ବରମୁଣ୍ଡା ବିଡିଏ ହାଉସିଂ କଲୋନି: ଟଙ୍କା ନେଲେ, ମାଲିକାନା ଦେଲେନି

Advertisment

କଡ଼ାଗଣ୍ଡା କରି ଟଙ୍କା ନେଲେ। କିନ୍ତୁ ଜମିର ମାଲିକାନା ଦେଲା ବେଳକୁ ଧରାଛୁଆଁ ଦେଉନି ବିଡିଏ। ବର୍ଷେ କି ୫ ବର୍ଷ ନୁହେଁ, ୩୪ ବର୍ଷ ହେଲାଣି ୨୫୮ ପରିବାରଙ୍କୁ ଏଭଳି ହନ୍ତସନ୍ତ କରୁଛି ବିଡିଏ।

କଡ଼ାଗଣ୍ଡା କରି ଟଙ୍କା ନେଲେ। କିନ୍ତୁ ଜମିର ମାଲିକାନା ଦେଲା ବେଳକୁ ଧରାଛୁଆଁ ଦେଉନି ବିଡିଏ। ବର୍ଷେ କି ୫ ବର୍ଷ ନୁହେଁ, ୩୪ ବର୍ଷ ହେଲାଣି ୨୫୮ ପରିବାରଙ୍କୁ ଏଭଳି ହନ୍ତସନ୍ତ କରୁଛି ବିଡିଏ।

sfsfxx

ଭୁବନେଶ୍ବର: କଡ଼ାଗଣ୍ଡା କରି ଟଙ୍କା ନେଲେ। କିନ୍ତୁ ଜମିର ମାଲିକାନା ଦେଲା ବେଳକୁ ଧରାଛୁଆଁ ଦେଉନି ବିଡିଏ। ବର୍ଷେ କି ୫ ବର୍ଷ ନୁହେଁ, ୩୪ ବର୍ଷ ହେଲାଣି ୨୫୮ ପରିବାରଙ୍କୁ ଏଭଳି ହନ୍ତସନ୍ତ କରୁଛି ବିଡିଏ। ଘର କିଣି ବି ନା ଜମିର ଦାବିଦାର ବୋଲି ନିଜକୁ ଦର୍ଶାଇ ପାରୁଛନ୍ତି, ନା କୌଣସି ବ୍ୟାଙ୍କ ଋଣ ଆଣି ପାରୁଛନ୍ତି। ଏନେଇ ଶତାଧିକ ଅଭିଯୋଗ ହେଲାଣି, କିନ୍ତୁ ଫଳ ଶୂନ। ଏହି କଲୋନି ପରେ ଅନେକ ନୂଆ ବିଡିଏ ହାଉସିଂ କଲୋନି ଗଢ଼ି ଉଠିଲାଣି ଓ ସେମାନଙ୍କୁ ମାଲିକାନା ପ୍ରମାଣପତ୍ର ମିଳିସାରିଲାଣି। ଅଥଚ, ଭୁବନେଶ୍ବରର ବରମୁଣ୍ଡା ହାଉସିଂ କଲୋନି ଏକମାତ୍ର କଲୋନି, ଯେଉଁଠି କାହାରିକୁ ଜମିର ମାଲିକାନା ପ୍ରଦାନ କରାଯାଇନି। ଏହି ବିବାଦ ପଛରେ ରହିଛି ସାଧାରଣ ପ୍ରଶାସନ (ଜିଏ), ବିଡିଏ ଓ ବନ ବିଭାଗର ଅନ୍ତଃକଳି। ଜମି ଭିତରେ କିଛି ବନ କିସମ ରହିଛି ଓ ତିନିବିଭାଗ ଏହି କଳି ତୁଟାଇ ପାରୁନଥିବାରୁ ଦଶା ଭୋଗୁଛନ୍ତି ସାଧାରଣ ଲୋକେ।। ସେପଟେ ଜମିର ମାଲିକାନାକୁ ଅପେକ୍ଷା କରି କରି ଇତିମଧ୍ୟରେ ୨୦ଜଣ କ୍ରେତା ଆଖି ବୁଜି ସାରିଲେଣି। ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ବିଡିଏର ବରମୁଣ୍ଡାସ୍ଥିତ ଏଚଆଇଜି ଡୁପ୍ଲେକ୍ସ ହାଉସିଂ କଲୋନିରେ।

୧୯୯୧-୯୨ ମସିହାରେ ପ୍ରାୟ ୨୩.୪୮୨ ଏକର ଜାଗାରେ ଆରମ୍ଭ ହୋଇଥିଲା ବିଡିଏର ବରମୁଣ୍ଡାସ୍ଥିତ ଏଚ୍‌ଆଇଜି ଡୁପ୍ଲେକ୍ସ ହାଉସିଂ କଲୋନି। ଆବେଦନ ପରେ ୨୫୮ଜଣଙ୍କୁ ଏଚ୍‌ଆଇଜି ଘର ଆଲଟ୍‌ମେଣ୍ଟ କାଗଜପତ୍ର ମିଳିଥିଲା। ଘର ବାବଦରେ କ୍ରେତାଙ୍କଠାରୁ ୪.୬୫ ଲକ୍ଷ ଟଙ୍କା ବିଡିଏ ନେଇଥିଲା। କିନ୍ତୁ ଏନେଇ ବିଡିଏ ଜମିର ଲିଜ୍‌ ଡିଡ୍‌ କରିନଥିଲା। ଖୋଳତାଡ଼ ପରେ ଏହି ହାଉସିଂ କଲୋନି ଅଞ୍ଚଳରେ ୧୨.୯୪୪ ଏକର ବନ ଜମି ଥିବା ଓ ବନ ବିଭାଗ ଜମିର ମାଲିକାନା ଉପରେ ଆପତ୍ତି ଉଠାଇବାରୁ ସେବେଠୁ ଜମିର ମାଲିକାନା ସ୍ବତ୍ବ ମିଳିପାରୁନଥିବା ଜଣାପଡ଼ିଥିଲା। କଲୋନିବାସୀଙ୍କୁ ନେଇ ଗଠିତ ପ୍ରଜ୍ଞାବିହାର ବିକାଶ ପରିଷଦର ସଂପାଦକ ମନ୍ମଥ ଦଳାଇ କହିଛନ୍ତି, ବରମୁଣ୍ଡା ହାଉସିଂ କଲୋନି ଭୁବନେଶ୍ବରର ଦ୍ବିତୀୟ ସର୍ବପୁରାତନ ହାଉସିଂ କଲୋନି। ଯେଉଁମାନେ ଜାଗା କିଣିଥିଲେ, କିଛି ମରିଗଲେଣି, ବାକି ବୟସର ଅପରାହ୍ଣରେ ପହଞ୍ଚିଲେଣି। ଅଧିକାଂଶ ଅବସରପ୍ରାପ୍ତ ଚାକିରିଆ। ୩୪ ବର୍ଷ ହେଲାଣି ଆମେ ଚେଷ୍ଟା ଜାରି ରଖିଛୁ। ସାଧାରଣ ପ୍ରଶାସନ ବିଭାଗ, ବିଡିଏ ଓ ବନ ବିଭାଗର ପଦସ୍ଥ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛୁ। ନ୍ୟାୟ ନ ମିଳିବାରୁ ୨୦୧୫ ମସିହାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲୁ। ୨୦୧୯ ମସିହାରେ ହାଇକୋର୍ଟ ୨ ମାସ ଭିତରେ ନ୍ୟାୟୋଚିତ ପଦକ୍ଷେପ ନେବାକୁ ବିଡିଏକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାୟର ୬ ବର୍ଷ ପରେ ବି ଆମକୁ ନ୍ୟାୟ ମିଳିପାରିନି। ମୃତ କ୍ରେତା ଶାନ୍ତି ରଥଙ୍କ ସ୍ବାମୀ ଲଲାଟେନ୍ଦୁ ରଥ କହିଛନ୍ତି, ଘର ବାବଦ ପୂର୍ଣ୍ଣ ଟଙ୍କା ଆମେ ବିଡିଏ ପାଖରେ ଜମା ଦେଇଥିଲେ ବି ଜମିର ମାଲିକାନା ମିଳୁନଥିବାରୁ ଋଣ ହେଉ କି ଜମି ବିକ୍ରିରେ ଅସୁବିଧା ଭୋଗୁଛୁ। ବିଡିଏ ସେକ୍ରେଟାରି ସ୍ନିଗ୍ଧାରାଣୀ ଧଳ କହିଛନ୍ତି, ବରମୁଣ୍ଡା ହାଉସିଂ କଲୋନିରେ ଜଙ୍ଗଲ ଜମି ରହିଥିବାରୁ ଏଭଳି ସମସ୍ୟା ଉପୁଜିଛି। ତଥାପି ବନ ବିଭାଗ ଆପତ୍ତି ପରେ କୋରାପୁଟରେ ଜମି ଯୋଗାଇ ଦିଆଯାଇଛି। ଏହାସତ୍ତ୍ବେ ବି ବନ ବିଭାଗ ଜାଗା ଛାଡ଼ୁନି ଓ ସାଧାରଣ ପ୍ରଶାସନ ବିଭାଗ ଆମକୁ ଜାଗା ଦେଇପାରୁନି। ଯେଉଁଥିପାଇଁ ଆମେ ବି ଲୋକଙ୍କୁ ଜମିର ମାଲିକାନା ଦେଇପାରୁନୁ। 

ବିଡିଏଠୁ ଘର କିଣି ହନ୍ତସନ୍ତ ୨୫୮ ପରିବାର
ଜିଏ-ବିଡିଏ-ବନ ବିଭାଗ କଳିରେ ଫସିଛନ୍ତି
ଆଖି ବୁଜି ସାରିଲେଣି ୨୦ କ୍ରେତା
ଅଧିକାଂଶ ବୟସର ଅପରାହ୍ଣରେ

ଅପରପକ୍ଷେ ବନ ଜମି ଆଇନ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ଥିବାରୁ ଆମେ ବି ଅସହାୟ। ତଥାପି ଯେଉଁମାନଙ୍କୁ ଘର ମିଳିଛି, ସେମାନେ କେବେ ବି ବେଦଖଲ ଅବା କେହି ଜମି, ଘର ନେଇଯିବାର ଆଶଙ୍କା ନାହିଁ। ବିଡିଏ ଆଲଟ୍‌ମେଣ୍ଟ ଅଧିକାରୀ ପରେଶ ନାୟକ କହିଛନ୍ତି, ଯେବେ ବନ ବିଭାଗ ଆପତ୍ତି ଉଠାଇଲା, ପ୍ରାୟ ୬୫ ଏକର ଜମି ସହ ବନ ସୃଷ୍ଟି ପାଇଁ ବନ ବିଭାଗକୁ ୩.୩୦ କୋଟି ଟଙ୍କା ବି ଦିଆଯାଇଥିଲା। କିନ୍ତୁ ଅସୁବିଧା ହେଉଛି ବନ ଆଇନରେ ପରିବର୍ତ୍ତନ। ୨୦୨୩ ଅଗଷ୍ଟରେ ବନ ଜମି ସଂଶୋଧନ ଆଇନ ବଳରେ ସାରା ଦେଶରେ କିଏ କେତେ ବନ ଜମି ନେଇଛନ୍ତି, କେନ୍ଦ୍ର ସରକାର ତଥ୍ୟ ମାଗିଥିଲେ। ନିୟମ ବି ଥିଲା, ୧୯୯୬ ମସିହା ପୂର୍ବରୁ ଯେଉଁ ବନ ଜମିରେ ହାଉସିଂ କଲୋନି ହୋଇସାରିଛି, ସେ ଜମି ସଂପୃକ୍ତ କର୍ତ୍ତୃପକ୍ଷଙ୍କ ନାଁରେ ରେକର୍ଡଭୁକ୍ତ କରିବାକୁ। ମାତ୍ର କେନ୍ଦ୍ର ବନ ଓ ପରିବେଶ ମନ୍ତ୍ରାଳୟ ବରମୁଣ୍ଡା ହାଉସିଂ କଲୋନି ଉପରେ ଆପତ୍ତି ଉଠାଇ ଚନ୍ଦକା ଡିଏଫ୍‌ଓଙ୍କୁ କେଉଁ ଅଧିକାରୀମାନେ ଏହି ଜମି ଆଲଟ୍‌ କରିଥିଲେ, ତାଲିକା ମାଗିଥିଲେ। ଚନ୍ଦକା ଡିଏଫ୍‌ଓ ଏ ଉପରେ ସାଧାରଣ ପ୍ରଶାସନ ବିଭାଗ ଓ ବିଡିଏକୁ ଚିଠି କରିଥିଲା। କିନ୍ତୁ ସାଧାରଣ ପ୍ରଶାସନ ବିଭାଗ ଅଦ୍ୟାବଧି ଅଧିକାରୀଙ୍କ ତାଲିକା ଦେଉନି। ଫଳରେ ବିଡିଏକୁ ଜମି ହସ୍ତାନ୍ତର ହୋଇପାରୁନି କି ଲୋକଙ୍କୁ ମାଲିକାନା ମିଳିପାରୁନି। ସେପଟେ ସୁପ୍ରିମ‌କୋର୍ଟରେ ୨୦୨୩ ସଂଶୋଧିତ ବନ ଆଇନ ବିରୋଧରେ କିଛି ଅବସରପ୍ରାପ୍ତ ବନ ଅଧିକାରୀ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି। ଏହାଦ୍ବାରା ଜଙ୍ଗଲ ଜମି ନଷ୍ଟ ହେବ ବୋଲି ଜନସ୍ବାର୍ଥରେ ଦର୍ଶାଇଛନ୍ତି। ଏସବୁ ସତ୍ତ୍ବେ ଟଙ୍କା ଦେଇ, ଘର କିଣିଥିବା ଲୋକଟିକୁ କେଉଁ ନ୍ୟାୟରେ ତାର ଅଧିକାରରୁ ବଞ୍ଚିତ କରାଯାଉଛି, ସେ ନେଇ ବାସିନ୍ଦାମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe