅଧିଗ୍ରହଣ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହେବ ତାହାର ଏକ ଆନୁମାନିକ ମୂଲ୍ୟ ଧାର୍ଯ୍ୟ ହୋଇଥିଲା। ଏନେଇ କେବେ ବିଜ୍ଞପ୍ତି ପ୍ରକାଶ ପାଇବ, କେତେ ଲୋକ ପ୍ରଭାବିତ ହେବେ, କେତେ ଘର ଭଙ୍ଗା ହେବ, ଲୋକ କିପରି ସହଜରେ ଲିଙ୍ଗରାଜଙ୍କ ଉଦ୍ଦେଶ୍ୟରେ ଜମି ଦାନ କରିବେ, ସରକାର କେତେ ଟଙ୍କା ଦେବେ, ଯେଉଁମାନଙ୍କ ଘର ଭଙ୍ଗା ହେବ ସେମାନଙ୍କୁ କେଉଁଠି ଘର ଯୋଗାଇ ଦିଆଯିବ ଏବଂ କେଉଁଠି ଜମି ଯୋଗାଇ ଦିଆଯିବ, କେତେ ଜମି ଅଧିଗ୍ରହଣ କଲେ କେତେ ଜମି ଯୋଗାଇ ଦିଆଯିବ ସେନେଇ ସବିଶେଷ ଆଲୋଚନା ହୋଇଥିଲା। ଆଜିର ବୈଠକରେ ହୋଇଥିବା ନିଷ୍ପତ୍ତି ନେଇ ଖୁବ୍‌ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇ ଦିଆଯିବ। ଏହାପରେ ମୁଖ୍ୟମନ୍ତ୍ରୀ ଏକାମ୍ର କ୍ଷେତ୍ରର ଉନ୍ନତୀକରଣ ନେଇ ପ୍ୟାକେଜ୍ ଘୋଷଣା କରିବା ସହ ପୂରା ବ୍ଲୁ ପ୍ରିଣ୍ଟ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe