ଭୁବନେଶ୍ବର : ଆଇପିଏସ୍ ଏସ୍ ସୁଶ୍ରୀଙ୍କ ବଦଳି ପରେ ଭୁବନେଶ୍ବର ଟ୍ରାଫିକ୍ ଡିସିପି ପଦବି ଖାଲି ରହିଥିଲା। ବୁଧବାର ଠାକୁର ପ୍ରସାଦ ପାତ୍ରଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ମିଳିଛି। ରାଜଧାନୀରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଟ୍ରାଫିକ୍ ସମସ୍ୟାକୁ ଶ୍ରୀ ପାତ୍ର କିଭଳି ମୁକାବିଲା କରିବେ, ତାହା ଉପରେ ସବୁ ମହଲର ନଜର ରହିଛି।
ସୂଚନାଯୋଗ୍ୟ, ଓପିଏସ୍ ଶ୍ରୀ ପାତ୍ର ଏହା ପୂର୍ବରୁ ଗଞ୍ଜାମର ଅତିରିକ୍ତ ଏସ୍ପି ଦାୟିତ୍ବ ତୁଲାଉଥିଲେ। ଏବେ ସେ ଏସ୍ପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ତେଣୁ ତାଙ୍କୁ ଭୁବନେଶ୍ବର ବଦଳି କରାଯାଇ ଟ୍ରାଫିକ୍ ଡିସିପି ଭାବେ ଅବସ୍ଥାପିତ କରାଯାଇଛି। ଗତ ତିନି ବର୍ଷ ହେଲା ତିନି ଜଣ ନୂଆ ମହିଳା ଆଇପିଏସ୍ ଅଧିକାରୀଙ୍କୁ ଏହି ଦାୟିତ୍ବ ଦିଆଯାଇଥିଲା। ମାତ୍ର ୩ ବର୍ଷରେ ତିନି ଜଣାଯାକ ବଦଳି ହୋଇଯାଇଥିଲେ। କେହି ବି ଜଣେ ବର୍ଷଟେ କାମ କଲେନାହିଁ। ତେଣୁ ସେମାନେ ଟ୍ରାଫିକ୍ ପରିଚାଳନା ଢାଞ୍ଚାରେ ଯେତିକି ନୂଆ ନୂଆ ବ୍ୟବସ୍ଥା ଖଞ୍ଜି ଥିଲେ, ସେସବୁ ପୁଣି ବଦଳି ଯାଉଥିଲା। ଏବେ ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥାକୁ ପୁଣି ସଜାଡ଼ିବା ଶ୍ରୀ ପାତ୍ରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ହେବ। ଭିତ୍ତିଭୂମିରେ ଅନେକ ବିକାଶ ହୋଇଥିଲେ ମଧ୍ୟ ଆଇନ କାର୍ଯ୍ୟକାରୀ ହେବାରେ ବହୁ ସମସ୍ୟା ରହୁଛି। ବିଶେଷକରି ଟ୍ରାଫିକ୍ ଛକରେ ଅଟକୁଥିବା ଗାଡ଼ିମଟର ଅବ୍ୟବସ୍ଥିତ ଢଙ୍ଗରେ ରହୁଥିବାରୁ ଆମ୍ବୁଲାନ୍ସ ଯିବା ପାଇଁ ବାଟ ପାଉନାହିଁ।
Follow Us