ଭୁବନେଶ୍ୱର ଆଇଆଇଟିର ଦଶମ ସମାବର୍ତନ ଉତ୍ସବ: ‘କ୍ଷୁଧା, ନିରକ୍ଷରତା, ରୋଗଠାରୁ ସ୍ବାଧୀନତା ପାଇନୁ’

Advertisment
ଭୁବନେଶ୍ୱର ଆଇଆଇଟିର ଦଶମ ସମାବର୍ତନ ଉତ୍ସବ: ‘କ୍ଷୁଧା, ନିରକ୍ଷରତା, ରୋଗଠାରୁ ସ୍ବାଧୀନତା ପାଇନୁ’

ଶହେ ପ୍ରକଳ୍ପରେ ଗବେଷଣା ଚାଲିଛି
୮୬ଟି ନୂତନ ପ୍ରକଳ୍ପ ପାଇଁ ପ୍ରସ୍ତାବ
ଦିନେଶ ମହାନ୍ତିଙ୍କୁ ରାଷ୍ଟ୍ରପତି ସ୍ବର୍ଣ୍ଣପଦକ

ଭୁବନେଶ୍ବର : ମହାକାଶକୁ ରକେଟ୍‌ ପଠାଇଛୁ। ବଡ଼ ବଡ଼ ଡ୍ୟାମ୍‌ ନିର୍ମାଣ କରିଛୁ। ଭଲ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଛୁ। ବିଶ୍ବର ନାମକରା ସଫ୍ଟୱେୟାର ଇଣ୍ଟଷ୍ଟ୍ରି ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛୁ। ବିଶ୍ବସ୍ତରୀୟ ଖ୍ୟାତନାମା ବୈଜ୍ଞାନିକ, ଇଞ୍ଜିନିୟର ଓ ଅର୍ଥନୈତିଜ୍ଞ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛୁ। ରାଜନୈତିକ ସ୍ବାଧୀନତା ମଧ୍ୟ ପାଇଛୁ, ହେଲେ କ୍ଷୁଧା, ନିରକ୍ଷରତା, ରୋଗଠାରୁ ଏ ପର୍ଯ୍ୟନ୍ତ ସ୍ବାଧୀନତା ପାଇପାରୁ ନାହିଁ। ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନ ସାକାର ହୋଇ‌ନି। ସେଦିଗରେ ଆମକୁ କାର୍ଯ୍ୟ କରିବାକୁ ହେବ। ଏଥିରେ ଯୁବପିଢ଼ି ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ। ଆଜି ଭୁବନେଶ୍ବର ଆଇଆଇଟିର ଦଶମ ସମାବର୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଇନ୍‌‌ଫୋସିସ୍‌ର ପ୍ରତିଷ୍ଠାତା ଏନ୍‌.ଆର ନାରାୟଣମୂର୍ତ୍ତି ଏକଥା କହିଛନ୍ତି।

ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ଦେଇ ଶ୍ରୀ ନାରାୟଣମୂର୍ତ୍ତି କହିଲେ; ପିଲାମାନେ ଆଜି ତୁମ ଦିନ। ତୁମମାନଙ୍କ କଠିନ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି, ସ୍ମାର୍ଟନେସ୍‌, ଶୃଙ୍ଖଳାକୁ ସମ୍ମାନ ଦେବାର ସମୟ। ପରିବା‌ର ଓ ଶିକ୍ଷକମାନଙ୍କ ସହଯୋଗରେ ତୁମେମାନେ ଆଗକୁ ବଢ଼ିଛ। ଭବିଷ୍ୟତରେ ଆସିବାକୁ ଥିବା ଆହ୍ବାନକୁ ମୁକାବିଲା କରିବାର ଏବେ ସମୟ ଆସିଛି। ଅତୀତ ପିଢ଼ି ଯାହା କରି ନ ଥିଲେ ଏବେ ତୁମମାନଙ୍କୁ କରିବାକୁ ହେବ। ଏଥିପାଇଁ କଠିନ ମାନସିକତାର ସହ ଚିନ୍ତା କରିବାକୁ ପଡ଼ିବ। ସମାଜ ପ୍ରତି ଥିବା କର୍ତବ୍ୟକୁ ଠିକ୍‌ ବାଟରେ ନେବାକୁ ହେବ। ଖାଲି ସ୍ଲୋଗାନ ଦେଲେ ହେବ ନାହିଁ, ବରଂ ଏଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ପ୍ରଥମେ ଭଲ ନାଗରିକ ହେବାକୁ ଚେଷ୍ଟା କର। ନିଜର, ପରିବାରର ସହ ସାଧାରଣ ଲୋକଙ୍କ କଥା ବି ଚିନ୍ତା କରିବାକୁ ହେବ। ଏହି ଦେଶ ତୁମର। ତେଣୁ ଏହି ଦେଶର ମାନସିକତା ନେଇ କାର୍ଯ୍ୟ କର ବୋଲି ସେ ଆହ୍ବାନ ଦେଇଥିଲେ। ଆଇଆଇଟି ଭୁବନେଶ୍ବରର ବୋର୍ଡ ଅଫ୍‌ ଗର୍ଭଣ୍ଣର୍ସ(ବିଓଜି)ର ଚେୟାରମ୍ୟାନ୍‌ ରାଜେନ୍ଦ୍ର ପ୍ରସାଦ ସିଂ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ; ଆଗକୁ ଆସିବାକୁ ଥିବା ଆହ୍ବାନର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ସକାରାତ୍ମକ ଚିନ୍ତାଧାରା ମାଧ୍ୟମରେ କାର୍ଯ୍ୟ କରିବାକୁ ପଡ଼ିବ। ପ୍ରଥମେ ଭଲ ଶ୍ରୋତା ଏବଂ ପରେ ଭଲ ବକ୍ତା ହେବାକୁ ଚେଷ୍ଟା କର।

publive-image

ନିର୍ଦେଶକ ଆର୍‌.ଭି ରାଜାକୁମାର ସାମବର୍ତ୍ତନ ଉତ୍ସବର ରିପୋର୍ଟ ଉପସ୍ଥାପନ କରି କହିଲେ; ଗବେଷଣା କ୍ଷେତ୍ରରେ ଆଇଆଇଟି ବହୁ ଉନ୍ନତି କରିଛି। ଶହେରୁ ଅଧିକ ପ୍ରକଳ୍ପ ଉପରେ ଗବେଷଣା ଚାଲିଛି। ଏଥିସହ ୮୬ଟି ନୂତନ ପ୍ରକଳ୍ପ ଉପରେ ଗବେଷଣା ପାଇଁ ୫୮.୪ କୋଟିର ପ୍ରସ୍ତାବ ଦିଆଯାଇଛି। ଶିକ୍ଷା ମନ୍ତ୍ରଣାଳୟ, ୟୁଜିସି, ଡିଆରଡିଓ, ଇସ୍ରୋ, ଡିଏସ୍‌ଟି, ଡିବିଟି ପ୍ରମୁଖ ସଂସ୍ଥା ଗବେଷଣା ପାଇଁ ଆଇଆଇଟି ଭୁବନେଶ୍ବରକୁ ସହାୟତାର ହାତ ବଢ଼ାଇଛନ୍ତି। ସ୍ବଚ୍ଛ ଭାରତ, ଉନ୍ନତ ଭାରତ ପରି ଅଭିଯାନରେ ଆଇଆଇଟି ସାମିଲ ହୋଇଛି। ଗବେଷଣା ପାଇଁ ଏକାଧିକ ଶିକ୍ଷାନୁଷ୍ଠାନ ସହ ଏମ୍‌ଓୟୁ ହୋଇଛି। କ୍ଲାଇମେଟ୍‌ ଚେଞ୍ଜ, ଶକ୍ତି, ପରିବେଶ ପରି ୯ଟି ‌କ୍ଷେତ୍ରରେ ଗ୍ଲୋବାଲ ଏକ୍ସଲେନ୍ସ ହୋଇଛି। କ୍ଲାଇମେଟ୍ ଚେଞ୍ଜ ଗ୍ରୁପ୍‌କୁ ବିଶ୍ବସ୍ତରରେ ସଫଳତା ମିଳିଛି। ଭାରତୀୟ ପଣିପାଗ ବିଭାଗକୁ ସହାୟତା କରି ବାତ୍ୟା‌ ସମ୍ପର୍କରେ ଆଗୁଆ ସୂଚନା ଦେବାରେ ସଫଳ ହୋଇଛି। ଗତ ବର୍ଷକ ମଧ୍ୟ‌ରେ ଶିକ୍ଷାନୁଷ୍ଠାନ ପକ୍ଷରୁ ୫୮୧ ଜାତୀୟ ଓ ଅନ୍ତର୍ଜାତୀୟ ଗବେଷଣା ସନ୍ଦର୍ଭ ପ୍ରକାଶ ପାଇଛି। ୨୦୨୧ରେ ୫୦ରୁ ଅଧିକ ବିଦେଶୀ ପ୍ରଫେସର ୧୧୦ରୁ ଅଧିକ ଅଭିଭାଷଣ ଦେଇଛନ୍ତି। ପ୍ରଫେସରମାନେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ସହ ଗବେଷଣା କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରୁଛନ୍ତି। ୧୦୧୬-୧୭ ଆର୍ଥିକ ବର୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଭିତ୍ତିଭୂମି ବିକାଶ ପାଇଁ ୮୫୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିଲା। ଯେଉଁଥିରେ ୬୫% କାର୍ଯ୍ୟ ଶେଷ ହୋଇଛି। ବାକି କାମ ଚାଲିଛି। ସବୁଜ କ୍ୟାମ୍ପସ ଦିଗରେ ପଦକ୍ଷେପ ନିଆଯାଇଛି। ୫ ବର୍ଷରେ ୪୫ ହଜାର ଚାରା ରୋପଣ ହୋଇଛି। ସାଇକେଲିଂ, ବର୍ଷା ଜଳ ସଂରକ୍ଷଣ ଉପରେ ଗୁରୁତ୍ବ ଦିଆଯାଉଥିବା ସେ କହିଛନ୍ତି।

ଏହି ଅବସରରେ ବି.ଟେକ୍‌ ଛାତ୍ର ଦିନେଶ ମହାନ୍ତିଙ୍କୁ ରାଷ୍ଟ୍ରପତି ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିବା ବେଳେ ଡୁଆଲ ଡିଗ୍ରି(ବିଟେକ୍‌+ଏମ୍‌ଟେକ୍‌)ର ଛାତ୍ର ଶିବମ୍‌ ହଣ୍ଡା, ଏମ୍‌.ଟେକ୍‌ ଛାତ୍ର ଶାଶ୍ବତ କୁମାର ପଣ୍ଡା, ଏମ୍‌.ଏସ୍‌ସି ଛାତ୍ର ହିତେଶ ଗୁପ୍ତା ନିର୍ଦେଶକ ସ୍ବର୍ଣ୍ଣପଦକ ପାଇଥିଲେ। ଏହାବ୍ୟତୀତ ବିଭିନ୍ନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ବ ହାସଲ କରିଥିବା ୧୭ଜଣ ଛାତ୍ରଛାତ୍ରୀଙ୍କୁ ରୌପ୍ୟପଦକ ପ୍ରଦାନ କରାଯାଇଥିଲା। ମୋଟ ୫୫୯ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯାଇଛି। ୩୫ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡି ଡିଗ୍ରି, ୧୫୩ଜଣଙ୍କୁ ଏମ୍‌.ଟେକ୍‌, ୭୯ଜଣଙ୍କୁ ଏମ୍‌.ଏସ୍‌ସି ଓ ୨୫୬ଜଣ ଛାତ୍ରଛାତ୍ରୀଙ୍କୁ ବି.ଟେକ୍‌ ଓ ୩୬ ଜଣଙ୍କୁ ଡୁଆଲ ଡିଗ୍ରି ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe