ଭୁବନେଶ୍ବର ଡାଏରୀ: ହାରିଗଲେ କର୍ପୋରେଟର୍‌, ଜିତିଗଲେ ଅଧିକାରୀ

Advertisment
ଭୁବନେଶ୍ବର ଡାଏରୀ: ହାରିଗଲେ କର୍ପୋରେଟର୍‌, ଜିତିଗଲେ ଅଧିକାରୀ

Bhubaneswar Smart City Limited

ବହୁମତରେ ନିର୍ବାଚନ ଜିତିଥିଲେ କର୍ପୋରେଟର। କିନ୍ତୁ ଶାସକ ଦଳର ବରିଷ୍ଠ ସଭ୍ୟ ହୋଇ ବି ବିଏମ୍‌ସି ଅଫିସ୍‌ ଭିତରେ ଜଣେ ଅଧିକାରୀଙ୍କ ସମ୍ମୁଖରେ ହାରିଗଲେ। ଏହି କର୍ପୋରେଟର୍ ଜଣଙ୍କ ହେଲେ କୁମାରେନ୍ଦ୍ର ମହାପାତ୍ର। ବଡ଼ କଥା ହେଉଛି, ସେ କେବଳ ଜଣେ ସାଧାରଣ କର୍ପୋ‌ରେଟର ନୁହନ୍ତି, ଦୁଇ ଦୁଇ ଥର ଜିତିଥିବା କୁମାରେନ୍ଦ୍ର ଏବେ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଅଛନ୍ତି। କମିଟି ବୈଠକରେ କୌଣସି କାରଣକୁ ନେଇ ଏଷ୍ଟାବ୍ଲିସ୍‌ମେଣ୍ଟ୍ ଦାୟିତ୍ବରେ ଥିବା ଡେପୁଟି କମିସନର୍ ଗାୟତ୍ରୀ ସାମନ୍ତରାୟଙ୍କ ସହ ତାଙ୍କର ଯୁକ୍ତିତର୍କ ହେଲା। କଥା ଏମିତି ବଢ଼ିଲା ଯେ କେହି କାହା ମୁହଁକୁ ଚାହିଁଲେନି।

ବୈଠକ ଅଧାରୁ ଉଠି ଚାଲିଆସିଲେ କୁମାରେନ୍ଦ୍ର। ମେୟର ଓ ସାଥୀ କର୍ପୋରେଟର୍‌ମାନେ ବୁଝାଇଲେ ବି ସେ ବୁଝିଲେ ନାହିଁ। ପରବର୍ତ୍ତୀ ସମୟରେ କମିଟି ବୈଠକ ବି ଡାକିଲେ ନାହିଁ। ସିଧା ଶୁଣାଇ ଦେଇଥିଲେ- ସେ କମିଟି ଅଧ୍ୟକ୍ଷ ପଦ ଛାଡ଼ିବେ, ନ‌ଚେତ ସଂପୃକ୍ତ ଅଧିକାରୀ ସେଠାରୁ ବିଦା ହେବେ। ବିବାଦ ଏମିତି ସ୍ତରରେ ପହଞ୍ଚିଲା ଯେ ଜନପ୍ରତିନିଧିଙ୍କ କଥା ଶୁଣିବା ପାଇଁ କମିସନର୍‌ ଏକ ନିର୍ଦ୍ଦେଶନାମା ବି ଜାରି କଲେ। କିନ୍ତୁ ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। କର୍ପୋରେଟର୍‌ଙ୍କ ନାକ କଟିଲା। ଅଧିକାରୀଙ୍କ ଜିଦି ହିଁ ରହିଲା। ଅଧିକାରୀ ଜଣଙ୍କ ତାଙ୍କ ଜାଗାରେ ସହିସଲାମତ୍‌ ରହିଲେ। ଷ୍ଟାଣ୍ଡିଂ କମିଟି ବୈଠକ ବି ଆବଶ୍ୟକ ପଡ଼ିଲାନି। ଶାସକ ଦଳର କେହି ଜଣେ ବି କର୍ପୋରେଟର ତାଙ୍କ ପାଇଁ ପାଟି ଫାଳକୁ ଦି’ଫାଳ କଲେ ନାହିଁ। କୁମାରେନ୍ଦ୍ର ବି ସୁନା ପିଲା ପରି ମାସିକ କାଉନ୍‌ସିଲ୍‌ ବୈଠକରେ ତୁନି ହୋଇ ବସିଲେ। ଶୁଣାଯାଉଛି ଯେ ଏକାଧିକ ଥର ବଦଳି ନିର୍ଦ୍ଦେଶ ବାହାରିବା ପ‌ରେ ବି ଗାୟତ୍ରୀ ମାଡାମ୍‌ ବିଏମ୍‌ସି ଛାଡ଼ୁନାହାନ୍ତି। ବାସ୍ତବରେ ବିଏମ୍‌ସି ପାଇଁ ତାଙ୍କର ବିକଳ୍ପ ନାହିଁ ନା ଆଉ କିଛି ଅଦୃଶ୍ୟ ଚାପ ରହିଛି, ତାହା ରହସ୍ୟ ଘେରରେ। କିନ୍ତୁ ଜଣେ ଜନପ୍ରତିନିଧିଙ୍କ ନାକ କଟିଯିବା ଘଟଣା ଏକ ଅଲୋଡ଼ା ପରମ୍ପରା ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe