ଭୁବନେଶ୍ୱର ମହାନଗର ନିଗମ: କିଏ ହେବ ଡେପୁଟି ମେୟର?

Advertisment

ଅମରେଶ-ବିରଞ୍ଚି-ନୃପେଶ-ମିହିର ଚର୍ଚ୍ଚାରେ

ଅମରେଶ-ବିରଞ୍ଚି-ନୃପେଶ-ମିହିର ଚର୍ଚ୍ଚାରେ

ଭୁବନେଶ୍ୱର ମହାନଗର ନିଗମ: କିଏ ହେବ ଡେପୁଟି ମେୟର?

ଭୁବନେଶ୍ବର: ମେୟର ପଦ ହାତେଇଛି ବିଜେଡି। ୪୮ କର୍ପୋରେଟର ଜିତିଛନ୍ତି। ବିଜେଡି ଦଖଲକୁ ବିଏମ୍‌ସି ଆସିବା ପରେ ଏବେ ଡେପୁଟି ମେୟର ହେବାକୁ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ପୂର୍ବରୁ ଏକାଧିକଥର କର୍ପୋରେଟର ହୋଇସାରିଥିବା କର୍ପୋରେଟରଙ୍କ ନାଁକୁ ନେଇ ଆଜି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଏମିତି ବି କିଛି ଆଶାୟୀ ରହିଛନ୍ତି ଯେଉଁମାନେ କି ସିଧାସଳଖ ଡେପୁଟି ମେୟର ପଦବି ଉପରେ ଆଖି ପକାଇଛନ୍ତି। କର୍ପୋରେଟର ଭାବେ ନିର୍ବାଚିତ ହେବା ପରେ ସେମାନେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା ଚଲାଇଛନ୍ତି। ନିଜ ନିଜ ଅଞ୍ଚଳର ବିଧାୟକଙ୍କୁ ସାକ୍ଷାତ କରି ଡେପୁଟି ମେୟର ହେବାକୁ ଆଶାବ୍ୟକ୍ତ କରିଛନ୍ତି। ଯେଉଁମାନେ ସର୍ବାଧିକ ଭୋଟ୍‌ରେ ବି‌ଜୟ ହୋଇଛନ୍ତି, ସେମାନେ ଏବେ ଏହି ଗୁରୁତ୍ବପୂର୍ଣ୍ଣ ପଦବି ଲାଗି ଲବି କରୁଥିବା ଜଣାପଡ଼ିଛି।

ଏଥର ମେୟର ପଦବି ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ପ୍ରତ୍ୟକ୍ଷ ନିର୍ବାଚନରେ ସୁଲୋଚନା ଦାସ ମେୟର ଭାବେ ଜିତିଛନ୍ତି। କର୍ପୋରେଟରମାନଙ୍କ ମଧ୍ୟରୁ ଜଣଙ୍କୁ ଡେପୁଟି ମେୟର ଭାବେ ଚୟନ କରାଯିବ। ମହିଳା ମେୟର ହୋଇଥିବାରୁ ଡେପୁଟି ମେୟର ପଦବିରେ ଜଣେ ପୁରୁଷ କର୍ପୋରେଟରଙ୍କୁ ବସାଇବାକୁ ଦଳର ଗୋଟିଏ ଗୋଷ୍ଠୀ ଏକପ୍ରକାର ନିଷ୍ପତ୍ତି ନେଇଛି। ତେଣୁ ଯେଉଁମାନେ ମେୟର ଆଶାୟୀ ଥିଲେ, ସେମାନେ ଏବେ ଡେପୁଟି ମେୟର ପଦରେ ବସିବାକୁ ମନ ବଳାଇଛନ୍ତି। ଦୌଡ଼ରେ ଏକାଧିକ ଆଶାୟୀଙ୍କ ନାଁ ସାମ୍ନାକୁ ଆସିଛି। ଏକାଧିକ ଥରିଆ କର୍ପୋରେଟର୍‌ ୪୫ ନମ୍ବର ୱାର୍ଡର ଅମରେଶ ଜେନା, ୫୯ ନମ୍ବର ୱାର୍ଡର ବିରଞ୍ଚି ନାରାୟଣ ମହାସୂପକାର, ୫୫ ନମ୍ବର ୱାର୍ଡର ନୃପେଶ ନାୟକ, ୧ ନମ୍ବର ୱାର୍ଡର ମିହିର କୁମାର ରାଉତଙ୍କ ନାଁ ଏବେ ସର୍ବୋଗ୍ରେ ରହିଛି।

କ୍ଷମତା କେନ୍ଦ୍ରରେ ଲବି କଲେଣି ଆଶାୟୀ
ମହିଳା କର୍ପୋରେଟର ବି ମନ ବଳାଇଲେଣି

ଏହି କର୍ପୋରେଟର୍‌ମାନେ ନିଜ ନିଜ ୱାର୍ଡ‌ରେ ନିଜେ କିମ୍ବା ସମ୍ପର୍କୀୟଙ୍କୁ ଲଗାତାର ଭାବେ ଜିତାଇ ଆଣୁଛନ୍ତି। ଭୁବନେଶ୍ବର ବିଜେଡି ସଂଗଠନରେ ଏମାନଙ୍କ ପ୍ରଭାବ ବି ରହିଛି। ନିଜେ ଜିତିବା ସହ ପାଖାପା‌ଖି ୱାର୍ଡର ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାରେ ବି ଏମାନଙ୍କ ହାତ ରହିଛି।

publive-image

ବିରଞ୍ଚି ନାରାୟଣ ଚାରିଥର କର୍ପୋରେଟର୍‌ ଭାବେ ଜିତିଥିଲା ବେଳେ ଏବେ ଭୁବନେଶ୍ବର ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଅଛନ୍ତି। ନୃପେଶ ନାୟକ ଦ୍ବିତୀୟଥର ପାଇଁ ଜିତିଥିଲା ବେଳେ ତାଙ୍କ ପତ୍ନୀ ମଧ୍ୟ ପୂର୍ବରୁ କର୍ପୋରେଟର୍‌ ଥିଲେ। ରାଜଧାନୀରେ ବହୁ ସାମାଜିକ କାର୍ଯ୍ୟ ବି‌ଶେଷକରି ସବୁଜ ରାଜଧାନୀ ଅଭିଯାନରେ ସଂପୃକ୍ତ ରହି ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅମରେଶ ଜେନା‌ ତୃତୀୟଥର କର୍ପୋରେଟର୍‌ ଭାବେ ବିଜୟୀ ହୋଇଥିଲା ବେଳେ ୨୦୧୪ରେ ମେୟର ପଦବି ପାଇଁ ପ୍ରମୁଖ ଦାବିଦାର ଥିଲେ।

ନିଜ ୱାର୍ଡରେ ସେ ବହୁ ଭୋଟ୍‌ ବ୍ୟବଧାନରେ ଜିତି ତୃଣମୂଳସ୍ତରରେ ଜଣେ ଭଲ ସଂଗଠକ ଭାବେ ନିଜର ପତିଆରା ଦେଖାଇଛନ୍ତି। ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରେ ଦବଦବା ରଖିଥିବା ମିହିରଙ୍କ ପତ୍ନୀ ପୂର୍ବରୁ କର୍ପୋରେଟର୍‌ ଥିଲା ବେଳେ ସେ ନିଜେ ଏଥର ୧ ନଂ ୱାର୍ଡରୁ ବିଜୟୀ ହୋଇଛନ୍ତି। ଏହାସହ ଦୁଇନମ୍ବର ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ଏହି ଚାରିଜଣ ବରିଷ୍ଠ ନେତାଙ୍କ ନାମ ଚର୍ଚ୍ଚାର ଆଗରେ ଥିଲେ ମଧ୍ୟ ଡେପୁଟି ମେୟର ପଦବିରେ କେଉଁ ନିର୍ବାଚନମଣ୍ଡଳୀର କର୍ପୋରେଟର୍‌ଙ୍କୁ ବଛାଯିବ, ତାହାର ନିଷ୍ପତ୍ତି ଖୁବ୍‌ଶୀଘ୍ର ନିଆଯିବ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି।

ସେପଟେ କିଛି ମହିଳା କର୍ପୋରେଟର ମଧ୍ୟ ଡେପୁଟି ମେୟର ହେବାକୁ ଆଶାପୋଷଣ କରିଛନ୍ତି। ସନ୍ଧ୍ୟାରେ ବିଜେଡିର ବରିଷ୍ଠ ନେତାଙ୍କୁ ଭେଟି ନିଜ ସପକ୍ଷରେ ମତପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି। ଡେପୁଟି ମେୟର ପଦବି ସୃଷ୍ଟି ହେଲାଠାରୁ ଲଗାତାର ୩ଥର ମହିଳା କର୍ପୋରେଟର୍‌ଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ୨୦୦୩ରେ ବିଜେଡି-ବିଜେପି ମେଣ୍ଟ ସମୟରେ ବିଜେପିରୁ ଉର୍ମିଳା ମହାପାତ୍ର ପ୍ରଥମ ଡେପୁଟି ମେୟର ହୋଇଥିଲେ। ୨୦୦୮ରେ ବିଜେଡିରୁ ଭାରତୀ ସିଂହ ଓ ୨୦୧୪ରେ କେ. ଶାନ୍ତି ଡେପୁଟି ମେୟର ହୋଇଥିଲେ। ତେଣୁ ଏଥର ମଧ୍ୟ ସମାନ ଧାରା ବଜାୟ ରଖି ଦଳ ମହିଳା କର୍ପୋରେଟରଙ୍କୁ ଡେପୁଟି ମେୟର କରିବାକୁ ସେମାନେ ଯୁକ୍ତି ବାଢ଼ିଛନ୍ତି। ମାତ୍ର ଦଳର ନେତୃବୃନ୍ଦ ଏଥିରେ ସହମତି ପ୍ରକାଶ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe