କେବଳ ନାମଫଳକରେ ଭୁବନେଶ୍ବର ସ୍ମାର୍ଟ ସିଟି: କଂଗ୍ରେସ

Advertisment
କେବଳ ନାମଫଳକରେ ଭୁବନେଶ୍ବର ସ୍ମାର୍ଟ ସିଟି: କଂଗ୍ରେସ

Telegraph India

ଭୁବେନଶ୍ବର : ୫ବର୍ଷ ବିତି ଯାଇଥିଲେ ବି ଭୁବନେଶ୍ବର ସ୍ମାର୍ଟସିଟି କାମ ଅଧପନ୍ତରିଆ। ଅନେକ ଅଞ୍ଚଳରେ ଆଲୋକୀକରଣ ବ୍ୟବସ୍ଥା ନ ଥିବାରୁ ରାହଜାନି ଓ ଅସାମାଜିକ କାର୍ଯ୍ୟକଳାପ ବଢ଼ି ଛାଲିଛି। ଅଥଚ ସରକାରଙ୍କ ଏଥିପ୍ରତି ନିଘା ନାହିଁ। ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଦଳୀୟ ନେତା ଏପରି ସମାଲୋଚନା କରିଛନ୍ତି। ସ୍ବରେଜ୍‌ ସଂଯୋଗୀକରଣ କାମ ୨୦୧୫ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଥିଲା। କିନ୍ତୁ ତା’ ମଧ୍ୟ ଅଧା ହୋଇ ପଡ଼ି ରହିଛି। କେବଳ ନାମଫଳକରେ ସ୍ମାର୍ଟ ସିଟି ସୀମିତ ରହିଛି। ସଫେଇ ଟିକସ ବସାଇବା ଯୋଜନାକୁ ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଭୁବେଶ୍ବର ଜିଲ୍ଲା କଂଗ୍ରେସ ଚେତାବନୀ ଦେଇଛି।

କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର ଅଭିଯୋଗ କରିଥିଲେ, ମନ୍ଦିରମାଳିନୀ ଭୁବନେଶ୍ବରକୁ ସ୍ମାର୍ଟସିଟି କରିବା ପାଇଁ ୫ବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ବପ୍ନ ଦେଖାଇଥିଲେ। ବହୁତଳ କମର୍ସିଆଲ୍‌ ମଲ୍‌, ଚିକ୍କଣ ରାସ୍ତା, ଆଲୋକମାଳାରେ ଝଲସୁଥିବା ଫୁଟ୍‌ପାଥ୍‌, ସ୍ମାର୍ଟ ଟଏଲେଟ୍‌ ବ୍ୟବସ୍ଥା, ବ୍ୟବସ୍ଥିତ ସ୍ବରେଜ୍‌ ପାଇଁ ଶହ ଶହ ଭତ୍ତିପ୍ରସ୍ତର ପଡ଼ିଲା। ରାଜଧାନୀବାସୀ ବହୁ ସ୍ବପ୍ନ ବି ଦେଖିଲେ। ରାହାଗିରି କରି ବିଏମ୍‌ସି ଓ ବିଡିଏ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ସାରିଲେ। କିନ୍ତୁ ଆଜିକୁ ୫ ବର୍ଷ ପୂରିଲା, ହେଲେ କୌଣସି ଗୋଟିଏ କାମ ସମ୍ପୂର୍ଣ୍ଣ ହୋଇପାରିଲାନି। ଏବେ ରାଜ୍ୟ ସରକାର ଫନି ବାତ୍ୟା ଓ କୋଭିଡକୁ ଦାୟୀ କରୁଛନ୍ତି। କିନ୍ତୁ ଭୁଲି ଯାଉଛନ୍ତି, ଜଳଉତ୍ସ ସଜାଡ଼ିବା ଏବଂ ସ୍ବରେଜ୍‌ ସଂଯୋଗୀକରଣ କାର୍ଯ୍ୟ ମଧ୍ୟ ୨୦୧୫ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଥିଲା। ଏବେ ସୁଦ୍ଧା ସେସବୁ ପ୍ରକଳ୍ପ ଅଧା ହୋଇ ପଡ଼ିରହିଛି। ଜଳବନ୍ଦୀରେ ରାଜଧାନୀବାସୀ ଅତିଷ୍ଠ ହେଲେଣି। ବିଭିନ୍ନ ଡ୍ରେନ୍‌ ଖୋଲା ପଡ଼ିଥିବାରୁ ନାଳଗୁଡ଼ିକ ଅଳିଆ ଆବର୍ଜନାରେ ପୋତି ହୋଇପଡ଼ିଛି। ନାଳଗୁଡ଼ିକ ଜମି ମାଫିଆମାନଙ୍କ କବ୍‌ଜାରେ ରହିଛି। ଅଥଚ ସେସବୁକୁ ଉଚ୍ଛେଦ କରାଯାଉନାହିଁ। ଯୁଆଡ଼େ ଦେଖିବ ସେଠି ପ୍ରତିଦିନ ଖୋଳା ଚାଲିଛି। ବର୍ଷା ଦିନ ପୂର୍ବରୁ କାମ ଶେଷ କରିବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଶ୍ରୀମତୀ ମହାପାତ୍ର ଅଭିଯୋଗ କରିଛନ୍ତି।

ଦଳୀୟ ନେତା ପଦ୍ମାକର ଗୁରୁ କହିଥିଲେ, ବିଭିନ୍ନ ଲେନ୍‌, କେନାଲବନ୍ଧ ଓ ନଦୀବନ୍ଧଗୁଡ଼ିକ ଉପରେ ଆଲୋକୀକରଣ ବ୍ୟବସ୍ଥା ନଥିବାରୁ ଦୈନିକ ଅପରାଧ ବୃଦ୍ଧି ପାଉଛି। ମହିଳାମାନଙ୍କ ଉପରେ ଆକ୍ରମଣ, ଛିନ୍‌ତାଇ, ହତ୍ୟା ଭଳି ସଙ୍ଗିନ୍‌ ଆପରାଧିକ ଘଟଣା ବଢ଼ି ଚାଲିଛି। ଭୁବେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍‌ ଦାସ କହିଥିଲେ, ରାଜଧାନୀବାସିନ୍ଦାଙ୍କ ଉପରେ ବିଏମ୍‌ସି ହୋଲଡିଂ ଟିକସ ବୃଦ୍ଧି କରି ଟିକସ ବୋଝ ଲଦି ଦେଇଛି। ଏବେ ନୂତନ ଭାବରେ ପୁଣି ଏକ ସଫେଇ ଟ୍ୟାକ୍‌ସ୍‌ ଲଦିବା ପାଇଁ ଯୋଜନା କରୁଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe