ସମସ୍ୟା ‌ଘେରରେ ବିସିଡିଡି-୨ : ୫ ବର୍ଷରେ ମଲେଣି ୩ କର୍ମଚାରୀ

କର୍ମଚାରୀଙ୍କ ଉପରେ କାମ ଚାପ, ଦୁର୍ଘଟଣା ବଢ଼ୁଛି, ଟ୍ରାନ୍ସଫର୍ମର ମୁକୁଳା, ମରୁଛନ୍ତି ଗୃହପାଳିତ ପଶୁ

ସମସ୍ୟା ‌ଘେରରେ ବିସିଡିଡି-୨ : ୫ ବର୍ଷରେ ମଲେଣି ୩ କର୍ମଚାରୀ

ଚନ୍ଦ୍ରଶେଖରପୁର : ସମସ୍ୟା ‌ଘେରରୁ ମୁକୁଳି ପାରୁନି ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ୍‌-୨(ବିସିଡିଡି-୨)। ଡିଭିଜନର ସମସ୍ତ ସେକ୍ସନରେ କର୍ମଚାରୀଙ୍କ ଅଭାବ ଲାଗି ରହିଛି। କେଉଁଠି କର୍ମଚାରୀ ୧୨ରୁ ୧୪ ଘଣ୍ଟା ଧରି ଡ୍ୟୁଟି କରୁଛନ୍ତି ତ ଆଉ କେଉଁଠି ରାତିରେ ଡ୍ୟୁଟି କରିବାକୁ କର୍ମଚାରୀ ନାହାନ୍ତି। ଚନ୍ଦ୍ରଶେଖରପୁର-୧ ସମେତ ଚନ୍ଦ୍ରଶେଖରପୁର-୨, କାନନ ବିହାର, ଗୋଡ଼ିସାହି, ବାରଙ୍ଗ ଆଦି ସେକ୍ସନରେ ସ୍ଥିତି ଅଧିକ ଜଟିଳ ହୋଇଛି। କେତେକ ସେକ୍ସନରେ ରାତିରେ ଫୋନ୍‌ କଲ୍‌ ଉଠାଇବାକୁ କେହି ନାହାନ୍ତି। ମରାମତି ହେବା ତ ଦୂରର କଥା, ଫୋନ୍‌ରେ ଅଭିଯୋଗ ଗ୍ରହଣ କରିବାକୁ ବି ସେକ୍ସନରେ କର୍ମଚାରୀଙ୍କ ସଂକଟ ‌ଦେଖିବାକୁ ମିଳିଛି।

ନିୟମ ଅନୁଯାୟୀ କର୍ମଚାରୀମାନେ ଅତି ବେଶିରେ ୮ଘଣ୍ଟା କାର୍ଯ୍ୟ କରିବା କଥା। ହେଲେ ବିସିଡିଡି-୨ରେ ସମ୍ପୂର୍ଣ୍ଣ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। କାହାର କେତେ ଘଣ୍ଟା ଡ୍ୟୁଟି ପଡ଼ୁଛି, ସେନେଇ କାହା ପାଖରେ ଖବର ନାହିଁ। କିଛି ସେକ୍ସନ୍‌ରେ ରୋଟେସନ୍‌ ସିଷ୍ଟମ ଯେମିତି ନ ଥିଲା ପରି ମନେ ହେଉଛି। ଯେଉଁମାନେ ରାତିରେ ଡ୍ୟୁଟି କରୁଛନ୍ତି, ସେମାନେ ସେମିତି ବର୍ଷ ବର୍ଷ ଧରି ରାତିରେ କାର୍ଯ୍ୟ କରି ଚାଲିଛନ୍ତି। ଦିନ ଦେଖିବା ସେମାନଙ୍କ ପାଇଁ ସ୍ବପ୍ନ ପାଲଟିଛି। ଅଭିଯୋଗ ହେଉଛି ଯେ ଅତ୍ୟଧିକ କାମ ଯୋଗୁଁ କର୍ମଚାରୀମାନେ ବିଭିନ୍ନ ସମୟରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ବିସିଡିଡି-୨ରେ ଗତ ୫ ବର୍ଷ ମଧ୍ୟରେ ଡ୍ୟୁଟି ସମୟରେ ୩ଜଣଙ୍କ ମୃତ୍ୟୁ ହୋଇଛି। କିଛି ମାସ ପୂର୍ବରୁ କାନନ ବିହାର ଅଞ୍ଚଳରେ ଜଣେ ଲାଇନ୍‌ମ୍ୟାନ୍‌ ବିଦ୍ୟୁତ୍‌ କାମ କରୁଥିବା ବେଳେ ମୃତ୍ୟୁ ହୋଇଥିଲା। ଅନେକ କର୍ମଚାରୀ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି। ଏଭଳି ସ୍ଥିତି ସମ୍ପର୍କରେ ସମସ୍ତେ ଅବଗତ ଥିଲେ ମଧ୍ୟ କେହି ଗୁରୁତ୍ବ ଦେଉନାହାନ୍ତି। ଅଭିଯୋଗ କଲେ ମଧ୍ୟ ଉପରିସ୍ଥ ଅଧିକାରୀମାନେ ଶୁଣୁ ନ ଥିବା ଡିଭିଜନ୍‌ରେ କାର୍ଯ୍ୟରତ ବିଦ୍ୟୁତ୍‌ ବିଭାଗ କର୍ମଚାରୀମାନେ ଅଭିଯୋଗ କରିଛନ୍ତି।

କେବଳ ଯେ କର୍ମଚାରୀ ସମସ୍ୟା ନୁହେଁ, ଲୋକଙ୍କୁ ଠିକ୍‌ ଭାବେ ସେବା ମିଳୁ ନଥିବା ଅଭିଯୋଗ ହୋଇଛି। ଅରବିନ୍ଦ ମାର୍କେଟ୍‌ କମ୍ପ୍ଲେକ୍ସରେ ଦୁଇ ସପ୍ତାହ ହେଲା ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲେ ମଧ୍ୟ ମରାମତି ହେଉନି। ନିକଟସ୍ଥ ଟ୍ରାନ୍ସଫର୍ମର୍‌ରୁ ବିଦ୍ୟୁତ୍‌ ଅଣାଯାଇ ଲୋକଙ୍କୁ ଦିଆଯାଉଛି। ହେଲେ ମରାମତିର ନା ଗନ୍ଧ ଧରୁ ନାହାନ୍ତି। ଯେଉଁଥିପାଇଁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୪ରୁ ୫ବର୍ଷ ମଧ୍ୟରେ ଚନ୍ଦ୍ରଶେଖରପୁର-୧ ସେକ୍ସନରେ ୨୦୦ରୁ ଅଧିକ ଟ୍ରାନ୍ସଫର୍ମର ପୋଡ଼ି ଥିବା ସୂଚନା ମିଳିଛି।

ବଡ଼ କଥା ହେଉଛି ଯେ କାନନବିହାରଠାରୁ ଆରମ୍ଭ କରି ବିଡିଏ କଲୋନି ପର୍ଯ୍ୟନ୍ତ, ପଟିଆଠାରୁ କିଟ୍‌ ଅଞ୍ଚଳ; ସବୁଠି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର୍‌ ମୁକୁଳା ପଡ଼ିଛି। କେଉଁଠି ଟ୍ରାନ୍ସଫର୍ମର୍‌ ଉପରେ ଗଛ ମାଡ଼ି ଗଲାଣି ତ ଆଉ କେଉଁଠି ଗଛ ଡାଳ ୧୧କେଭି ବିଦ୍ୟୁତ ତାର ଉପରକୁ ଚଢ଼ି ଆସିଲାଣି। ଯେଉଁଥିପାଇଁ ପ୍ରତି ସପ୍ତାହରେ ବିସିଡିଡି-୨ ଅଞ୍ଚଳରେ ଦୁର୍ଘଟଣା ଘଟୁଛି। ଅନେକ ଗୃହପାଳିତ ପଶୁଙ୍କ ଜୀବନ ମଧ୍ୟ ଯାଉଛି। ଗତ ୬ ମାସ ମଧ୍ୟରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଓ ତାର ସଂସ୍ପର୍ଶରେ ଆସି ୫ଟି ଗୃହପାଳିତ ପଶୁଙ୍କ ଜୀବନ ଯାଇଛି। ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe