ଯୁବକଙ୍କୁ ଭୁଜାଲିରେ ହାଣିଲେ ମଦ ମାଫିଆ

ଥଣ୍ଡା ବ୍ରେଡ୍‌ ପାଇଁ ମହାଅନର୍ଥ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର, ଘର ଜଳିଗଲା

Times of India

ଭୁବନେଶ୍ବର : ମଦ ମାଫିଆଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ ଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏହି ଆପରାଧିକ ଘଟଣା ଘଟିଛି। ଆକ୍ରମଣର ଶିକାର ଯୁବକଜଣଙ୍କ ହେଲେ, ସୌମ୍ୟରଂଜନ ସାମଲ। ମାଫିଆଙ୍କ ଆକ୍ରମଣରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏ ସଂପର୍କରେ ସେ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାର ସମସ୍ତ ଦୃଶ୍ୟ ଷ୍ଟାଡିୟମ୍‌ ଛକ ନିକଟ ଟ୍ରାଫିକ୍‌ ସିସିଟିଭିରେ କଏଦ୍‌ ହୋଇଥିବାରୁ ପୁଲିସ୍‌ ଫୁଟେଜ୍‌ରୁ ଅଭିଯୁକ୍ତଦ୍ବୟଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚଳାଇଛି।

ସୌମ୍ୟଙ୍କ ଅଭିଯୋଗ ଅନୁଯାୟୀ, ଗତ ରାତି ପାଖାପାଖି ସାଢ଼େ ୧୨ଟାରେ ସେ କଳିଙ୍ଗ ଷ୍ଟାଡିୟମ୍‌ ଛକ ଦେଇ ଘରକୁ ଫେରୁଥିବା ବେଳେ ଦୁଇଜଣ ଯୁବକ ତାଙ୍କୁ ଅଟକାଇଥିଲେ। ସେମାନେ ତାଙ୍କୁ ଅମ୍ଳାନ ବୋଲି ସମ୍ବୋଧନ କରିବା ସହ ତୁରନ୍ତ ଚୋରା ମଦ ଫେରାଇବାକୁ ଧମକ ଦେଇଥିଲେ। ସେ ଅମ୍ଳାନ ନୁହଁନ୍ତି କିମ୍ବା ଅମ୍ଳାନକୁ ଜାଣିନାହାନ୍ତି ବୋଲି ସୌମ୍ୟ ବାରମ୍ବାର କହିବା ପରେ ମଧ୍ୟ ଅଭିଯୁକ୍ତଦ୍ବୟ ତାଙ୍କୁ କଥା ଶୁଣିନଥିଲେ। ସେତିକିବେଳେ ଜଣେ ଦୁର୍ବୃତ୍ତ ଏକ ଖଣ୍ଡାରେ ସୌମ୍ୟଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ସୌମ୍ୟ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇବା ସହ ଏ ସଂପର୍କରେ ସହିଦନଗର ପୁଲିସ୍‌କୁ ଫୋନ୍‌ କରି ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅଭିଯୁକ୍ତଦ୍ବୟ ଫେରାର୍‌ ହୋଇଯାଇଥିଲେ। ପୁଲିସ୍‌ ସୌମ୍ୟଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌‌ରେ ଭର୍ତ୍ତି କରାଇଥିଲା। ସିସିଟିଭି ଫୁଟେଜ୍‌ରୁ ପୁଲିସ୍‌ ଜାଣିବାକୁ ପାଇଛି ଯେ ଅଭିଯୁକ୍ତଦ୍ବୟ ଖାଲି ସୌମ୍ୟଙ୍କୁ ନୁହେଁ, ସେତେବେଳେ ସେହି ବାଟ ଦେଇ ଯାଉଥିବା ଲୋକଙ୍କୁ ଖଣ୍ଡା, ଭୁଜାଲିରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe