ସ୍ଥିତି ଜାହିର କଲେ ଆଶାୟୀ, ଚର୍ଚ୍ଚାରେ ମହାନଗର ନିର୍ବାଚନ

Advertisment

ନୂଆ ବର୍ଷ ଆଳରେ ଶୁଭେଚ୍ଛା ବ୍ୟାନର୍ ଭର୍ତ୍ତି, ଟିକେଟ୍‌ ଆଶାରେ ନେତାଙ୍କ ଘରେ ଚକ୍କର

ନୂଆ ବର୍ଷ ଆଳରେ ଶୁଭେଚ୍ଛା ବ୍ୟାନର୍ ଭର୍ତ୍ତି, ଟିକେଟ୍‌ ଆଶାରେ ନେତାଙ୍କ ଘରେ ଚକ୍କର

ସ୍ଥିତି ଜାହିର କଲେ ଆଶାୟୀ, ଚର୍ଚ୍ଚାରେ ମହାନଗର ନିର୍ବାଚନ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ନିର୍ବାଚନ କେବେ ହେବ? କେଉଁ ୱାର୍ଡରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ? ‌ସେନେଇ ଏ ପର୍ଯ୍ୟନ୍ତ କିଛି ବି ନିଷ୍ପତ୍ତି ହୋଇନି। ତେବେ କର୍ପୋରେଟର ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ଗୋଟିଏ କି ଦୁଇଟି ୱାର୍ଡ ନୁହେଁ, ଭୁବନେଶ୍ବରର ସମସ୍ତ ତିନିଟି ଯାକ ନିର୍ବାଚନମଣ୍ଡଳୀର ୱାର୍ଡଗୁଡ଼ିକରେ ସମାନ ଚିତ୍ର ଦେଖିବାକୁ ମିଳୁଛି। ଗଳିକନ୍ଦିରୁ ଆରମ୍ଭ କରି ବସ୍ତି ପର୍ଯ୍ୟନ୍ତ, ସବୁଠି ଛାଇ ଯାଇଛି ଆଶାୟୀଙ୍କ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା। ଶୁଭେଚ୍ଛା ଆଳରେ ଆଶାୟୀମାନେ ୱାର୍ଡରେ ନିଜର ଦବଦବା ଜାହିର କରିଛନ୍ତି। କିଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭୁବନେଶ୍ବରର ତିନି ବିଧାୟକଙ୍କ ଫଟୋକୁ ବ୍ୟାନର୍‌ରେ ସ୍ଥାନ ଦେଇଛନ୍ତି ତ ଆଉ କିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଭୁବ‌ନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫଟୋ ଲଗାଇ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। କାଁ ଭାଁ ସ୍ଥାନରେ କଂଗ୍ରେସ ଆଶାୟୀଙ୍କ ବ୍ୟାନର ଲାଗିଛି।

ବିଜେଡିରୁ ପ୍ରାର୍ଥୀ ହେବାକୁ ପ୍ରତି ୱାର୍ଡରେ ଏକାଧିକ ଆଶାୟୀଙ୍କ ବ୍ୟାନର୍‌ ଦେଖିବାକୁ ମିଳୁଛି। ତିନିଟି ଯାକ ନିର୍ବାଚନମଣ୍ଡଳୀରେ ବିଜେଡିର ବିଧାୟକ ରହିଥିବାରୁ ଏହି ଦଳରୁ କର୍ପୋରେଟର ପ୍ରାର୍ଥୀ ହେବାକୁ ସମସ୍ତେ ସୁରକ୍ଷିତ ମଣୁଛନ୍ତି। ବିଜେଡିର ପୂର୍ବତନ କର୍ପୋ‌ରେଟର୍‌ମାନେ ଏଥର ବି ପ୍ରାର୍ଥୀ ହେବା ପାଇଁ ଅଧିକ ଆଶାୟୀ ରହିଥିବା ଦେଖିବାକୁ ମିଳୁଛି। ସେମାନେ ସବୁଠି ବ୍ୟାନର ଲଗାଇ ଶୁଭେଚ୍ଛା ଜଣାଇଛନ୍ତି। ଯେଉଁ ୱାର୍ଡ‌ରେ ମହିଳାମା‌ନେ କର୍ପୋରରେଟର୍‌ ଥିଲେ, ଏବେ ସେମାନଙ୍କ ସ୍ବାମୀମାନେ ନିଜ ଫଟୋ ଥିବା ବ୍ୟାନର୍‌ ଲଗାଇ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ବିଜେଡିର ଛାତ୍ର, ଯୁବ, ମହିଳା ସଙ୍ଗଠନରେ ସଦସ୍ୟ ଥିବା ବ୍ୟକ୍ତିବିଶେଷ ବି ଏହି ତାଲିକାରେ ନିଜକୁ ସାମିଲ କରିଛନ୍ତି। କିଛି ସ୍ବାଧୀନ ପ୍ରାର୍ଥୀ ତଥା ବିଜେଡିର ସଦସ୍ୟ କିମ୍ବା କୌଣସି ପଦ ପଦବିରେ ନ ଥିଲେ ବି ବ୍ୟାନର୍‌ରେ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କ ଫଟୋ ଲଗାଇ ବ୍ୟାନର ଟାଙ୍ଗି ପ୍ରାର୍ଥୀ ହେବାକୁ ପରୋକ୍ଷରେ ଦାବି ଉପସ୍ଥାପିତ କରିଛନ୍ତି।

ବିଜେପିରୁ ବି କର୍ପୋ‌‌ରେଟର୍‌ ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ସଂଖ୍ୟା କିଛି କମ୍‌ ନାହିଁ। ବିଶେଷକରି ଏଥର ଭୁବନେଶ୍ବର ଲୋକସଭା ଆସନ ବିଜେପି ଦଖଲ କରିଥିବାରୁ ଦଳରେ ଆଶାୟୀଙ୍କ ସଂଖ୍ୟା ଗତଥରଠାରୁ ବଢ଼ିଛି। ଗତ ସାଧାରଣ ନିର୍ବାଚନ ସମୟରେ ଯେଉଁ ୱାର୍ଡରେ ବିଜେଡି ପ୍ରା‌ର୍ଥମାନେ ବହୁ କମ୍‌ ଭୋଟ ବ୍ୟବଧାନରେ ଆଗରେ ଥିଲେ ସେଠାରେ ବିଜେପିରୁ ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି। ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟମାନେ ଆଗରେ ରହିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ମୋଦୀ ଓ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ବ୍ୟାନର୍‌ ଲଗାଇଛନ୍ତି। ଚଳିତବର୍ଷ ସବୁ ଗଳି କନ୍ଦିରେ ବିଜେପି ଆଶାୟୀଙ୍କ ବ୍ୟାନର୍‌ ଦେଖିବାକୁ ମିଳୁଛି। ଯେଉଁଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ବାର୍ତ୍ତା ଉଲ୍ଲେଖ ହୋଇଛି। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହାୱାରେ କିଛି ମହିଳା ବିଜେପି କର୍ମୀ ବି ଆଗକୁ ଆସିଛନ୍ତି। ବ୍ୟାନର୍‌ ଲଗାଇବା ସହ ସୋସିଆଲ ମିଡିଆରେ ନିଜର ବାର୍ତା ଦେଇ ୱାର୍ଡବାସୀଙ୍କୁ ଶୁ‌ଭେଚ୍ଛା ଜଣାଇଛନ୍ତି। କଂଗ୍ରେସରୁ କର୍ପୋ‌ରେଟର୍‌ ପ୍ରାର୍ଥୀ ହେବାକୁ ସେଭଳି କେହି ଆଶାୟୀ ନ ଥିବା ଦେଖିବାକୁ ମିଳିଛି। କାଁ ଭାଁ ସ୍ଥାନରେ ଆଶାୟୀଙ୍କ ବ୍ୟାନର୍‌ ଲାଗିଛି। ଯେଉଁଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ କଂ‌ଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଫଟୋ ରହିଛି।

ଏ ତ ଗଲା ବ୍ୟାନର ଓ ସୋସିଆଲ ମିଡିଆରେ ଶୁଭେଚ୍ଛା ବାର୍ତାର କଥା। ପ୍ରାର୍ଥୀ ହେବାକୁ ଗୋଡ଼ କାଢ଼ିଥିବା ବ୍ୟକ୍ତିମାନେ ଗତକାଲିଠାରୁ ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ଘରେ ଡେରା ପକାଇଛନ୍ତି। କିଏ ଫୁଲ ତୋଡ଼ା ସହ ମିଠା ନେଇ ବିଧାୟକଙ୍କ ବାସଭବନରେ ପହଞ୍ଚି ଯାଉଛନ୍ତି ତ ଆଉ କିଏ କର୍ମୀମାନଙ୍କୁ ନେଇ ନେତାଙ୍କ ସମ୍ମୁଖରେ ଶକ୍ତି ପ୍ରଦର୍ଶନ କରୁଛନ୍ତି। ଭୁବନେଶ୍ବର ତିନି ବିଧାୟକ ଯଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ କୁମାର ରାଉତ ଓ ଅନନ୍ତ ନାରାୟଣ ଜେନାଙ୍କ ବାସଭବନ ସମ୍ମୁଖରେ ପ୍ରତିଦିନ ଭିଡ଼ ଜମୁଛି। ଏପରିକି ଗତ ସାଧାରଣ ନିର୍ବାଚନରେ ବିଜେଡିରୁ ଭୁବ‌ନେଶ୍ବର ସାଂସଦ ପ୍ରାର୍ଥୀ ହୋଇଥିବା ଅରୂପ ପଟ୍ଟନାୟକଙ୍କ ଘରେ ବି ଲମ୍ବା ଲାଇନ୍‌। ନୂଆବର୍ଷର ପ୍ରଥମ ଦିନରେ ସାଂସଦ ଅପରାଜିତାଙ୍କ ବାସଭବନରେ ବି କର୍ପୋରେଟର୍‌ ଆଶାୟୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe