୧୦ ବର୍ଷର ରେକର୍ଡ ଭାଙ୍ଗିବ: ଠକଙ୍କ ରାଜଧାନୀ ଭୁବନେଶ୍ବର

୭ ମାସରେ ୪୯୫ ଠକେଇ ମାମଲା

ଅଗ୍ନିଶମ ଡିଜିଙ୍କ ନାଁରେ ନକଲି ହ୍ବାଟ୍‌ସଆପ୍‌ ଆକାଉଣ୍ଟ: ଟଙ୍କା ମାଗୁଛି ଠକ

New York Post

ଭୁବନେଶ୍ବର : ‘ଆଜ୍ଞା ସରକାରୀ ହେଉ କି ବେସରକାରୀ, ଭଲ ସଂସ୍ଥାରେ ଚାକିରି ମିଳିବ। ତା’ ସାଙ୍ଗଙ୍କୁ ଭଲ ଦରମା ବି ଦିଆଯିବ। ତୁରନ୍ତ ଯୋଗାଯୋଗ କରନ୍ତୁ। ନଚେତ୍ ସୁଯୋଗ ହାତଛଡ଼ା ହେବ।’ ଏ ହେଉଛି ବେକାର ଯୁବକଯୁବତୀଙ୍କୁ ଟାର୍ଗେଟ୍ କରି ଠକ ବିଛାଉଥିବା ଜାଲର ଏକ ନମୁନା। କେତେବେଳେ ଚାକିରି ପାଇଁ ତ ଆଉ କେତେବେଳେ ଜମି, ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ବିକ୍ରି ନାଁରେ ଠକେଇ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗତ ୧୦ ବର୍ଷରେ ପ୍ରାୟ ଅଢ଼େଇ ହଜାର ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଶହ ଶହ ସଂଖ୍ୟାରେ ଠକ ଫେରାର୍ ରହିଛନ୍ତି। ତେବେ ଦେଢ଼ ବର୍ଷରୁ ଅଧିକ ସମୟ ଧରି କରୋନା ମହାମାରୀ, ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସୁଯୋଗ ନେଇ ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି କୁଖ୍ୟାତ ଠକ। ଆଉ ଭୁବନେଶ୍ବର ପାଲଟି ଯାଇଛି ଠକଙ୍କ ରାଜଧାନୀ। ଏହା ୨୦୨୦ରେ ଠକେଇ ମାମଲା ସଂଖ୍ୟା ଥିଲା ୫୧୮। ତେବେ ଚଳିତବର୍ଷ ଜୁଲାଇ ସୁଦ୍ଧା ରାଜଧାନୀର ବିଭିନ୍ନ ଥାନାରେ ୪୯୫ଟି ଠକେଇ ମାମଲା ରୁଜୁ ହୋଇଛି; ଯାହା କମିସନରେଟ୍‌ ପୁଲିସ ଆରମ୍ଭ ହେବା ଦିନଠାରୁ ଦେଖିବାକୁ ମିଳି ନଥିଲା। ବାକି ୫ ମାସରେ ଏହି ସଂଖ୍ୟା ହଜାରେ ପାଖାପାଖି ଛୁଇଁବ ଏବଂ ବିଗତ ୧୦ ବର୍ଷର ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି।

publive-image

ଚାକିରିକୁ ଅସ୍ତ୍ର କରିଛନ୍ତି ଠକ
କରୋନା ମହାମାରୀ ଯୋଗୁଁ ୨୦୨୦ ମାର୍ଚ୍ଚଠାରୁ ଏଯାବତ୍ ହଜାର ହଜାର ଲୋକ ଚାକିରି ହରାଇଥିବା ବେଳେ ଅନେକଙ୍କ ରୋଜଗାରର ପନ୍ଥା ବନ୍ଦ ହୋଇଯାଇଛି। ତେଣୁ ସରକାରୀ, ବେସରକାରୀ ସମେତ ବିଭିନ୍ନ ଏନ୍‌ଜିଓ ସଂସ୍ଥା ମାଧ୍ୟମରେ ଚାକିରିର ଲୋଭନୀୟ ଅଫର୍ ଦେଖାଇ ବେକାର ଯୁବକ, ଯୁବତୀଙ୍କୁ ଟାର୍ଗେଟ କରୁଛନ୍ତି ଠକ। ଠକମାନେ ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇ ଜାଲ ନିଯୁକ୍ତିପତ୍ର ଦେଉଛନ୍ତି। ଆଉ ସେମାନଙ୍କୁ ନିଜ ଜାଲରେ ଫସାଇ ଚାକିରି ପାଇଁ ଲକ୍ଷଲକ୍ଷ ଟଙ୍କା ଲୁଟୁଛନ୍ତି। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ବର, କୋରାପୁଟ, କନ୍ଧମାଳ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଅଞ୍ଚଳର ଅଧିକ ଲୋକ ଏଭଳି ଠକେଇର ଶିକାର ହେଉଛନ୍ତି। ଗତ କିଛି ମାସ ମଧ୍ୟରେ ଏପରି ୫୦ରୁ ଅଧିକ ଠକ ପୁଲିସ ହାତରେ ଧରାପଡ଼ିଲେଣି; ମାତ୍ର ଏଭଳି ଠକେଇ କମିବା ନାଁ ଧରୁନାହିଁ।

ଏବେ ବି ଚାଲିଛି ଏକାଧିକ ଠକ ସଂସ୍ଥା
ଚାକିରି ହରାଇଥିବା କିମ୍ବା ବେକାର ବସିଥିବା ପିଲାମାନେ ନିଯୁକ୍ତି ପାଇଁ ଘୂରି ବୁଲୁଛନ୍ତି। ଆଉ ଏହାର ସୁଯୋଗ ନେଉଛନ୍ତି ଠକ, ଦଲାଲ୍। ରାଜଧାନୀରେ ଏମିତି ଏକାଧିକ ଠକ ସଂସ୍ଥା ଅଫିସ ଖୋଲି ଜାଲ ବିଛାଇଛନ୍ତି। କେତେବେଳେ ଏମ୍ସ ଭଳି ଜାତୀୟ ସଂସ୍ଥା ତ ଆଉ କେତେବେଳେ ରେଲଓ୍ଵରେ ନିଯୁକ୍ତି ନାଁରେ ଠକୁଛନ୍ତି। ସେହିପରି ନିକଟରେ ଲୋକସେବା ଭବନରେ ଚାକିରି କରାଇ ଦେବାକୁ କହି ଦୁଇ ଜଣ ଠକ ବାଲିଅନ୍ତା ଥାନା ପୁଲିସ ହାତରେ ଧରାପଡ଼ିଥିଲେ। ବିଶେଷ କରି ସହର ଉପକଣ୍ଠ ହଂସପାଳ, ଧଉଳି, ଖଣ୍ଡଗିରି, ଚନ୍ଦ୍ରେଶେଖରପୁର ଅଞ୍ଚଳରେ ଏହି ସଂସ୍ଥାଗୁଡ଼ିକ ସକ୍ରିୟ ରହିଛନ୍ତି।

publive-image Image Courtesy of India Today

ଏ ବର୍ଷ ଧରା ପଡ଼ିଥିବା କିଛି କୁଖ୍ୟାତ ଠକ
ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ବିକ୍ରି ନାଁରେ ଶହ ଶହ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟିଥିବା କୁଖ୍ୟାତ ଠକ ତୃପ୍ତ ଦାସ ଗିରଫ।
ଜମି ବିକ୍ରି ନାଁରେ ବିଲ୍ଡର ନିରଞ୍ଜନ ରଣା ଗିରଫ, ଏବେ ସୁଦ୍ଧା ଥାନାକୁ ଆସିଲାଣି ୫୦ରୁ ଅଧିକ ଅଭିଯୋଗ।
ମୟୂରଭଞ୍ଜ ଅଞ୍ଚଳରେ ଶତାଧିକ ପିଲାଙ୍କୁ ଚାକିରି ପାଇଁ ଠକେଇ କରିଥିବା ମୁଦୀ ବାପା-ପୁଅ ଗିରଫ।
ରେଲଓ୍ଵେରେ ଚାକିରି କରାଇଦେବା ନାଁରେ ଠକ ଶଳା-ଭିଣୋଇ ସମରଜିତ୍ ରାଉତ ଓ ସୌମ୍ୟରଞ୍ଜନ ରାଉତ ଗିରଫ।
ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକିଥିବା କୁଖ୍ୟାତ ଅନ୍ତଃରାଜ୍ୟ ଠକ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ଗିରଫ।
ନକଲି ରୋଗୀଙ୍କ ନାଁରେ ଅସଲି ବିଲ୍ ତିଆରି କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଲକ୍ଷଲକ୍ଷ ଟଙ୍କା ହଡ଼ପ ମସୁଧା କରିଥିବା ଆମ୍ରି ହସ୍ପିଟାଲର ଆସିଷ୍ଟାଣ୍ଟ ମ୍ୟାନେଜର ଦିଲ୍ଲୀପ ବେହେରା ଗିରଫ।

ଟ୍ରେଣ୍ଡ୍ ପାଲଟିଲାଣି ଠକଙ୍କୁ ଅପହରଣ
ଚାକିରି ପାଇଁ ଟଙ୍କା ନେଇ ଠକେଇ ଘଟଣାରେ ଏବେ ଏକ ନୂଆ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଟଙ୍କା ପାଇବା ପାଇଁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଠକେଇର ଶିକାର ପିଲାମାନେ ଠକକୁ ଅପହରଣ କରି ନେଉଛନ୍ତି। ଗତ ଦେଢ଼ ମାସ ଭିତରେ ରାଜଧାନୀରେ ଏଭଳି ୫ରୁ ଅଧିକ ଘଟଣା ସାମ୍ନାକୁ ଆସିଛି। ରେଲଓ୍ଵେରେ ଚାକିରି ନାଁରେ ଶଳା-ଭିଣୋଇଙ୍କୁ ଅପହରଣ ଘଟଣା, ସାନିଟେସନ୍ ଓ ସର୍ଭେ ନାଁରେ ଅପହରଣ ଘଟଣାରୁ କୁଖ୍ୟାତ ଠକ ବିରଞ୍ଚିର ପର୍ଦ୍ଦାଫାସ, ଚନ୍ଦକା ଅଞ୍ଚଳରେ ଦୁଇ ଠକଙ୍କୁ ଅପହରଣ ଘଟଣା ସାମ୍ନାକୁ ଆସିଛି।

୬ ମାସ ହେଲା ତୃପ୍ତି ନାଁରେ ଆସୁଛି ଅଭିଯୋଗ
ସେକେଣ୍ଡ ହ୍ୟାଣ୍ଡ୍ ଗାଡ଼ି ବିକ୍ରି ନାଁରେ କୁଖ୍ୟାତ ଠକ ତୃପ୍ତି ରଞ୍ଜନ ଦାସ ଗତ ଏପ୍ରିଲ ମାସରୁ ଗିରଫ ହୋଇ ସାରିଲାଣି। ଇତିମଧ୍ୟରେ ତୃପ୍ତିର ଗିରଫଦାରୀକୁ ୬ ମାସ ବିତି ଯାଇଥିଲେ ମଧ୍ୟ ଏବେ ବି ତା’ ବିରୋଧରେ ଠକେଇ ଅଭିଯୋଗ ଆସୁଛି, ମାମଲା ରୁଜୁ ହେଉଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଏବେ ସୁଦ୍ଧା ଶତାଧିକ ଅଭିଯୋଗ ଆସିଥିବା ବେଳେ ୫୦ ପାଖାପାଖି ମାମଲା ରୁଜୁ ହେଲାଣି।

ଠକେଇ ରୋକିବାକୁ ଆଣ୍ଟି ଫ୍ରଡ୍ ସେଲ୍
ରାଜଧାନୀରେ ଠକେଇ ମାମଲା ସଂଖ୍ୟା ବଢ଼ୁଥିବାରୁ ଡିସିପିଙ୍କ କାର୍ଯ୍ୟାଳୟରେ ଏକ ଆଣ୍ଟି ଫ୍ରଡ୍ ସେଲ୍ ଖୋଲାଯାଇଛି। ବିଗତ ଦିନମାନଙ୍କରେ ଠକେଇ କରୁଥିବା କୁଖ୍ୟାତ ଠକଙ୍କର ଡାଟାବେସ୍ ତିଆରି କରାଯାଉଛି। ନୂଆ ନୂଆ ଠକମାନଙ୍କର ମଧ୍ୟ ତଥ୍ୟ ରଖାଯାଉଛି। ସେହିପରି ଠକ ସଂସ୍ଥାମାନଙ୍କ ଉପରେ ଆଣ୍ଟି ଫ୍ରଡ୍ ସେଲ୍ ପକ୍ଷରୁ ନଜର ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe