ଦୁଇ ବିଧାୟକଙ୍କୁ ମନାଇଲେ, ଖୁବ୍ ଶୀଘ୍ର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜୟ, ପ୍ରିୟଦର୍ଶୀ

Advertisment

ଏଯାଏ ବାବୁ ସିଂହଙ୍କ ପାଇଁ ପ୍ରଚାର କଲେନି ଅମୀୟ

ଏଯାଏ ବାବୁ ସିଂହଙ୍କ ପାଇଁ ପ୍ରଚାର କଲେନି ଅମୀୟ

ଦୁଇ ବିଧାୟକଙ୍କୁ ମନାଇଲେ, ଖୁବ୍ ଶୀଘ୍ର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜୟ, ପ୍ରିୟଦର୍ଶୀ

ଭୁବନେଶ୍ବର : ଭୁବନେଶ୍ବରର ତିନି ନିର୍ବାଚନମଣ୍ଡଳୀରେ ଆସନ୍ତା ୨୩ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ପ୍ରାର୍ଥୀମାନେ ଜୋରଦାର୍‌ ପ୍ରଚାର ଚଳାଇଛନ୍ତି। ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରଚାରକୁ ଯେତିକି ଗୁରୁତ୍ବ ଦେଉଛନ୍ତି ‌ସେତିକି ଗୁରୁତ୍ବ ଦଳ ଭିତରର ଅସନ୍ତୁଷ୍ଟ ନେତାଙ୍କୁ ମନାଇବାକୁ ଦେଉଛନ୍ତି। ଭୁବନେଶ୍ବର ଏକାମ୍ରରେ ବିଜେପି ପ୍ରମୁଖ ଦାବିଦାର ପ୍ରାର୍ଥୀ ଅମୀୟ ଦାଶଙ୍କୁ ଟିକେଟ୍‌ ଦେଇ ନ ଥିବାବେଳେ ଭୁବନେଶ୍ବର ମଧ୍ୟ ଓ ଉତ୍ତରରେ ବିଜେଡି ଦୁଇ ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ରଙ୍କୁ ଟିକେଟ୍‌ ଦେଇନି। ଯଦିଓ ଏହି ତିନି ନେତା ଦଳ ବିରୋଧରେ ଯାଇନଥିଲେ, କିନ୍ତୁ ସେମାନେ ଅସନ୍ତୁଷ୍ଟ ଥିଲେ ତାହା ସ୍ପ‌ଷ୍ଟ ବାରି ହୋଇପଡ଼ୁଥିଲା।

ତିନି ଜଣ ଯାକ ସେମାନଙ୍କ ଦଳ ପାଇଁ ପ୍ରଚାର କରୁନାହାନ୍ତି କି ତାଙ୍କ ସମର୍ଥକଙ୍କୁ ଖୋଲାଖୋଲି ପ୍ରଚାର କରିବାକୁ କିଛି କହୁନାହାନ୍ତି। ସ୍ଥିତି ଏପରି ହୋଇଛି ଯେ, ତିନିଟି ଯାକ ନିର୍ବାଚନ ମଣ୍ଡଳୀରେ ତିନି ନୂଆ ପ୍ରାର୍ଥୀଙ୍କୁ ପ୍ରଚାର ସମୟରେ କିଛି ମାତ୍ରାରେ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ୁଛି। ସେମାନଙ୍କ ଦଳର ଭୋଟ୍‌ ଥିଲେ ହେଁ ‌ସେମାନଙ୍କୁ ଭୋଟ୍‌ ମିଳିବ ବୋଲି ପ୍ରାର୍ଥୀମାନେ ନିଶ୍ଚିତ ହୋଇପାରୁନାହାନ୍ତି। ଏନେଇ ତିନି ନୂଆ ପ୍ରାର୍ଥୀ ସେମାନଙ୍କ ଦଳ ପଦାଧିକାରୀଙ୍କୁ ଜଣାଇବା ପରେ ଏଥିରେ ସମାଧାନର ବାଟ ଫିଟିଛି। ବିଜେଡି ଦୁଇ ବିଧାୟକଙ୍କୁ ବିଭିନ୍ନ ଦଳୀୟ ପଦବି ଦେଇ ମନାଇବାରେ ସଫଳ ହୋଇଛି। କିନ୍ତୁ ବିଜେପି ଏପର୍ଯ୍ୟନ୍ତ ଅମୀୟଙ୍କୁ ମନାଇପାରିନି।

ବିଜେଡି ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳର ସାଧାରଣ ସମ୍ପା‌ଦକ କରିବା ସହ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛି। ଭବିଷ୍ୟତରେ ବଡ଼ ପଦବି ଦେବ ବୋଲି ବି ଆଶା ଦେଇଛି। ଏହାପରେ ପ୍ରିୟଦର୍ଶୀ ବି ଦଳୀୟ ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏନେଇ ପ୍ରିୟଦର୍ଶୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ମୁଁ ସୁଶାନ୍ତଙ୍କୁ ସମର୍ଥନ କରୁଛି। ମୋ ସମର୍ଥକମାନେ ବି ତାଙ୍କ ପାଇଁ ପ୍ରଚାର କରୁଛନ୍ତି। ସୁଶାନ୍ତ କିପରି ଭଲ ଭୋଟ୍‌ ବ୍ୟବଧାନରେ ଜିତିବେ ସେନେଇ ଆମେ ଏକାଠି ବସି ରଣନୀତି ପ୍ରସ୍ତୁତ କରୁଛୁ।

ସେହିପରି ଭୁବନେଶ୍ବର ମଧ୍ୟ‌େର ବିଜେଡି ବିଜୟ ମହାନ୍ତିଙ୍କ ଟିକେଟ୍‌ କାଟି ଅନନ୍ତ ନାରାୟଣ ଜେନାଙ୍କୁ ଟିକେଟ୍‌ ଦେଇଛି। ଏହା ପରେ ବିଜୟ ଯଦିଓ ପ୍ରଚାର ମଇଦାନକୁ ଓହ୍ଲାଇ ନାହାନ୍ତି, କିନ୍ତୁ ତାଙ୍କର କିଛି ସମର୍ଥକ ଅନନ୍ତଙ୍କ ପାଇଁ ପ୍ରଚାର କରୁଛନ୍ତି। ଭୁବନେଶ୍ବର ମଧ୍ୟର ୨୦ କର୍ପୋରେଟର ବି ଅନନ୍ତଙ୍କ ପ୍ରଚାରରେ ୱାର୍ଡ ସ୍ତରରେ ତାଙ୍କ ସହ ସାମିଲ୍‌ ହୋଇଥିଲେ। ହେଲେ ବିଜୟଙ୍କ ପକେଟ୍ ଭୋଟ୍‌ କାଳେ ବିଜେପି ବା କଂଗ୍ରେସ ଆଡ଼କୁ ଢଳିବ ସେନେଇ ଅନନ୍ତ ଚିନ୍ତାରେ ଥିଲେ। ଆଜି ଦଳ ବିଜୟଙ୍କୁ ଭୁବନେଶ୍ବର ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେବା ସହ ଦଳର ସାଧାରଣ ସମ୍ପାଦକ କରିଛି। ଅନନ୍ତଙ୍କୁ ଦଳ ଭୁବନେଶ୍ବର ମଧ୍ୟର ପର୍ଯ୍ୟବେକ୍ଷକ କରିଥିବା ବେଳେ ସେ ପ୍ରା‌ର୍ଥୀ ହେବା ପରେ ବିଜୟଙ୍କୁ ଏହି ଦାୟିତ୍ବ ଦେଇଛି। ଅପରପକ୍ଷେ ବିଜୟଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିବା ପରେ ସେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି। ବିଜୟଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଗତକାଲି ସେ ଅନନ୍ତଙ୍କ ସହ ପ୍ରଚାର ନେଇ ଆଲୋଚନା କରିଛନ୍ତି। କିପରି ବହୁ ଭୋଟ୍‌ ବ୍ୟବଧାନରେ ଅନନ୍ତ ଜିତିବେ ସେନେଇ ଆମେ ପ୍ରଚାର କରିବୁ। ଦଳ ତାଙ୍କୁ ଏହି ପଦବି ଦେଇଥିବାରୁ ସେ ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଅପରପକ୍ଷେ ଭୁବନେଶ୍ବର ଏକାମ୍ରରେ ବିଜେପିର ବିବାଦ ତୁଟିନି। ଅମୀୟଙ୍କୁ ଏପର୍ଯ୍ୟନ୍ତ ଦଳ ମନାଇବାରେ ସଫଳ ହୋଇନି। ତିନି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକସଭା ପ୍ରା‌ର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ପ୍ରାର୍ଥୀ ବାବୁ ସିଂହ ମିଳିତ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବା ସହ ଶୋଭାଯାତ୍ରା ବି କରିଥିଲେ। କିନ୍ତୁ ଏଥିରେ ଅମୀୟ ସାମିଲ୍‌ ହୋଇନଥିଲେ। ଏପରିକି ଅମୀୟ କିମ୍ବା ତାଙ୍କର ଦୃଢ ସମର୍ଥକମାନେ ଏ ପର୍ଯ୍ୟନ୍ତ ବାବୁ ସିଂହଙ୍କ କୌଣସି ପ୍ରଚାର କାର୍ଯ୍ୟକ୍ରମରେ ସାମିଲ୍‌ ହୋଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe