ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ପ୍ରସଙ୍ଗ : କାଠ ଖୁଣ୍ଟରେ ସେଣ୍ଟ୍ରିଂ କାଳ ସାଜିଲା!

Advertisment
ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ପ୍ରସଙ୍ଗ : କାଠ ଖୁଣ୍ଟରେ ସେଣ୍ଟ୍ରିଂ କାଳ ସାଜିଲା!

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ରାତିରେ ଛାତ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ହେବା ପରେ ଏହାକୁ ନେଇ ବିବାଦ ଜୋର୍‌ ଧରିଛି। ଛାତ କାହିଁକି ଭୁଶୁଡ଼ିଲା, କାହା ଅବହେଳାରୁ ଜଣଙ୍କର ଜୀବନ ଗଲା, ସେନେଇ ଏବେ ‌ସବୁଠି ଆଲୋଚନା। ଆଜି ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କ ତଦନ୍ତ କମିଟି କ୍ଷେତ୍ର ପରିଦର୍ଶନ କରିବା ପରେ ଠିକା ସଂସ୍ଥାର ନିମ୍ନମାନର କାମ ପ୍ରତି ଅଙ୍ଗୁଳି ଉଠିଛି।

ବିଜୁ ପଟ୍ଟନାୟକ ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ ଏଠାରେ ଦିଲ୍ଲୀପ କନଷ୍ଟ୍ରକସନ୍ ପକ୍ଷରୁ ଯେଉଁ କୋଠା ନିର୍ମାଣ ହେଉଥିଲା, ସେଥିରେ କିଛି ତ୍ରୁଟି ଥିବା ଭଳି ଲାଗୁଛି। ଏଏଆଇର ବୈଷୟିକ କମିଟି ତଦନ୍ତ କରି ରିପୋର୍ଟ ଦେଲେ ଏହା ଜଣାପଡ଼ିବ। କିନ୍ତୁ ଆଜି ଆମର କିଛି ଅଧିକାରୀ ଅନୌପଚାରିକ ଭାବେ ଯାଞ୍ଚ କରିବା ପରେ କହିଛନ୍ତି ଯେ ସମସ୍ତ ବଡ଼ ନିର୍ମାଣ ପାଇଁ ଲୁହା ପାଇପ୍ ଖୁଣ୍ଟରେ ସେଣ୍ଟ୍ରିଂ କରାଯାଏ। ଏହା ଉପରେ ପ୍ଲାଏ ପକାଇ ଢଳେଇ ହୁଏ। ହେଲେ ଏଠାରେ ଯେଉଁ ସେଣ୍ଟ୍ରିଂ ହୋଇଛି ସେଥିପାଇଁ କାଠ ଖୁଣ୍ଟ ବ୍ୟବହାର କରାଯାଇଛି। ଅଧିକ କଙ୍କ୍ରିଟ ଓ ବଡ଼ ଅଞ୍ଚଳରେ ଢଳେଇ ହୋଇଥିବାରୁ ଏଥିରେ ନିୟମ ଅନୁଯାୟୀ ଲୁହା ପାଇପ୍‌ରେ ସେଣ୍ଟ୍ରିଂ ହେବା କଥା। ହେଲେ ଦିଲ୍ଲୀପ କନଷ୍ଟ୍ରକସନ୍ କର୍ତ୍ତୃପକ୍ଷ କିପରି ନିୟମକୁ ଜଳାଞ୍ଜଳି ଦେଇ କାଠ ଖୁଣ୍ଟରେ ସେଣ୍ଟ୍ରିଂ କଲେ ତାହା ଜଣାପଡ଼ୁନି। ଏହାବାଦ୍ ଲିଙ୍କ୍‌ ବିଲଡିଂରେ ଯେଉଁ ସବୁ ପିଲାର ନିର୍ମାଣ ହୋଇଛି ତା’ଭିତରେ ଦୂରତା ୫୦ଫୁଟ ପାଖାପାଖି ରହିଛି। ଛାତ ପକାଇବା ପାଇଁ ଯେଉଁ ରଡ୍‌ ବାଇଣ୍ଡିଂ ହୁଏ ‌ସେଥିରେ ଦୁଇଟି ରଡ୍‌ ମାଧ୍ୟରେ ଦୂରତା ୪ ଇଞ୍ଚ ରହିବା କଥା। ହେଲେ ଏଠାରେ ୬ ଇଞ୍ଚରୁ ଅଧିକ ରହିଛି। ଫଳରେ ଛାତ ପକାଇବା ବେଳେ କଙ୍କ୍ରିଟ ଢଳେଇର ବୋଝ ଅଧିକ ହୋଇଗଲା। ତଳେ କାଠରେ ସେଣ୍ଟ୍ରିଂ ହୋଇଥିବାରୁ ଏହି ବୋଝ ସମ୍ଭାଳି ନ ପାରି ଛାତ ଭୁଶୁଡ଼ି ପଡ଼ିଲା। ହୁଏତ ଲୁହା ପାଇପ୍‌ରେ ସେଣ୍ଟ୍ରିଂ ହୋଇଥିଲେ ଏବଂ ଦୁଇ ରଡ୍‌ ମଧ୍ୟରେ ଦୂରତା ୪ଇଞ୍ଚ ରଖିଥିଲେ ଛାତ ଭୁଶୁଡ଼ି ନଥାନ୍ତା।

ଆସନ୍ତା ସପ୍ତାହକ ମଧ୍ୟରେ ଏଏଆଇର ବୈଷୟିକ ତଦନ୍ତ କମିଟି ଆସି ଯାଞ୍ଚ କରିବା ପରେ ସବୁ ଜଣାପଡ଼ିବ ବୋଲି ଉକ୍ତ ଅଧିକାରୀଜଣଙ୍କ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe