ବରମୁଣ୍ଡାରେ ଭାଲୁ ଖାଇଗଲା କୁକୁଡ଼ା

ବରମୁଣ୍ଡାରେ ଭାଲୁ ଖାଇଗଲା କୁକୁଡ଼ା

ଖଣ୍ଡଗିରି: ବରମୁଣ୍ଡାରେ ଭାଲୁ ଆତଙ୍କ। ଗତ ସୋମବାର ରାତିରେ ଭାଲୁଟି ଜଣେ ବ୍ୟକ୍ତିଙ୍କ ଘରେ ପଶି ଦୁଇଟି କୁକୁଡ଼ା ମାରି ଖାଇ ଦେଇଛି। ଭାଲୁକୁ ପରିବାର ଲୋକେ ଦେଖିଥିବା ଦାବି କରିଛନ୍ତି। ଏମିତିକି ତାକୁ ମାରିବା ପାଇଁ ଛକି ରହିଥିବା ସୂଚନା ମିଳିଛି।

ସୂଚନାନୁସାରେ ବରମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ନିକଟରେ ରାହାସ ଖଟୁଆଙ୍କ ଘର। ଘର ପଛକୁ ଓୟୁଏଟି ଫାର୍ମ କର୍ମଚାରୀମାନଙ୍କ କ୍ୱାର୍ଟର୍ସ ଓ କିଛି ଅଞ୍ଚଳର ବଣବୁଦାରେ ଭର୍ତି। ଗତ କିଛି ଦିନ ପୂର୍ବେ ରାହାସଙ୍କ ଘରୁ ଗୋଟିଏ କୁକୁଡ଼ା ଉଭାନ୍‌ ହୋଇ ଯାଇଥିଲା। ବଣଭୂଅାଁ ଖାଇଗଲା ବୋଲି ସେ ଧରି ନେଇଥିଲେ। କିନ୍ତୁ ସୋମବାର ରାତି ପ୍ରାୟ ଗୋଟାଏ ବେଳେ ସେ କୁକୁଡ଼ା ଘର ନିକଟରେ ଧଡ୍‌ଧାଡ୍‌ ଶବ୍ଦ ଶୁଣି ଟର୍ଚ୍ଚ ଲାଇଟ୍‌ ଧରି ଯାଇଥିଲେ। ସେତେବେଳକୁ ଏକ ଜଙ୍ଘିଭାଲୁ କୁକୁଡ଼ା ଧରି ପଳାଉଥିଲା। ସେ ପାଟି କରି ଗୋଡ଼ାଇଲେ ବି ଭାଲୁଟି ପାଚେରି ନିକଟସ୍ଥ ବଣ ଭିତରକୁ ପଳାଇଥିଲା। ତାଙ୍କ କହିବା କଥା ଭାଲୁଟି ବଣଭୂଅାଁଠାରୁ ସାମାନ୍ୟ ବଡ଼। ସେ ପାଖରେ କେଉଁ ବଣ ଭିତରେ ଗାତରେ ରହୁଛି। ଏ ଭିତରେ ସେ ୩ଟି କୁକୁଡ଼ା ମାରି ସାରିଲାଣି। ବନ ବିଭାଗର ଜଣେ ଅଧିକାରୀଙ୍କ କହିବା କଥା ବରମୁଣ୍ଡାରେ ଭାଲୁ ରହିବା ଭଳି ପରିବେଶ ନାହିଁ। ପୁଣି ଜଙ୍ଘିଭାଲୁ କୁକୁଡ଼ା ମାରି ଖାଇବା ଭଳି ଘଟଣା ମଧ୍ୟ ବିରଳ। ତେଣୁ ଜନ୍ତୁଟି ଏକ ବଣଭୂଅାଁ କିମ୍ବା ବିଲୁଆ ହୋଇଥାଇପାରେ। ତେବେ ଭାଲୁ କି ବଣଭୂଅାଁ ହେଉ ଘଟଣାଟି ବରମୁଣ୍ଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe