ଜରାଜୀର୍ଣ୍ଣ ବିଜୁ ପଟ୍ଟନାୟକ ଏନର୍ଜି ପାର୍କ

Advertisment
ଜରାଜୀର୍ଣ୍ଣ ବିଜୁ ପଟ୍ଟନାୟକ ଏନର୍ଜି ପାର୍କ

ଖଣ୍ଡଗିରି : ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା)ର ପ୍ରଦର୍ଶନୀ ପ୍ରକଳ୍ପ ବିଜୁ ପଟ୍ଟନାୟକ ଶକ୍ତି ପାର୍କ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଗତ ଫନି ବାତ୍ୟା ପରଠାରୁ ଏହି ପାର୍କ ଶୋଚନୀୟ ହୋଇ ପଡ଼ି ରହିଛି। ପୁନରୁଦ୍ଧାର ପାଇଁ ଚୁକ୍ତିପତ୍ର ସ୍ବାକ୍ଷରିତ (ଏମ୍‌ଓୟୁ) ହୋଇଥିଲେ ମଧ୍ୟ ତାହା ସେମିତି ଫାଇଲ୍‌ ଭିତରେ ପଡ଼ି ରହିଛି। ତେଣୁ ପାର୍କ ଭିତରେ ଥିବା ବହୁ ଉପକରଣ ନଷ୍ଟ ହେବାରେ ଲାଗିଥିବା ବେଳେ ଅନେକ କିଛି ପୂରା ନଷ୍ଟ ହୋଇସାରିଲାଣି। ସୁନ୍ଦର ପାର୍କଟି ଏବେ ଏକ ବଣବୁଦା ଜଙ୍ଗଲିଆ ଅଞ୍ଚଳ ହୋଇଯାଇଛି। ଖଣ୍ଡଗିରି କୋଳଥିଆସ୍ଥିତ ବିଜୁ ପଟ୍ଟନାୟକ ଏନର୍ଜି ପାର୍କ ପ୍ରତିଷ୍ଠା ପଛରେ ଥିଲା ଏକ ବଡ଼ ମହତ୍‌ ଉଦ୍ଦେଶ୍ୟ। ଓରେଡା ଦ୍ବାରା ପ୍ରତିଷ୍ଠା କରାଯାଇଥିବା ଏହି ପାର୍କ ଥିଲା ଏକ ଶିକ୍ଷାକେନ୍ଦ୍ର। ଅକ୍ଷୟ ଶକ୍ତି (ବିଶେଷକରି ସୌରଶକ୍ତି) ବ୍ୟବହାର ବାବଦରେ ଲୋକଙ୍କୁ ସଚେତନ କରାଇବା ବା ଜ୍ଞାନ ବାଣ୍ଟିବା ଓ ଛାତ୍ରଛାତ୍ରୀମାନଙ୍କୁ ସୌର ଶକ୍ତି ଉତ୍ପାଦନ ଓ ବିନିଯୋଗ ଉପରେ ଜ୍ଞାନ ଆହରଣ କରାଇବା ଥିଲା ଏହି ପାର୍କର ମୂଳ ଲକ୍ଷ୍ୟ। ତେଣୁ ସୌରଶକ୍ତି ଦ୍ବାରା ପରିଚାଳିତ ବିଭିନ୍ନ ଯାନ୍ତ୍ରିକ ଉପକରଣ ଏଠାରେ ପ୍ରଦର୍ଶିତ ହେଉଥିଲା। ତେଣୁ ଏହା କେବଳ ଏକ ପାର୍କ ନଥିଲା, ଏକ ଜ୍ଞାନକେନ୍ଦ୍ର ଥିଲା।

publive-image

ପ୍ରତିବର୍ଷ ଏଠାରେ ଓରେଡା ପକ୍ଷରୁ ପ୍ରଦର୍ଶନୀ ଆୟୋଜନ କରାଯାଉଥିଲା ଓ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିବା ସୌର ପ୍ରକଳ୍ପଗୁଡ଼ିକ ଉପରେ ଆଲୋଚନା କରାଯାଉଥିଲା। ଏହି ଅବସରରେ ଅନୁଷ୍ଠିତ ପ୍ରଦର୍ଶନୀରେ ସୌରଶକ୍ତି ପରିଚାଳିତ ଯନ୍ତ୍ର ବିକ୍ରି କରାଯାଉଥିଲା। ସେହିଭଳି ଏଠାରେ ବିଭିନ୍ନ ସେମିନାର୍ ଆୟୋଜନ କରାଯାଇ ନୂତନ ‌ସୌରଚାଳିତ ଯନ୍ତ୍ର ଉପରେ ପିଲାମାନଙ୍କୁ ଜଣାଇ ଦିଆଯାଉଥିଲା। ମାତ୍ର ଏବେ ଏହି ପାର୍କର ସ୍ଥିତି ବଡ଼ ଦୟନୀୟ ଅବସ୍ଥାରେ। ଏହା ଭିତରେ ଥିବା ବିଭିନ୍ନ ବିଭାଗ ତଥା ଊର୍ଜା, ଆଦିତ୍ୟ, ମିତ୍ର, ଆଦି ଉର୍ଜା ସଂଶାଧନ କେନ୍ଦ୍ର, ପ୍ରଦର୍ଶନୀ କେନ୍ଦ୍ର, କନ୍‌ଫରେନ୍ସ ହଲ୍ ଆଦିରେ ଥିବା ବିଭିନ୍ନ ପ୍ରକଳ୍ପ ଏବେ ଅବ୍ୟବସ୍ଥିତ ଓ ଦୟନୀୟ ଅବସ୍ଥାରେ ରହିଛି। କିଓସ୍କ ଅଚଳ ହୋଇପଡ଼ିଛି। ଫନି ପରଠାରୁ ସୌର ପ୍ୟାନେଲଗୁଡ଼ିକ ମଧ୍ୟରୁ ଅନେକ ଅଚଳ ହୋଇପଡ଼ିଛି। ପାଣି ଫୁଆରା, ସ୍ଲାଇଡର୍, ଦୋଳି ଆଦି ମନୋରଞ୍ଜନ ପ୍ରକଳ୍ପ ସ୍ଥିତି ମଧ୍ୟ ବହୁତ ଖରାପ। ପିଲାଙ୍କ ପାଇଁ ଖେଳିବାକୁ ଲାଗିଥିବା ସବୁ ଉପକରଣ ନଷ୍ଟ ହୋଇ ଯାଇଥିବାରୁ ଆଉ ପିଲାମାନେ ସେଠାକୁ ଯାଉନାହାନ୍ତି। କିଛି ଦୋଳି କଳଙ୍କି ଲାଗି ଛିଡ଼ି ପଡ଼ିବା ଅବସ୍ଥାରେ ରହିଛି। ମୋଟା‌ମୋଟି ଭାବେ ପୂରା ପାର୍କଟି ଏବେ ଏକ ବଣର ଭ୍ରମ ସୃଷ୍ଟି କରୁଛି। ସମ୍ପୂର୍ଣ୍ଣ ପାର୍କଟି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି।

publive-image

ସୂଚନାଯୋଗ୍ୟ, ଏହି ପାର୍କର ପୁନରୁଦ୍ଧ‌ାର ପାଇଁ ଓରେଡା ସହ ନ୍ୟାସନାଲ୍‌ ଏନ୍‌ଭିରନ୍‌ମେଣ୍ଟ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ନିରି) ୨୦୧୯ ମସିହାରେ ଏକ ଏମ୍ଓୟୁ ସ୍ୱାକ୍ଷର କରିଥିଲା। କିନ୍ତୁ ୨ ବର୍ଷ ବିତିବା ପରେ ବି ନିରି କାମ ଆରମ୍ଭ କରିନାହିଁ। ଏମିତିକି ପୁନରୁଦ୍ଧାର କାର୍ଯ୍ୟର ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରାଯାଇନାହିଁ। ଚୁକ୍ତିପତ୍ର ସେମିତି ଫ‌ାଇଲ୍‌ ଭିତରେ ସାଇତା ହୋଇ ରହିଛି। ଏନେଇ ଓରେଡା ସିଇଓ ଧନଞ୍ଜୟ ସ୍ବାଇଁଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ ନିରି ତରଫରୁ ଏଯାଏ କୌଣସି ସହଯୋଗ ମିଳି ନାହିଁ। ନିରି ତରଫରୁ ଡିପିଆର୍ ବାବଦ‌ରେ ଯେଉଁ ଅର୍ଥ ଦାବି କରାଯାଉଛି, ତାହା ଓରେଡାର ସମର୍ଥ ବାହାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe