ବିମାନବନ୍ଦରରେ ହୋଟେଲ ନିର୍ମାଣ ଉପରେ ରୋକ୍‌

Advertisment

ଅନୁମତି ନ ମିଳିବା ପର୍ଯ୍ୟନ୍ତ କାମ ବନ୍ଦ

ଅନୁମତି ନ ମିଳିବା ପର୍ଯ୍ୟନ୍ତ କାମ ବନ୍ଦ

ବିମାନବନ୍ଦରରେ ହୋଟେଲ ନିର୍ମାଣ ଉପରେ ରୋକ୍‌

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ବିଡିଏ ଧକ୍କା ଲାଗିଛି। ବିମାନବନ୍ଦର ଟର୍ମିନାଲ ବାହାରେ ନିର୍ମାଣ ହେଉଥିବା ହୋଟେଲ, ସପିଂ ମଲ୍‌, ବାଣିଜ୍ୟିକ ଅଞ୍ଚଳ, ମନୋରଞ୍ଜନ ଅଞ୍ଚଳ ନିର୍ମାଣ ଉପରେ ରୋକ୍‌ ଲାଗିଛି। ଏହା ବିଡିଏର ମାଷ୍ଟର ପ୍ଲାନ୍‌ ସିଡିପି-୨୦୧୦ରେ ନ ଥିବାବେଳେ ଏହି ଅଞ୍ଚଳ ଯେଉଁଥିପାଇଁ ଯୋଜନା ହୋଇଛି ସେହି ଅନୁଯାୟୀ ଏଠାରେ କାର୍ଯ୍ୟ ହେଉନି। ତେଣୁ ବିଡିଏରୁ ଅନୁମତି ନ ମିଳିବା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ରୋକ୍‌ ଲଗାଯାଇଛି।

ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ପି.କେ ବିଶ୍ୱାଳ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କୁ ଚିଠି ଲେଖିଛନ୍ତି ଯେ, ଭୁବନେଶ୍ୱର ବିମାନବନ୍ଦରରେ ହୋଟେଲ, ସପିଂ ମଲ୍‌ ଏବେ ନିର୍ମାଣ କରିବାକୁ ଟେଣ୍ଡର ଆହ୍ଵାନ କରାଯାଇଥିବା ବିଡିଏ ନଜରକୁ ଆସିଛି। ଏହାବାଦ୍‌ ଏହି ଅଞ୍ଚଳରେ କେତୋଟି ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ମାତ୍ର ବିଡିଏର ସିଡିପି-୨୦୧୦ରେ ଅଛି ଯେ, ଏଠାରେ ତୃତୀୟ ଟର୍ମିନାଲ (ଟି-୩) ନିର୍ମାଣ ହେବ। ଏହା ପରିବହନ ଜୋନ୍‌ ଭାବେ ପରିଗଣିତ ହେବ। ଏଠାରେ ସିଟି ବସ୍‌ ପାର୍କିଂଠାରୁ ଆରମ୍ଭ କରି କାର୍‌ ପାର୍କିଂ ଏବଂ ଅନ୍ୟାନ୍ୟ ପରିବହନ ଜନିତ ବ୍ୟବସ୍ଥା ରହିବ। ହେଲେ ଏଠାରେ କୌଣସି ହୋଟେଲ, ସପିଂ ମଲ୍‌ ନିର୍ମାଣ ପାଇଁ ଯୋଜନା ନାହିଁ। ଏପରିକି ବିଡିଏର ଜୋନିଂ ନିୟମର ବିଡିଏ (ପ୍ଲାନିଂ ଆଣ୍ଡ୍‌ ବିଲଡିଂ) ନିୟମ ୨୦୦୮, (ସଂଶୋଧିତ ୨୦୧୩) ଅନୁଯାୟୀ ଏହି ସ୍ଥାନରେ ହୋଟେଲ କି ସପିଂ ମଲ୍‌ ହୋଇପାରିବନି। କିନ୍ତୁ ବିମାନବନ୍ଦର କର୍ତ୍ତୃପକ୍ଷ ସବୁ ନିୟମକୁ ଜଳାଞ୍ଜଳି ଦେଇ ଏଠାରେ ମନଇଚ୍ଛା ନିର୍ମାଣ କାର୍ଯ୍ୟ କରୁଛନ୍ତି। ବିଡିଏ/ବିଏମ୍‌ସିରୁ ଅନୁମତି ନ ମିଳିବା ପର୍ଯ୍ୟନ୍ତ ଏଠାରେ କୌଣସି ପ୍ରକାରର ନିର୍ମାଣ କାର୍ଯ୍ୟ ହୋଇପାରିବନି ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ବିମାନବନ୍ଦର କର୍ତ୍ତୃପକ୍ଷ ଗତ ସେପ୍ଟେମ୍ବର ୫ତାରିଖରେ ବିମାନବନ୍ଦର ପରିସରରେ ତିନି ତାରକା ହୋଟେଲ ନିର୍ମାଣ ପାଇଁ ଟେଣ୍ଡର ଆହ୍ଵାନ କରିଛନ୍ତି। ଏଠାରେ ୧୦୦ରୁମ୍‌ ବିଶିଷ୍ଟ ହୋଟେଲ ନିର୍ମାଣ କରିବାକୁ ଯୋଜନା ହୋଇଛି। ଏହାବାଦ୍‌ ୨୫୦ସିଟ୍‌ ବିଶିଷ୍ଟ ସମ୍ମିଳନୀ କକ୍ଷ, ସପିଂ ମଲ୍‌ ବି ନିର୍ମାଣ କରିବାକୁ ଯୋଜନା ହୋଇଛି। ଏହି ପ୍ରକଳ୍ପ ୨୦୧୯ ମଧ୍ୟରେ ଶେଷ କରିବାକୁ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି। ଏପରିକି ଏହି ପ୍ରକଳ୍ପ ଘୋଷଣା ସମୟରେ ବିମାନବନ୍ଦର ନିର୍ଦ୍ଦେଶକ କହିଥିଲେ ଯେ, ଆମେ ଏହି ନିର୍ମାଣ ପାଇଁ ସମସ୍ତ ପ୍ରକାରର ଏନ୍‌ଓସି ପାଇଛୁ। ତେଣୁ ନିର୍ମାଣରେ କୌଣସି ସମସ୍ୟା ନାହିଁ। କିନ୍ତୁ ଏବେ ରାଜ୍ୟ ସରକାର ରୋକ୍‌ ଲଗାଇବା ପରେ ଏହା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe