ଭୁବନେଶ୍ବର ବାଲିଯାତ୍ରା ଉଦ୍‌ଘାଟିତ, କୁଆଖାଇ ନଦୀପଠାରେ ୫୫୦ ଷ୍ଟଲ

ଭୁବନେଶ୍ବର ବାଲିଯାତ୍ରା ଉଦ୍‌ଘାଟିତ, କୁଆଖାଇ ନଦୀପଠାରେ ୫୫୦ ଷ୍ଟଲ

ଚନ୍ଦ୍ରଶେଖରପୁର: କୁଆଖାଇ ଏୗତିହାସିକ ପଟିଆବନ୍ଧ ନଦୀ ପଠାରେ ଆଜିଠାରୁ ଆରମ୍ଭ ହୋଇଛି ଭୁବନେଶ୍ବର ବାଲିଯାତ୍ରା। ଦ୍ବିତୀୟ ବର୍ଷ ପାଇଁ ଅନୁଷ୍ଠିତ ହେଉଥିବା ଏହି ବାଲିଯାତ୍ରାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ଉଦ୍‌ଘାଟନ କରିଛନ୍ତି। ୮ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବକୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ଶ୍ରୀ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଛନ୍ତି। ନଦୀ ପଠାର ସମ୍ପ୍ରସାରଣ ସହ ଆଗାମୀ ବର୍ଷଗୁଡ଼ିକରେ ଏହା କିଭଳି ରାଜଧାନୀବାସୀଙ୍କୁ ଆକୃଷ୍ଟ କରିପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ। ଏହି ଅବସରରେ ସେ ବାଲିଯାତ୍ରାକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।ମେୟର ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ବାଲିଯାତ୍ରା ଦ୍ବାରା ଓଡ଼ିଆ ଜାତିର ପରମ୍ପରା ଆଗକୁ ଆସିପାରି‌ଛି। ଆଗାମୀ ଦିନରେ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଆଲୋକୀକରଣ ବ୍ୟବସ୍ଥା କରିବା ଦିଗରେ ଧ୍ୟାନ ଦିଆଯିବ। ଭୁବନେଶ୍ବର ଉତ୍ତର ବିଧାୟକ ତଥା ବାଲିଯାତ୍ରା କମିଟିର ସଭାପତି ପ୍ରିୟଦର୍ଶୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସ୍ଥାନୀୟ କର୍ପୋରେଟର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଗତବର୍ଷଠାରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରାରେ ଏଥର ୫୫୦ ଜଣ ବ୍ୟବସାୟୀ ଭାଗ ନେଇଛନ୍ତି। ଖାଦ୍ୟ ସାମଗ୍ରୀ ସାଙ୍ଗକୁ ଘରକରଣା ସାମଗ୍ରୀ ଚଳିତବର୍ଷର ପ୍ରମୁଖ ଆକର୍ଷଣ ପାଲଟିଛି। ଏଥିସହ ଛୋଟ ପିଲାମାନଙ୍କ ପାଇଁ ଦୋଳି, ରେଳଗାଡ଼ି ଆଦି ପ୍ରମୁଖ ଆକର୍ଷଣ ସାଜିଛି। ପ୍ରତିଦିନ ସନ୍ଧ୍ୟାରେ ଖୋଲା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପାରାମ୍ପରିକ କଳା ଓ କୌଶଳ ପ୍ରଦର୍ଶିତ ହେବ। ନଦୀପଠାରେ ବାଲିଯାତ୍ରା ହେଉଥିବାରୁ ଦର୍ଶକଙ୍କ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯାଇଛି। ୨ ପ୍ଲାଟୁନ୍‌ରୁ ଅଧିକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ଭିଡ଼ ନିୟନ୍ତ୍ରଣ ପାଇଁ ୧୫୦ ଜଣ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ସୂଚନାଯୋଗ୍ୟ ଯେ ଗତବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ବର ବାଲିଯାତ୍ରା ହୋଇଥିଲା। ସେଥିରେ ୪୦ଟି ଷ୍ଟଲ ଭାଗନେଇଥିବା ବେଳେ ଯାତ୍ରା ୩ ଦିନ ପାଇଁ ଚାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe