୨ବନ୍ଧୁକ ଓ ୧୦ଗୁଳି ସହ ବଙ୍ଗୀୟ ଅପରାଧୀ ଗିରଫ

୨ବନ୍ଧୁକ ଓ ୧୦ଗୁଳି ସହ ବଙ୍ଗୀୟ ଅପରାଧୀ ଗିରଫ

ଭୁବନେଶ୍ବର : ବନ୍ଧୁକ ବେପାର କରିବା ସହ ବଡ଼ ଧରଣର ଅପରାଧ ଘଟାଇବା ଲକ୍ଷ୍ୟରେ ରାଜଧାନୀରେ ଡେରା ପକାଇଥିବା କୁଖ୍ୟାତ ବଙ୍ଗୀୟ ଅପରାଧୀ ବାବୁଜାନ୍‌ ଖାଁକୁ କମିସନରେଟ୍‌ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ତା’ନିକଟରୁ ୨ଟି ମାଉଜର୍‌ ଓ ୧୦ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଖଣ୍ଡଗିରି କୋଳଥିଆ ନିକଟରୁ ଭରତୁପର ଥାନା ପୁଲିସ ତାକୁ ଗିରଫ କରିଛି। ପଶ୍ଚିମବଙ୍ଗ ମେଦିନୀପୁରରୁ ଆସି ରାଜଧାନୀରେ ରହିଥିବା ବାବୁଜାନ୍‌ ବାବଦରେ ଅଧିକ ଖୋଳତାଡ୍‌ ଚାଲିଛି।

ବହୁ ସମୟରେ ଅନ୍ତଃରାଜ୍ୟ ଡକାୟତମାନେ ଭୁବନେଶ୍ବରକୁ ଟାର୍ଗେଟ୍‌ କରି ବନ୍ଧୁକ ଓ ଅନ୍ୟାନ୍ୟ ଆଗ୍ନେୟାସ୍ତ୍ର ଧରି ରାଜଧାନୀକୁ ଆସୁଛନ୍ତି। ହୋଟେଲ୍‌ରେ ଡେରା ପକାଇ ଲୁଟ୍‌ପାଟ୍‌ କରିବା ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରୁଛନ୍ତି। ଘର, ଦୋକାନ ଓ ରାସ୍ତାରେ ଯାଉଥିବା ଲୋକଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌ପାଟ୍ କରିବା ପରେ ଓଡ଼ିଶା ଛାଡ଼ି ଫେରାର୍ ହୋଇଯାଉଛନ୍ତି। ଏହିଭଳି ଯୋଜନା ନେଇ ଭୁବନେଶ୍ବରକୁ ଡକାୟତି କରିବାକୁ ବାବୁଜାନ୍‌ ଆସିଥିବା ଜଣାପଡ଼ିଛି। ତା’ର ଆପରାଧିକ ରେକର୍ଡ ଅନୁସାରେ, ବାବୁଜାନ୍‌ ଜଣେ ପେସାଦାର ଡକାୟତ। ରାଜ୍ୟ ବାହାରୁ ବନ୍ଧୁକ ଆଣି ସେ ପୁରୀ, ପିପିଲି ଓ ଭୁବନେଶ୍ବର ଅଞ୍ଚଳରେ ବିକ୍ରି କରେ। ତା’ଠାରୁ ବନ୍ଧୁକ କିଣୁଥିବା ବହୁ ଅପରାଧୀ ଏହି ସବୁ ଅଞ୍ଚଳରେ ଅଛନ୍ତି। ସେପ୍ଟେମ୍ବର ପହିଲାରେ ବାବୁ ଖାଁ ଭୁବନେଶ୍ବର ଆସିଥିଲା। ଏହା ପରେ ପୁରୀ ଯାଇ ସେଠାରେ କିଛି ଦିନ ରହିବା ପରେ କୋଳଥିଆ ଫେରିଥିଲା। କୋଳଥିଆରେ ଗୋଟିଏ ବନ୍ଧୁକ ବିକ୍ରି କରିବାକୁ ଯୋଜନା କରିଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଭରତପୁର ଥାନା ପୁଲିସ ତାକୁ କାବୁ କରିଛି। ତେଣୁ ପୁରୀରେ ରହଣି ଭିତରେ ସେ କାହା କାହା ସହ ମିଶିଥିଲା, ସେନେଇ ପୁଲିସ ଖୋଳତାଡ୍‌ ଆରମ୍ଭ କରିଛି। ଏହି ସମୟ ଭିତରେ ସେ କାହାକୁ କେତୋଟି ବନ୍ଧୁକ ବିକିଛି, ସେନେଇ ମଧ୍ୟ ଛାନ୍‌ଭିନ୍‌ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe