Republic World
ଭୁବନେଶ୍ୱର: ରାତି ଅଧରେ ରାସ୍ତା କଡ଼ରେ ଲୁଚି ଲୁଚି ଆବର୍ଜନା ଗଦା କରୁଥିଲେ ସାବଧାନ। ଏଥର ରାତିରେ ସଫା ହେବ ଗଳିକନ୍ଦି। ପ୍ରାଥମିକ ପର୍ଯ୍ୟାୟରେ ୪୦ ଓ ୫୩ ନମ୍ବର ୱାର୍ଡରୁ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି। ପରେ ଏଭଳି ସମସ୍ତ ୱାର୍ଡରେ କରିବା ପାଇଁ ଯୋଜନା କରୁଛି ବିଏମ୍ସି। ଏ ନେଇ ଆଜି ପରିମଳ ବ୍ୟବସ୍ଥାରେ ସାମିଲ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ କମିସନର ବିଜୟ ଅମୃତା କୁଲାଙ୍ଗେ ଆଲୋଚନା କରିବା ସହ ରାତି ଅଧରେ ରାସ୍ତା କଡ଼ରେ ଆବର୍ଜନା ଗଦାକଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।
ପ୍ରତି ଅଞ୍ଚଳରେ ସକାଳେ ସଫେଇ କରାଯାଉଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଆବର୍ଜନା ପଡ଼ି ରହିବା ଫଳରେ ଏକ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ତା ଛଡ଼ା ଲୋକମାନେ ରାତିଅଧିଆ ଆବର୍ଜନା ବାହାରେ ଗଦା କରିଦେଉଛନ୍ତି। ଭଳି ଅନେକ ଅଭିଯୋଗ ଆସିବା ପରେ ବିଏମ୍ସି ରାତିରେ ସଫେଇ କରିବାକୁ ଯୋଜନା କରିଛି।
ବ୍ୟବସାୟୀ ଓ ସାଧାରଣ ଲୋକ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ରଖିବା ପାଇଁ ଦୁଇଟି ଡଷ୍ଟବିନ୍ ବ୍ୟବହାର କରିବେ। ବିଏମ୍ସି ପକ୍ଷରୁ ଯାଉଥିବା ଗାଡ଼ିରେ ଆବର୍ଜନା ଦେବେ। ଏଥିରେ ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଉଛି।
ଏହି ଦୁଇଟି ୱାର୍ଡ ଅଧୀନରେ ଫରେଷ୍ଟ ପାର୍କ, ୟୁନିଟ୍-୨, ୟୁନିଟ୍-୩ ସରକାରୀ କ୍ୱାର୍ଟର୍ସ, ମାର୍କେଟ ବିଲ୍ଡିଂ ଏରିଆ, ଯଯାତି ହୋଟେଲ, ଆର୍ବିଆଇ, ଏସ୍ବିଆଇ, ପିଏମ୍ଜି, ୧ ନମ୍ବର ହାଟ, କମଳା ନେହରୁ ମହିଳା ମହାବିଦ୍ୟାଳୟ, ୟୁନିଟ୍-୧ ଏସ୍ବିଆଇ, କ୍ୟାପିଟାଲ୍ ଥାନା, ମହିଳା ଥାନା, କୁକୁଟେଶ୍ୱର ମନ୍ଦିର ଓ ପଳାସପଲ୍ଲୀ ଅଞ୍ଚଳ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ, ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ ସାହୁ, ଜାଗୃତି ୱେଲ୍ଫେୟାର ଆସୋସିଏସନ ପ୍ରତିନିଧିଙ୍କ ସମେତ ପରିମଳ କର୍ମଚାରୀମାନେ ଉପସ୍ଥିତ ଥିଲେ।
Follow Us