ମନୋକ୍ରୋମରେ ମହାନଗର: ରାଜଭବନ ଆଗରୁ ଭାଲୁମୁଣ୍ଡିଆ

ରାମକୃଷ୍ଣ ମିଶନ ସ୍କୁଲରେ ପାଠ ପଡ଼ିବାକୁ ଯିବାବେଳେ ଗୋସାଗରେଶ୍ବର ଛକ ପରେ ବିଲହିଡ଼ରେ ସ୍କୁଲକୁ ଯାଉଥିଲୁ। ଧାନଗଛ ଆମଠୁ ଉଚ୍ଚା ଥିଲା। ଠାଏଠାଏ ପାଣି ଥିବାରୁ ପାଣିରେ ପଶି ଯିବାକୁ ହେଉଥିଲା। ନାଗେଶ୍ବର ମନ୍ଦିର ଆଖପାଖରେ ଭରିଥିଲା ଗିରୁଡ଼ୁଆ ଆମ୍ବଗଛ।

khffhkhk

ଲିଙ୍ଗରାଜ ସାହୁ

ପୁରୁଣା ଭୁବନେଶ୍ୱର: ରାମକୃଷ୍ଣ ମିଶନ ସ୍କୁଲରେ ପାଠ ପଡ଼ିବାକୁ ଯିବାବେଳେ ଗୋସାଗରେଶ୍ବର ଛକ ପରେ ବିଲହିଡ଼ରେ ସ୍କୁଲକୁ ଯାଉଥିଲୁ। ଧାନଗଛ ଆମଠୁ ଉଚ୍ଚା ଥିଲା। ଠାଏଠାଏ ପାଣି ଥିବାରୁ ପାଣିରେ ପଶି ଯିବାକୁ ହେଉଥିଲା। ନାଗେଶ୍ବର ମନ୍ଦିର ଆଖପାଖରେ ଭରିଥିଲା ଗିରୁଡ଼ୁଆ ଆମ୍ବଗଛ। ସ୍କୁଲରୁ ଫେରିବାବେଳେ ସେ ଛୋଟ କିନ୍ତୁ ମିଠାଆମ୍ବ ବ୍ୟାଗ୍‌ରେ ଭର୍ତିକରି ଘରକୁ ଆସୁଥିଲୁ। ରାଜଧାନୀ ତିଆରି ବେଳେ ଭୁବନେଶ୍ବରକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା। ରାଜଧାନୀ ହେବା ପରେ ସରକାରୀ ଚାକିରିଆଙ୍କୁ ସରକାରୀ କ୍ବାର୍ଟର୍ସ ଦିଆହେଲା। ଅଥଚ ଲୋକେ ସେଠାରେ ନରହି ପୁରୁଣା ଭୁବନେଶ୍ବର ଆଖପାଖରେ ଭଡ଼ାରେ ରହିବା ସହ କଟକରୁ ଯିବା ଆସିବା କରୁଥିଲେ। ଭୁବନେଶ୍ବରରେ ତିଆରି ହୋଇଥିବା  ସରକାରୀ କ୍ବାର୍ଟର୍ସ ନିକଟରେ ବାଘ ବୁଲୁଥିବାରୁ ସେଠାରେ କେହି ରହିବାକୁ ରାଜି ହେଉନଥିଲେ। ପରେ ପରେ ସରକାରୀ ହାଉସିଂ ପ୍ରୋଜେକ୍ଟରେ ଘର ତିଆରି ହେଲା। ଭୁବନେଶ୍ବରର ଗୋଚର ଜମି ଜବରଦଖଲ ବଢ଼ିଲା। ଜଙ୍ଗଲ କଟିଲା ଓ ଝରପାଣି ବନ୍ଦ ହୋଇଗଲା। ୟୁନିଟ୍-୬ନିକଟ କଂସାରୀଝର, ଶିଶୁଭବନ ନିକଟ ଝାଡ଼େଶ୍ବରୀଝର ଆଦି ବିଭିନ୍ନ ଝରର ପାଣି ବିନ୍ଦୁସାଗରକୁ ଆସୁଥିଲା। ସେମିତି ବିନ୍ଦୁସାଗରରୁ ବଳକା ପାଣି ବାହାରି ଦୟା କେନାଲ ଓ ଆଖପାଖ ବିଲକୁ ଯାଉଥିଲା। ନୂଆ ରାଜଧାନୀ ହେବାପରେ ବିଭିନ୍ନ ହାଉସିଂ କଲୋନିରେ ଘର କରି ଲୋକ ରହିଲେ। ଏ ଘର ତିଆରି ପାଇଁ ଭୁବନେଶ୍ବର ଚାରିପଟେ ଥିବା ଜଙ୍ଗଲକୁ କାଟି ପଦା କରାଗଲା। କ୍ୟାପିଟାଲ ଆଡ୍‌ମିନିଷ୍ଟ୍ରେସନ ବିଭାଗ ଅଧୀନରେ ଏହି କାମ ହୋଇଥିଲା। ୧୯୫୫ରୁ ୧୯୫୭ ମସିହା ମଧ୍ୟରେ ଏକାମ୍ରକ୍ଷେତ୍ରରେ ଥିବା ଝରନାଳରେ ଡ୍ରେନ୍‌ପାଣି ପଶିଲା। ସେ‌ତେବେଳେ ୟୁନିଟ୍‌-୬, ୟୁନିଟ୍‌-୧ ଓ ବାପୁଜୀନଗର ଅଞ୍ଚଳର ଡ୍ରେନ୍‌ପାଣି ଝରନାଳରେ ଛଡ଼ା ଯିବାରୁ ବିନ୍ଦୁସାଗରକୁ ଭଲପାଣି ଆସିଲାନାହିଁ। ବଡ଼ ଡ୍ରେନ୍‌ ତିଆରି ହୋଇ ବିନ୍ଦୁସାଗର ନିକଟ ନଳାମୁହଁ ସାହିରୁ ଏହି ପାଣିକୁ ଲୁଇସ୍‌ ରୋଡ଼୍‌ ବିଲ ଓ ଦୟା କେନାଲକୁ ଛଡ଼ାଗଲା। ଫଳରେ ବିନ୍ଦୁସାଗର ପାଣି ଅପରିଷ୍କାର ହେଲା। 

ଯେତେବେ‌ଳେ ବିଏମ୍‌ ହାଇସ୍କୁଲ ନିକଟରେ ଏକ ବାଳିକା ବିଦ୍ୟାଳୟ ଖୋଲିବାକୁ ମୁରବୀ ଶ୍ରେଣୀର ଲୋକ ଦରଖାସ୍ତ ଲେଖିଲେ, ଆମେ ଉତ୍ସାହୀ ଯୁବକମାନେ ସେ ଦରଖାସ୍ତକୁ ନେଇ ଭୁବନେଶ୍ବର ଓ ବିଭିନ୍ନ ଗାଁରେ ବୁଲି ଦସ୍ତଖତ ସଂଗ୍ରହ କରିଥିଲୁ। ତେବେ ବାଳିକା ବିଦ୍ୟାଳୟ ଖୋଲିବା ପରେ ସେଠାରେ ପଢ଼ିବାକୁ ପିଲା ଆସିଲେନି। ତେଣୁ ମୁରବୀମାନେ ଘରଘର ବୁଲି ପିଲା ଯୋଗାଡ଼ କରିଥିଲେ। ପ୍ରଥମ ବ୍ୟାଚ୍‌ରେ ୫୦ଜଣ ବାଳିକା ପଢ଼ିଥିଲେ। ପୁରୁଣା ଭୁବନେଶ୍ବରର ଗାନ୍ଧୀ ସମର୍ଥା, ଲିଙ୍ଗରାଜ ନାୟକ, କୁମର ବେହେରା, କାଶିନାଥ ପୂଜାପଣ୍ଡା, ଶ୍ୟାମସୁନ୍ଦର ସାହୁ, ମନୋରଞ୍ଜନ ବରିହା, ବାସୁଦେବ ଗରାବଡ଼ୁ, ଜୟଦେବ ମହାପାତ୍ର, ନରେନ୍ଦ୍ର ସେଠୀ, ବଡ଼ଗଡ଼ର ରବି ନନ୍ଦ, ଆଦିତ୍ୟ ନନ୍ଦ, ସଲିଲୁନ୍‌ ରହମାନ୍‌ ସେଖାୱତ୍‌ତୁଲ୍ଲା, ବଙ୍କୁ ରଥ, ନରେନ୍ଦ୍ର ରଥ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପର୍ଶୁରାମ ପଣ୍ଡା ପ୍ରମୁଖ ଫୁଟ୍‌ବଲ ଖେଳୁଥିଲେ। ସେତେବେଳେ ଫୁଟ୍‌ବଲ ମ୍ୟାଚ୍‌ ହେଲେ ଭୁବନେଶ୍ବର ବାସିନ୍ଦା ଦୋକାନ ବନ୍ଦକରି ଖେଳ ଦେଖିବାକୁ ଯାଉଥିଲେ। ୟୁନିଟ୍‌ -୧ ସ୍କୁଲ ପଡ଼ିଆରେ ହେଉଥିବା ବିଭିନ୍ନ ସ୍କୁଲସ୍ତରୀୟ ଫୁଟ୍‌ବଲ ମ୍ୟାଚ୍‌ରେ ଝଗଡ଼ା ହେଉଥିଲା। ମାଡ୍‌ପିଟ ପର୍ଯ୍ୟନ୍ତ କଥା ବଢ଼ୁଥିଲା। ସେତେବେଳେ ବିମାନବନ୍ଦର ସେନା ଅଧୀନରେ ଥିଲା। ତାହା ସେନା ଅଧୀନରୁ ଆସିବାପରେ ୟୁନିଟ୍‌-୬ରୁ ବିମାନବନ୍ଦର ମଧ୍ୟଦେଇ ପୁନମାଗେଟ୍‌ ପଟେ ପୁରୁଣା ଭୁବନେଶ୍ବରକୁ ରାସ୍ତା ହେଲା। ଏହି ରାସ୍ତାରେ ୟୁନିଟ୍‌ -୧ ଓ ୟୁନିଟ୍‌-୬ର ଲୋକେ ଲିଙ୍ଗରାଜ ମନ୍ଦିରକୁ ଆସୁଥିଲେ। 

ଥରେ ଏହି ରାସ୍ତାରେ ରାଜ୍ୟପାଳ ପୁରୀ ଯାଉଥିଲେ। ସେତେବେଳେ ରାଜ୍ୟପାଳଙ୍କ ଗାଡ଼ି ଆଗପଛରେ ଏତେ ସୁରକ୍ଷା ଗାଡ଼ି ରହୁନଥିଲା। ଜମେଶ୍ବରପାଟଣାର ଦାମ ମହାରଣା ଅତି ସୂକ୍ଷ୍ମ କାରୁକାର୍ଯ୍ୟରେ ପଥର ମୂର୍ତ୍ତି ତିଆରି କରୁଥିଲେ। ସେ ରାସ୍ତାରେ ରାଜ୍ୟପାଳଙ୍କ ଗାଡ଼ି ଆଗରେ ଠିଆ ହୋଇଗଲେ। ରାଜ୍ୟପାଳଙ୍କୁ ସେ ଏକ ପଥର ମୂର୍ତ୍ତି ଉପହାର ଦେବାକୁ ସେ ଗାଡ଼ି ଅଟକାଇଛନ୍ତି ବୋଲି କହିଥିଲେ। ରାଜ୍ୟପାଳ ଅତି ଖୁସିରେ ତାହା ନେଇଥିଲେ। ହଁ, ସେତେବେଳେ ରାଜ୍ୟପାଳଙ୍କ ଘର କଡ଼ରେ ରାଜପଥ ଯାଇଥିଲା। ରାଜପଥ ଦକ୍ଷିଣରେ ଶିରିପୁର, ବରମୁଣ୍ଡା ମଧ୍ୟଦେଇ ଖଣ୍ଡଗିରିରେ ମିଶିଥିବା ବେଳେ ଉ‌ତ୍ତରରେ କଳ୍ପନା ଛକ ମଧ୍ୟଦେଇ ରାଜମହଲ ଛକ, ଏଜି ଛକ ଦେଇ ଏହା ଯାଇଥିଲା। ରାଜଭବନ ଥିବା ସ୍ଥାନରେ ପ୍ରଥମେ ଏକ ଭାଲୁମୁଣ୍ଡିଆ ଥିଲା। ସେଠି ବହୁ ସଂଖ୍ୟାରେ ଭାଲୁ ରହୁଥିଲେ। ସେହି ଅଞ୍ଚଳକୁ ଯିବାକୁ ଲୋକେ ଦିନରେ ବି ଭୟ କରୁଥିଲେ। ପରେ ୧୯୬୫ମସିହାରେ ରସୁଲଗଡ଼ରୁ ବାଣୀବିହାର ଦେଇ ବରମୁଣ୍ଡାକୁ ରାଜପଥ ତିଆରି ହୋଇଥିଲା। ଗୋଟିଏ ମଜାକଥା ମନେପଡ଼େ: ସେତେବେଳେ ମାଉସୀ ମା’ ମନ୍ଦିର ଚାରିପଟେ ଘଞ୍ଚ ଜଙ୍ଗଲ ଥିଲା। ତେଣୁ ସନ୍ଧ୍ୟା ପରେ ସେପଟକୁ କେହି ଯାଉନଥିଲେ। ସେଠାରେ କିନ୍ତୁ ଏକ ଦେଶୀମଦ ଦୋକାନ ଥିଲା। ଐତିହାସିକ କେଦାରନାଥ ମହାପାତ୍ର ଲ‌‌କ୍ଷ୍ମଣେଶ୍ବର, ଭରତେଶ୍ବର ଓ ଶତୃଘ୍ନେଶ୍ବର ମନ୍ଦିରର ପୁନଃଉଦ୍ଧାର ପାଇଁ ପଥର ସଂଗ୍ରହ କରିବା ବେଳେ ସେ ମଦ ଦୋକାନୀ ତାଙ୍କୁ ଖରାପ ବ୍ୟବହାର କରି ସେଠାରୁ ବାହାର କରିଦେଇଥିଲା। ସେ ଖବର ପାଇ ଯୁବକ ସୁରେଶ କୁମାର ରାଉତରାୟ ଓ ଆମ ଅଞ୍ଚଳର ଅନ୍ୟ ଉତ୍ସାହୀ ଯୁବକ ମିଶି ମଦ ଦୋକାନୀକୁ ଏମିତି ମାଡ଼ ମାରିଥିଲେ ଯେ ସେ ଅଞ୍ଚଳ ଛାଡ଼ି ପଳାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe