ମୁଖ୍ୟ ଅଭିଯୁକ୍ତକୁ ବାନ୍ଧୁନି ପୁଲିସ, ଜୁଲାଇ ୧ ଯାଏ ଭୁବନେଶ୍ବର ବାର୍‌ର କାର୍ଯ୍ୟବନ୍ଦ

ନ୍ୟାୟପାଳିକାର ଜାଗ୍ରତ ପ୍ରହରୀ

ଭୁବନେଶ୍ୱର: ଦୁଇ ଓକିଲଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। କିନ୍ତୁ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ ବୋଲି ଅଭିଯୋଗ କରିଛି ଭୁବନେଶ୍ବର ଓକିଲ ସଂଘ। କେବଳ ଓକିଲଙ୍କର ଆନ୍ଦୋଳନାତ୍ମକ ପରିସ୍ଥିତିରୁ ମୁକୁଳିବା ପାଇଁ ପୁଲିସ ଦୁଇଜଣଙ୍କୁ ବାନ୍ଧିଥିବା ଅଭିଯୋଗ ହୋଇଛି। ଏଣୁ ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଓକିଲମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେବେନାହିଁ ବୋଲି ନିଷ୍ପତ୍ତି ହୋଇଛି। ଆଜି ବସିଥିବା ଜେନେରାଲ ବଡି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସମ୍ପାଦକ ବିଶ୍ବ ନାରାୟଣ ମହାନ୍ତି ସୂଚନା ଦେଇଛନ୍ତି। ୩୦ ତାରିଖ ଭିତରେ ଏତଲାରେ ନାମ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ କମିସନରେଟ୍‌ ପୁଲିସକୁ ଚେତାବନୀ ଦିଆଯାଇଛି। ନଚେତ ୧ ତାରିଖରେ ବସିବାକୁ ଥିବା ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯିବ।

ସୂଚନା ମୁତାବକ, ଏକ ଜମିବାଡ଼ି ମାମଲାକୁ କେନ୍ଦ୍ର କରି ଗତ ୧୯ ତାରିଖ ଦିନ ଭୁବନେଶ୍ବର ଓକିଲ ସଂଘର ଦୁଇଜଣ ଓକିଲ ମହମ୍ମଦ ଏ. ଆଲାମ୍‌ ଓ ଉମାକାନ୍ତ ତାଣ୍ଡିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଓକିଲ ସଂଘ କାର୍ଯ୍ୟବନ୍ଦ ଡାକରା ଦେଇଥିଲା। ଗତକାଲି ପୁଲିସ ଲକ୍ଷ୍ମୀସାଗର ଝାରପଡ଼ାର ସୁବାସ ବେହେରା ଓ ସନ୍ତୋଷ ପ୍ରଧାନଙ୍କୁ ଗିରଫ କରିଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଏମାନେ ହୋଇନଥିବାରୁ ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଛି। ଅନ୍ୟ କୋର୍ଟର ସମର୍ଥନ: ଭୁବନେଶ୍ବର ଓକିଲ ସଂଘର ଏହି ଆନ୍ଦୋଳନକୁ କଟକ କ୍ରିମିନାଲ ଓକିଲ ସଂଘ ଓ କଟକ ଓକିଲ ସଂଘ ସମର୍ଥନ କରିଛି। ଏହି ସମର୍ଥନରେ ଆସନ୍ତା ୨୯ ତାରିଖ ଦିନ ଉଭୟ ସଂଘ କାର୍ଯ୍ୟବନ୍ଦ ଡାକରା ଦେଇଛି। ଆଜି ବସିଥିବା ଜେନେରାଲ ବଡି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କଟକ କ୍ରିମିନାଲ ଓକିଲ ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe