ଭରତପୁର ଥାନା ମାମଲାର ଶୁଣାଣି ଆଜି: ତଦନ୍ତର ସ୍ଥିତି ଜଣାଇବାକୁ ସରକାରଙ୍କୁ ନିର୍ଦ୍ଦେଶ

ଭରତପୁର ଥାନା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତର ସ୍ଥିତି ସଂକ୍ରାନ୍ତରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ଭାବେ ସେନା ଅଧିକାରୀଙ୍କ ବିରୋଧରେ ରୁଜୁ ମାମଲାର...

bharatpur ps

କଟକ: ଭରତପୁର ଥାନା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତର ସ୍ଥିତି ସଂକ୍ରାନ୍ତରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ଭାବେ ସେନା ଅଧିକାରୀଙ୍କ ବିରୋଧରେ ରୁଜୁ ମାମଲାର ତଦନ୍ତର କ’ଣ ସ୍ଥିତି ରହିଛି ସେ ନେଇ ନଭେମ୍ବର ୨୧ରେ ଜଣାଇବାକୁ ସରକାରଙ୍କୁ ହାଇକୋର୍ଟ କହିଛନ୍ତି। ଭରତପୁର ଥାନା ଘଟଣାକୁ ନେଇ ବିଚାରାଧୀନ ଜନସ୍ବାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ଭରତପୁର ଥାନା ଘଟଣାକୁ ନେଇ ରୁଜୁ ମାମଲାର ତଦନ୍ତର ସାନି ସ୍ଥିତି ସଂକ୍ରାନ୍ତରେ ଜାଣିବାକୁ ହାଇକୋର୍ଟ ଚାହିଥିଲେ। ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଦୁଇ ଜଣଙ୍କ ନାଁରେ ପୁଲିସକୁ ଆକ୍ରମଣ କରିବା ନେଇ ଆପରାଧିକ ମାମଲା ରୁଜୁ କରାଯାଇଥିଲା। ଜଣେ ସେନା ଅଧିକାରୀଙ୍କ ବିରୋଧରେ ଏପରି ଅଭିଯୋଗ କରାଯାଇଥିଲା। ସେନା ଅଧିକାରୀଙ୍କ ବିରୋଧରେ ରୁଜୁ ମାମଲାର କ’ଣ ସ୍ଥିତି ରହିଛି ସେ ନେଇ ହାଇକୋର୍ଟ ଶୁଣାଣି ସମୟ‌ରେ ପ୍ରଶ୍ନ କରିଥିଲେ।

ଏଜିଏ (ଅତିରିକ୍ତ ସରକାରୀ ଓକିଲ) ଦର୍ଶାଇଥିଲେ ଯେ, ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ସାନି ସ୍ଥିତି ସଂକ୍ରାନ୍ତରେ ଅବଗତ କରିବାକୁ ସମୟ ପ୍ରଦାନ କରାଯାଉ। ଗୁରୁବାର ଶୁଣାଣି ସମୟରେ‌ ସେନା ଅଧିକାରୀଙ୍କ ବିରୋଧରେ ରୁଜୁ ମାମଲାର ତଦନ୍ତର ସ୍ଥିତି ନେଇ ଅବଗତ କରିବାକୁ ଏଜିଏଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆମିକସ୍ କ୍ୟୁରି ଦର୍ଶାଇଥିଲେ ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ପୁଲିସ ଥାନା ଓ ଫାଣ୍ଡିରେ ସିସି ଟିଭି କ୍ୟାମେରା ବସାଯିବା ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ନଭେମ୍ବର ୧୨ରେ ଅତିରିକ୍ତ ପୁଲିସ ଡିଜି ସତ୍ୟପାଠ ଦାଖଲ କରିଥିଲେ। ଏଥି ସହିତ ରାଜ୍ୟ ସରକାରଙ୍କ ତରଫରୁ ଜାରି ଏସ୍‌ଓପିର କପି ଗତ ଥର ଶୁଣାଣି ସମୟରେ ଦାଖଲ କରାଯାଇଥିଲା। ଘଟଣାର ବିଚାରବିଭାଗୀୟ ତଦନ୍ତ ଚାଲିଛି ବୋଲି ସେ ଦର୍ଶାଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୪, ସେପ୍ଟେମ୍ବର୍‌ ୨୩ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଥିଲେ। ବିଭିନ୍ନ ପରିସ୍ଥିତିରେ ସେନାବାହିନୀର କର୍ମଚାରୀଙ୍କ ମର୍ଯ୍ୟାଦାର ସୁରକ୍ଷା ପାଇଁ କ’ଣ ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରିବାକୁ ଉଦ୍ଦେଶ୍ୟ ରଖୁଛନ୍ତି ସେ ନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ। ନଭେମ୍ବର ୧୨ରେ ମାମଲାର ଶୁଣାଣି ସମୟରେ ସରକାର ଏସ୍‌ଓପିର କପି ଦାଖଲ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ଘଟଣାକୁ ନେଇ ସେପ୍ଟେମ୍ବର ୧୮ରେ ହାଇ କୋର୍ଟ ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ଭାରତ ଏରିଆ ଜେନେରାଲ୍‌ ଅଫିସର କମାଣ୍ଡିଂ ପି.ଏସ୍‌. ଶେଖାୱତ ଏକ ଚିଠି ଲେଖିଥିଲେ। ଏହି ଚିଠିକୁ ବିଚାରକୁ ନେଇ ହାଇକୋର୍ଟ ନିଜଆଡ଼ୁ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ମାମଲାରେ ଗୃହ ସଚିବ, ପୁଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି, ପୁଲିସ କମିସନର୍‌ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆମିକସ୍‌ କ୍ୟୁରି ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଓ ସରକାରଙ୍କ ତରଫରୁ ଏଜିଏ ଶାଶ୍ବତ ଦାସ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe