ଭୁଆସୁଣି ଡମ୍ପିଂୟାର୍ଡକୁ ଯାଉନି ଆବର୍ଜନା: ଭର୍ତ୍ତି ହୋଇଗଲାଣି ଟିଟିଏସ୍‌

Advertisment

ଭୟଙ୍କର ହେଲାଣି ପରିସ୍ଥିତି, ସମାଧାନ ପାଇଁ ଉଦ୍ୟମ କରୁଛୁ: ବିଏମ୍‌ସି

ଭୟଙ୍କର ହେଲାଣି ପରିସ୍ଥିତି, ସମାଧାନ ପାଇଁ ଉଦ୍ୟମ କରୁଛୁ: ବିଏମ୍‌ସି

ଭୁଆସୁଣି ଡମ୍ପିଂୟାର୍ଡକୁ ଯାଉନି ଆବର୍ଜନା: ଭର୍ତ୍ତି ହୋଇଗଲାଣି ଟିଟିଏସ୍‌

ଭୁବନେଶ୍ବର : ଗତ ୮ ତାରିଖରେ ଭୁଆସୁଣି ଡମ୍ପିଂୟାର୍ଡ ରାସ୍ତାରେ ହୋଇଥିବା ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆବର୍ଜନା ପକାଇବା ପାଇଁ ଗାଡ଼ିକୁ ଛାଡ଼ୁ ନାହାନ୍ତି। ଦୁର୍ଘଟଣାରେ ଆହତ ବ୍ୟକ୍ତି ଘରୋଇ ହସ୍‌ପିଟାଲ୍‌ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। କ୍ଷତିପୂରଣ ସହ ଏକାଧିକ ଦାବି ନେଇ ଗ୍ରାମବାସୀ ଜିଦ୍‌ରେ ଅଟଳ ରହିଛନ୍ତି। ଫଳରେ ଦୁଇ ଦିନ ହେବ ଡମ୍ପିଂୟାର୍ଡକୁ ଆବର୍ଜନା ଯାଇପାରୁନି। ସବୁ ସୈନିକ ସ୍କୁଲ ପାଖ ଟିଟିଏସ୍‌ରେ ଗଦା ହୋଇ ରହୁଛି। ତିନିଦିନର ଆବର୍ଜନାରେ ଟିଟିଏସ୍‌ ଭର୍ତ୍ତି ହୋଇଗଲାଣି। ଗୁରୁବାର ଦିନ ଟିଟିଏସ୍‌ ଭର୍ତ୍ତି ହୋଇଯିବା ପରେ କେତେକ ଜାଗାରୁ ଆବର୍ଜନା ଉଠି ପାରିନି। ସେଥିପାଇଁ ଆଜି ସାରା ଦିନ ସେଠାରେ ଜେସିବି ସାହାଯ୍ୟରେ ଆବର୍ଜନାକୁ ପାହାଡ଼ ଭଳି ଗଦା କରି ଆସନ୍ତାକାଲି ପାଇଁ କିଛି ଜାଗା ଖାଲି କରାଯାଇଛି। ଆଜି ମଧ୍ୟ ଏହି ବିବାଦର ସମାଧାନର ବାଟ ବାହାରି ପାରି ନଥିବାରୁ ପରିସ୍ଥିତି ଉତ୍କଟ ହେବାକୁ ବସିଛି।

ତିନି ଦିନ ଧରି ସମସ୍ୟା ଲାଗି ରହିଥିଲେ ମଧ୍ୟ ବିଏମ୍‌ସି ସମାଧାନ କରିପାରୁନାହିଁ। ପରିମଳକୁ ନେଇ ବିଏମ୍‌ସି ତତ୍ପର ଥିବା ଦର୍ଶାଉଥିଲେ ମଧ୍ୟ ଏଭଳି ଉତ୍କଟ ପରିସ୍ଥିତିର ସମାଧାନ କରିପାରୁ ନାହିଁ। ଆଜି ଛୁଟି ଥିଲେ ମଧ୍ୟ କମିସନରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସହରର ବିଭିନ୍ନ ଅଞ୍ଚଳ ବୁଲି ପରିମଳ ନେଇ ସଚେତନତା ସୃଷ୍ଟି କରିବା ସହ ବ୍ୟବସାୟୀଙ୍କୁ ଜରିମାନାରେ ଦଣ୍ଡିତ କରିଛନ୍ତି। ସାରା ଦିନ ପରିମଳ ଓ ଡେଙ୍ଗୁକୁ ନେଇ ସଚେତନତା ଜାରି ରହିଛି। ହେଲେ ଏହି ବଡ଼ ସମସ୍ୟାକୁ ନେଇ ବିଏମ୍‌ସି ଚିନ୍ତା କରିନାହିଁ। ଆସନ୍ତାକାଲି ସମାଧାନ ନ ହେଲେ ବା ଆବର୍ଜନା ଭୁଆସୁଣିକୁ ନ ଗଲେ ରାସ୍ତା କଡ଼ରେ ଆବର୍ଜନା ଗଦା ହେବା ଭଳି ଆଶଙ୍କା ସୃଷ୍ଟି ହୋଇଛି। ଆବର୍ଜନା ନେବା ପାଇଁ ବିଏମ୍‌ସି ଠିକାସଂସ୍ଥାକୁ ଅନୁରୋଧ କରିଥିଲେ ମଧ୍ୟ ବିରୋଧ ଭୟରେ ସେମାନେ ସୁରକ୍ଷା ଲୋଡ଼ିଛନ୍ତି। ଏଣୁ ବାଟ ବାହାରି ପାରୁନି କି ଆବର୍ଜନା ଯାଇପାରୁନି।

ଗତ ୮ ତାରିଖ ମଧ୍ୟାହ୍ନରେ ଅଳିଆ ବୁହା ଗାଡ଼ି ଆବର୍ଜନା ନେଇ ଡମ୍ପିଂୟାର୍ଡକୁ ଯାଉଥିବା ବେଳେ ଦାରୁଠେଙ୍ଗ ଗ୍ରାମର ଜଣେ ଯୁବକ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ନୂଆ ଆବର୍ଜନା ଗଦା ନ କରି ବାୟୋମାଇନିଂ ଆରମ୍ଭ କରିବାକୁ ଗ୍ରାମବାସୀ ଜିଦ୍‌ କରିଥିଲେ। କିନ୍ତୁ ବିଏମ୍‌ସି ନୂଆ ଆବର୍ଜନା ବନ୍ଦ କରିପାରିନଥିଲା କି ବାୟୋମାଇନିଂ ଆରମ୍ଭ କରିପାରିନଥିଲା। ସେବେ ଠାରୁ ଅସନ୍ତୋଷ କୁହୁଳୁଥିଲା। ବିଭିନ୍ନ ସମୟରେ ଉତ୍ତେଜନା ପ୍ରକାଶ ପାଉଥିଲା। ଏବେ ଏହି ଦୁର୍ଘଟଣା କୁହୁଳୁଥିବା ଅସନ୍ତୋଷରେ ନିଆଁ ଲଗାଇ ଦେଇଛି। ଫଳରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ ଜଗି ବସି ରହିଛନ୍ତି। କୌଣସି ଆବର୍ଜନା ଗାଡ଼ିକୁ ଡମ୍ପିଂୟାର୍ଡକୁ ପୂରାଇ ଦେଉ ନାହାନ୍ତି। ଏ ନେଇ ବିଏମ୍‌ସି ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ ସାହୁ କହିଛନ୍ତି, ଆମେ ଆଲୋଚନା କରୁଛୁ। ଆସନ୍ତାକାଲି ନିଶ୍ଚୟ ବାଟ ବାହାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe