ଆଜିଠୁ ଆରମ୍ଭ ଭାରତ ରଙ୍ଗ ମହୋତ୍ସବ, ଦର୍ଶକ ଦେଖିବେ ଦେଶଭକ୍ତଙ୍କ ବୀରତ୍ବର କାହାଣୀ

ପ୍ରଥମ ସନ୍ଧ୍ୟାରେ ‘ମହାସଂଗ୍ରାମର ମହାନାୟକ’

ଆଜିଠୁ ଆରମ୍ଭ ଭାରତ  ରଙ୍ଗ ମହୋତ୍ସବ, ଦର୍ଶକ ଦେଖିବେ ଦେଶଭକ୍ତଙ୍କ ବୀରତ୍ବର କାହାଣୀ

khabarsatta.com

ଭୁବନେଶ୍ବର: ମଞ୍ଚସ୍ଥ ହେବ ଦେଶର ବରପୁତ୍ରଙ୍କ ବୀରତ୍ବର କାହାଣୀ। ଏପରି ଏକ ପରିକଳ୍ପନାକୁ ନେଇ ଆସନ୍ତାକାଲିଠାରୁ ଭୁବନେଶ୍ବରରେ ୫ଦିନ ବ୍ୟାପୀ ନାଟକ ପରିବେଷଣ କରାଯିବ। ସ୍ୱାଧୀନତାର ୭୨ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ସଂସ୍କୃତି ମନ୍ତ୍ରଣାଳାୟ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ମହୋତ୍ସବରେ ସଂସ୍କୃତି ବିଭାଗ ସହ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ନ୍ୟାସନାଲ ସ୍କୁଲ ଅଫ ଡ୍ରାମା) ଓ କିଟ୍ ବିଶ୍ୱବିଦ୍ୟାଳୟ ମିଳିତ ଉଦ୍ୟମରେ ସାରା ଦେଶରେ ୩୦ଟି ନାଟକ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।

୨୨ତମ ଭାରତ ରଙ୍ଗ ମହୋତ୍ସବ ୨୦୨୨ ଅବସରରେ ଓଡ଼ିଶାର ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସହରମାନଙ୍କରେ ନାଟକ ପରିବେଷଣ କାର୍ଯ୍ୟକ୍ରମ କରାଯାଉଛି। ୧୬ ଜୁଲାଇ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୧୪ ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲି ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କିଟ୍ କ୍ୟାମ୍ପସ୍‌-୬ ନମ୍ବର ଅଡିଟୋରିୟମ ପରିସରରେ ନାଟକ ପରିବେଷଣ ହେବ। ୫ଟି ନାଟକ ପରିବେଷିତ ହେବାକୁ ଥିବା ବେଳେ ପ୍ରଥମ ଦିନ ଓଡ଼ିଆ, ଦ୍ୱିତୀୟ ଦିନ ଆସାମ, ତୃତୀୟ ଦିନ ବେଙ୍ଗଲ, ଚତୁର୍ଥ ଦିନ ଆସାମ ଓ ପଞ୍ଚମ ଦିନ ଓଡ଼ିଆ ନାଟକ ପରିବେଷଣ ହେବ।

ପ୍ରତ୍ୟେକ ଦିନ ସନ୍ଧ୍ୟା ୬.୩୦ରେ ନାଟକ ପରିବେଷଣ ହେବ ଓ ଏଥିପାଇଁ ପ୍ରବେଶ ନିଶୁଳ୍କ ରହିଛି। ଆସନ୍ତାକାଲି ପ୍ରଥମ ସଂଧ୍ୟାରେ ମହାସଂଗ୍ରାମର ମହାନାୟକ (ବକ୍ସି ଜଗବନ୍ଧୁ) ମଞ୍ଚସ୍ଥ ହେବ। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ଲିଖିତ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି ବର୍ଷୀୟାନ ମଞ୍ଚ ନିର୍ଦ୍ଦେଶକ ତଥା ଅଭିନେତା ଧୀର ମଲ୍ଲିକ। ଭୁବନେଶ୍ୱରର ଶତାବ୍ଦୀର କଳାକାରର କଳାକାରମାନେ ଏଥିରେ ଅଭିନୟ କରିବେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ହରିଚନ୍ଦନ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବେ।

ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ କିଟ୍‌ କୁଳପତି ଦୋଳଗୋବିନ୍ଦ ରଥ ଏବଂ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ନିର୍ଦ୍ଦେଶକ ଡା. ରମେଶ ଚନ୍ଦ୍ର ପ୍ରମୁଖ ଉପସ୍ଥିତ ରହିବେ। ଏନେଇ ଆଜି ହୋଟେଲ୍‌ ଶୀତଲଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫେଷ୍ଟିଭାଲ ପରିଚାଳକ ସୁମନ ବୈଦ୍ୟ, ଏନଏସଡିଆନ ସମରେଶ ରାଉତରାୟ ଓ ନାଟ୍ୟ ନିର୍ଦ୍ଦେଶକ ଧୀରେନ୍ଦ୍ର ନାଥ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ନେଇ ବିସ୍ତୃତ ସୂଚନା ଦେବା ସହ ଅଧିକରୁ ଅଧିକ ସଂଖ୍ୟାରେ ଦର୍ଶକ ଯୋଗଦେଇ ନାଟକ ଦେଖିବାର ସୁଯୋଗ ନେବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe