ଭୁବନେଶ୍ୱରରେ କଙ୍ଗାରୁ କୋର୍ଟ ପ୍ରସଙ୍ଗ‌‌ରେ ଓଏଚ୍‌ଆରସିଙ୍କ ଚେତାବନୀ : ନିଆଁ ପାଣି ବାସନ୍ଦ କରିପାରିବନି ୱେଲ୍‌ଫେୟାର ଆସୋସିଏସନ

Advertisment
ଆଜି ସରିବ ଓଏଚ୍‌ଆର୍‌ସି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର : ଭୁବନେଶ୍ବର କସ୍‌ମୋପଲିସ ରେସିଡେଣ୍ଟ୍‌ସ୍‌ ୱେଲ୍‌ଫେୟାର ଆସୋସିଏସନ କଙ୍ଗାରୁ କୋର୍ଟ ମାମଲାରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିସନ (ଓଏଚଆରସି)। ଅରୁଣ ମହାନ୍ତି ଓ ତାଙ୍କ ପତ୍ନୀ ଡା. ଆଭାମୟୀ ଦେବୀଙ୍କର ଏକ ଆବେଦନକୁ ବିଚାର କରି କମିସନ ଆସୋସିଏସନକୁ କଡ଼ା ଚେତାବନୀ ଶୁଣାଇଛନ୍ତି। କୌଣସି ପରିସ୍ଥିତିରେ ଆସୋସିଏସନ ଅଭିଯୋଗକାରୀଙ୍କୁ ବିଜୁଳି, ପାଣି ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତାରୁ ନିବୃତ୍ତ ରଖିପାରିବ ନାହିଁ। ଏହା ଅମାନବୀୟ, ବେଆଇନ ବୋଲି କମିସନ ସ୍ପଷ୍ଟ କରିଛନ୍ତି। ଆସୋସିଏସନରେ ଜଣେ ଅବସରପ୍ରାପ୍ତ ପୁଲିସ ଅଫିସର ରହିଛନ୍ତି। ସେ ପୁଲିସକୁ ପ୍ରଭାବିତ କରୁଥିବା କମିସନ ଆଦେଶନାମା ଉଲ୍ଲେଖ କରିଛନ୍ତି। କମିସନରେଟ୍‌ ପୁଲିସ ଏହା ଉପରେ ବିଚାର କରିବା ସହ ନ୍ୟାୟ ପ୍ରଦାନ କରିବା ପାଇଁ କମିସନ ନିର୍ଦ୍ଦେଶ ଦେଇଛନ୍ତି। ତା’ ସହିତ ପୁଲିସ କ’ଣ କାର୍ଯ୍ୟାନୁଷ୍ଠାନ ନେଲା ସେ ବାବଦରେ ଏକ ରିପୋର୍ଟ ଆସନ୍ତା ୨୨ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ପୁଲିସ କମିସନରଙ୍କୁ ଓଏଚଆରସି ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣାକୁ ଉଦାହରଣ ଭାବରେ ନେଇ କମିସନ କମିସନରେଟ୍‌ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି କି ଏଭଳି ଘଟଣା ଅନ୍ୟ ସୋସାଇଟିରେ ମଧ୍ୟ ହେଉଥାଇପାରେ। ଏହା ଉପରେ କଡ଼ା ନଜର ରଖାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଅନ୍ୟପଟେ ଖଣ୍ଡଗିରି ଥାନାରେ ଆସୋସିଏସନର କେତେକ ସଦସ୍ୟଙ୍କ ବିରୋଧରେ ଏତଲା ଦିଆଯାଇଛି। ପୁଲିସ ସେମାନଙ୍କର ନାମ ଓ ବୃତ୍ତି ବାବଦରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅରୁଣ ମହାନ୍ତିଙ୍କ ଅଭିଯୋଗ ମୁତାବକ, ୨୦୧୫ ମସିହାରୁ ୮୯ ବର୍ଷୀୟା ମା’ଙ୍କ ସହ ସେମାନେ ଏହି ଆପାର୍ଟମେଣ୍ଟରେ ସପରିବାର ରହି ଆସୁଛନ୍ତି। ନିକଟ ଅତୀତରେ ଏକ ସାମାନ୍ୟ ଘଟଣାକୁ କେନ୍ଦ୍ର କରି କେତେକ ଏକ୍‌ଜିକ୍ୟୁଟିଭ୍‌ ବଡି ମେମ୍ବର ଦୁର୍ନୀତିଗ୍ରସ୍ତ ବୋଲି ସେ ଖୋଲାଖୋଲି ଭାବେ ଅଭିଯୋଗ କରିଥିଲେ। ଏହାକୁ ନେଇ କସ୍‌ମୋପଲିସ୍‌ ରେସିଡେଣ୍ଟ୍‌ସ୍‌ ୱେଲ୍‌ଫେୟାର ଆସୋସିଏସନ ତାଙ୍କୁ ଏକ ନୋଟିସ୍‌ ଜାରି କରିଥିଲା। ଏହି ଅଭିଯୋଗର ତାଙ୍କ ପାଖରେ କ’ଣ ପ୍ରମାଣ ରହିଛି, ତାହା ସଂଘ ଡିସେମ୍ବର ୨୦ ତାରିଖ ସୁଦ୍ଧା ଜାଣିବାକୁ ଚାହିଥିଲା। ଏହାର ଉତ୍ତର ନ ଦେଲେ ପାଣି, ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯିବା ସହ ମେଣ୍ଟେନାନ୍ସ ମଧ୍ୟ ବନ୍ଦ କରି ଦିଆଯିବ ବୋଲି ସଂଘ ଚେତାବନୀ ଦେଇଥିଲା। ତାହାକୁ ନେଇ ଶ୍ରୀ ମହାନ୍ତି ଓ ତାଙ୍କ ପତ୍ନୀ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe