ଦେବୀଙ୍କୁ ବିଦାୟ, ଲୀଳାଖେଳା ସାରି ମେଲାଣି ନେଇଛି ମା’

Advertisment
ଦେବୀଙ୍କୁ ବିଦାୟ, ଲୀଳାଖେଳା ସାରି ମେଲାଣି ନେଇଛି ମା’

ଲୀଳାଖେଳା ସାରି ମେଲାଣି ନେଇଛି ମା’। ଦେବୀଙ୍କ ଆଗମନରେ ପୁଲକିତ ମନ ଦୁଃଖଦ ବିଦାୟରେ ମଳିନ ପଡ଼ିଯାଉଥିଲା। ଚାହୁଁଚାହୁଁ ନିଃସ୍ବ ହୋଇଯାଉଥିଲା ପୂଜାମଣ୍ଡପ। ବିଦାୟ କାଳୀନ ଦୃଶ୍ୟ କିନ୍ତୁ ଆଖି ଖୋସି ଦେଉଥିଲା। ଘଣ୍ଟଘଣ୍ଟା ଓ ଶଙ୍ଖର ମାଙ୍ଗଳିକ ଧ୍ବନି ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ଫାଟି ପଡ଼ୁଥିଲା ସାରା ସହର। ଧାଡ଼ିଧାଡ଼ି ମେଢ଼ ଦେଖିବାକୁ ରାଜଧାନୀବାସୀ ରାଜରାସ୍ତାରେ ରୁଣ୍ଡ ହୋଇଥିଲେ। ଭିଡ଼କୁ ଭୟ ନଥିଲା, କି କୋଳାହଳକୁ ଖାତିର୍‌ ନଥିଲା। ସହିଦନଗର, ନୂଆପଲ୍ଲୀ, ପୁରୁଣା ଭୁବନେଶ୍ବର ଏବଂ ଚନ୍ଦ୍ରଶେଖରପୁର ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଆଜି ସମୂହ ମେଢ଼ ଦର୍ଶନର ଅବକାଶ ଜୁଟିଥିଲା।

ବାଣୀବିହାର ଆଗରେ, ସହିଦନଗର ପ‌ଛରେ
ସହିଦନଗର ପୂଜା ସମିତି ସମ୍ମୁଖରେ ଆୟୋଜିତ ଭୁବନେଶ୍ବର ଭସାଣି ଉତ୍ସବରେ ରାଜଧାନୀର ୨୩ଟି ମେଢ଼ ଅଂଶଗ୍ରହଣ କରିଥିଲେ। ନିର୍ଧାରିତ ନିୟମ ମୁତାବକ ପ୍ରଥମେ ଆସିଥିବା ବାଣୀ ବିହାର ପୂଜା ମଣ୍ଡପ ୪ଟା ୨୦ରେ ପହଞ୍ଚିଥିଲା। ପରେ ବାଙ୍କୁଆଳ, କୋରଡ଼କଣ୍ଟା, ପଳାଶୁଣି, କେଶୁରା, ୟୁନିଟ୍‌ ୯ ହରପାର୍ବତୀ, ଭୀମଟାଙ୍ଗି, ପୁରୁଣା ଷ୍ଟେସନ୍‌ ବଜାର, ଭିଏସ୍‌ଏସ୍‌ନଗର, ଚକେଇ ସିଆଣୀ, କଟକ ରୋଡ୍‌, ମହାଦେବ, ବମିଖାଲ, ସତ୍ୟନଗର, ବନଦୁର୍ଗା, ମହାବୀର, ଝାରପଡ଼ା, ଗିରିଦୁର୍ଗା, ନହରକଣ୍ଟା ଟ୍ରାଫିକ୍‌ ଛକ ପରେ ଶେଷରେ ସହିଦନଗର ମେଢ଼ ବାହାରିଥିଲା। ସମସ୍ତ ପୂଜା କମିଟିର ସଭାପତି ଓ ସମ୍ପାଦକଙ୍କୁ ଏହି ଅବସରରେ ସମ୍ବର୍ଧିତ କରାଯାଇଥିଲା। ସହିଦନଗର ଦୁର୍ଗାପୂଜା ସମିତିର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ମହାପାତ୍ର, ସମ୍ପାଦକ ନାରାୟୟଣ ମହାପାତ୍ର, ହରିଶ ପ୍ରସାଦ ରଥ ଓ ଉମାନାଥ ମିଶ୍ରଙ୍କ ସମେତ ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

publive-image

ନୂଆପଲ୍ଲୀରେ ୧୫ ମେଢ଼
ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତି ଆନୁକୂଲ୍ନୂରେ ନୂଆପଲ୍ଲୀରେ ମୋଟ୍‌ ୧୫ଟି ମେଢ଼ ସାମିଲ୍‌ ହୋଇଥିଲେ। ଶିରିପୁରସ୍ଥିତ ପ୍ରାଚୀନ ପୀଠ ଦେବୀ ଝାଡ଼େଶ୍ବରୀ ପ୍ରଥ‌ମେ ବାହାରିଥିଲେ।‌ ଶେଷରେ ନୂଆପଲ୍ଲୀ ପୂଜା ସମିତିର ମା’ ଶୋଭାଯାତ୍ରାରେ ବାହାରିଥିଲେ। ଭସାଣ ସମିତିର ସଭାପତି ନିରଂଜନ ମିଶ୍ର, ସଂପାଦକ ଦିଲ୍ଲୀପ ମହାନ୍ତି ଓ ପୂଜା ସମିତିର ଉପଦେଷ୍ଟା ନବକିଶୋର ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ।

କଣ୍ଢେଇ ବାଉଁଶରାଣୀ
ମା’ଙ୍କୁ ମେଲାଣି ବେଳେ ଆକର୍ଷଣ ସାଜିଥିଲା କଣ୍ଢେଇ ବାଉଁଶରାଣୀ। ପୁରୁଣା ଷ୍ଟେସନ ବଜାର ପୂଜା କମିଟି ପକ୍ଷରୁ ଏହି ନାଚ ଦେଖିବାକୁ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏଥିସହ ‌ଘୋଡ଼ା ନାଚ, ଷଣ୍ଢ ନାଚ ସାଙ୍ଗକୁ ସାନ୍ତାଳ ନାଚ ଦର୍ଶକଙ୍କ ମନୋରଞ୍ଜନ କରିଥିଲା।
ଦୁଲଦୁଲିରେ ଦୁଲୁକିଲା
ବିଦାୟ କାଳୀନ ଆଡ଼ମ୍ବରରେ ଡିଜେରେ କାନ ଫାଟି ପଡ଼ୁଥିଲା। ଏଥିସହ ଶିଙ୍ଘ ବାଜା, ଦୁଲଦୁଲି, ଘଣ୍ଟ, ଶଙ୍ଖ ଓ ସଂକୀର୍ତନ ଧ୍ବନିରେ କମ୍ପିଥିଲା। ବଡ଼ଗଡ଼ରେ ନେତାଜୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ଭସାଣି ଯାତ୍ରାରେ ପାରମ୍ପରିକ ବାଦ୍ୟର ବିରାଟ ପଟୁଆର ଆଜି ଆକର୍ଷଣ ସାଜିଥିଲା।

ପୁରୁଣା ଭୁୁବନେଶ୍ବରରେ ୨୧ ମେଢ଼
ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ମଧ୍ୟାହ୍ନ ୧୨ଟାରୁ ସ୍ଥାନୀୟ ଅଞ୍ଚଳରେ ଭସାଣ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ୨୧ଟି ମେଢ଼କୁ ବିଶାଳ ଶୋଭାଯାତ୍ରାରେ ନିଆଯାଇ ବଢ଼େଇବାଙ୍କ ଛକ ଓ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ପରିକ୍ରମା କରାଇବା ପରେ ଦୟା ନଦୀରେ ବିସର୍ଜନ କରାଯାଇଥିଲା। ସଂଧ୍ୟାରେ ରାମାୟଣୀ ସାହି, ପୁରୁଣା ଭୁବନେଶ୍ୱର ବ୍ୟବସାୟୀ ସଂଘ, ବଡ଼ୁ ସାହି, ବ୍ରାହ୍ମଣ ନିଯୋଗ, ମହାବୀର ବଜାର ଓ ସାମନ୍ତରାପୁର ବ୍ୟବସାୟୀ ସଂଘର ମେଢ଼ ବିସର୍ଜନ ହୋଇଥିଲା। ଭସାଣ ଶୋଭାଯାତ୍ରା ସମୟରେ ଅତ୍ୟଧିକ ଭିଡ଼ ଯୋଗୁ ପୁରୁଣା ଭୁବନେଶ୍ବର ବଡ଼ଦାଣ୍ଡଠାରେ ଠେଲାପେଲାରେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନେ ‌ହେଲେ ସାମନ୍ତରାପୁର ଅଞ୍ଚଳର ଚନ୍ଦନ ଭୋଇ ଓ ବିକାଶ ଭୋଇ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପୂର୍ବରୁ ପୁଲିସ ସେଠାରେ ପହଞ୍ଚି ପରିସ୍ଥିତି ସୁଧାରି ନେଇଥିଲା।

publive-image

ଉତ୍ତର ଭୁବନେଶ୍ୱର ଭସାଣ ଉତ୍ସବରେ ୨୦ ମେଢ଼
ଉତ୍ତର ଭୁବନେଶ୍ୱର ଭସାଣ ଉତ୍ସବ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟ ଖୋଲା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦ଟି ମେଢ଼ ସାମିଲ ହୋଇଥିଲେ। ଉତ୍ସବ କମିଟିର ସଂଯୋଜକ ମିହିର ରାଉତ ଓ ସମରେନ୍ଦ୍ର ସାହୁ ମିଠା ହାଣ୍ଡି ଦେଇ ମୁରବିମାନଙ୍କ ମୁହଁ ମିଠା କରିଥିଲେ। ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣି, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ମେୟର ଅନନ୍ତ ନାରାୟଣ ଜେନା ଯୋଗ ଦେଇଥିଲେ। ଗାଡ଼କଣ ପୂଜା କମିଟି ପକ୍ଷରୁ ୧ କୁଇଣ୍ଟାଲ୍‌ର ଏକ ଲଡ଼ୁକୁ ନିଲାମ କରାଯାଇଥିଲା। ଗଣ୍ଡରପୁର କମିଟି ଯୁବକମାନେ ଅମୃତସର ରାବଣ ପୋଡ଼ି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଦୀପ ଦାନ କରିଥିଲେ। ରାତି ୯ଟା ପରେ ମେଢ଼କୁ କୁଆଖାଇ, ଦୟା ଓ ବାରଙ୍ଗ ବଡ଼ ନଈ ଅଭିମୁଖେ ନିଆଯାଇଥିଲା। ପଡ଼ିଆରେ ୧୦ହଜାର ଲୋକଙ୍କ ସମାଗମ ଦେଖିବାକୁ ମଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe