ଅଚଳାବସ୍ଥାରେ ବିଜୁ ପଟ୍ଟନାୟକ ଶକ୍ତି ପାର୍କ: ପୁନରୁଦ୍ଧାର ବ୍ୟୟ ଅଟକଳ ୪୦ ଲକ୍ଷ

Advertisment
ଅଚଳାବସ୍ଥାରେ ବିଜୁ ପଟ୍ଟନାୟକ ଶକ୍ତି ପାର୍କ: ପୁନରୁଦ୍ଧାର ବ୍ୟୟ ଅଟକଳ ୪୦ ଲକ୍ଷ

ଖଣ୍ଡଗିରି: ଫନି ପରଠାରୁ ଖଣ୍ଡଗିରିସ୍ଥିତ ବିଜୁ ପଟ୍ଟନାୟକ ଶକ୍ତି ପାର୍କର ବହୁ ଉପକରଣ ନଷ୍ଟ ହୋଇଯାଇଥିଲା। ସେସବୁ ମରାମତି ହେବା ପୂର୍ବରୁ ଆସିଲା ମହାମାରୀ କରୋନା। କଟକଣା ଲାଗି ଲୋକମାନଙ୍କୁ ପାର୍କ ଭିତରକୁ ଯିବାକୁ ଦିଆଗଲା ନାହିଁ। ଫଳରେ ରକ୍ଷଣାବେକ୍ଷଣ ଅଭାବରୁ ଆହୁରି ବହୁ ଉପକରଣ ବି ନଷ୍ଟ ହୋଇଗଲା। ଏବେ ୫ ମାସ ହେଲା ପୂରା ବନ୍ଦ ହୋଇପଡ଼ିଛି। ତେଣୁ ଅକ୍ଷୟ ଶକ୍ତି (ସୌରଶକ୍ତି) ବ୍ୟବହାର ବାବଦରେ ଲୋକଙ୍କୁ ସଚେତନ କରାଇବା ଓ ଜ୍ଞାନକୌଶଳ ବାଣ୍ଟିବା ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିବା ଏହି ଶକ୍ତି ପାର୍କରେ ତାଲା ଝୁଲୁଛି।

ଏଠାରେ ଥିବା ବିଭିନ୍ନ ବିଭାଗ ଯଥା ଉର୍ଜା, ଆଦିତ୍ୟ, ମିତ୍ର, ଉର୍ଜା ସଂଶାଧନ କେନ୍ଦ୍ର, ପ୍ରଦର୍ଶନୀ କେନ୍ଦ୍ର, ସମ୍ମିଳନୀ କକ୍ଷ ଆଦିରେ ଥିବା ବିଭିନ୍ନ ପ୍ରକଳ୍ପ ଏବେ ଦୟନୀୟ ଅବସ୍ଥାରେ ରହିଛି। କିଓସ୍କ ଅଚଳ ହୋଇପଡ଼ିଛି। ସୌର ପ୍ୟାନେଲ୍‌ଗୁଡ଼ିକ ଅଚଳ ହୋଇଯାଇଛି। ପାଣି ଫୁଆରା, ସ୍ଲାଇଡର୍, ଦୋଳି ଆଦି ଛୋଟ ପିଲାଙ୍କ ପାଇଁ ଥିବା ମନୋରଞ୍ଜନ ପ୍ରକଳ୍ପର ସ୍ଥିତି ମଧ୍ୟ ବହୁତ ଖରାପ। କିଛି ଦୋଳି କଳଙ୍କି ଲାଗି ଛିଡ଼ି ପଡ଼ିବା ଅବସ୍ଥାରେ ରହିଛି। ପାର୍କରେ ଥିବା କୋଠାଗୁଡ଼ିକ ଦୁର୍ବଳ ହେବାରେ ଲାଗିଛି। ସମ୍ମିଳନୀ କକ୍ଷ କୋଠାର କାନ୍ଥ ଅଧାରୁ ଭୁଶୁଡ଼ି ପଡିବା ଅବସ୍ଥାରେ ରହିଛି। ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡ଼ା) ପକ୍ଷରୁ ୧୦ ହଜାର ବର୍ଗଫୁଟ୍ ଅଞ୍ଚଳରେ ନିର୍ମ‌‌ାଣ ହୋଇଥିବା ଏହି ଶକ୍ତି ପାର୍କ ୨୦୦୬ ଡିସେମ୍ବର ୧୦ରେ ଉଦ୍‌ଘାଟିତ ହୋଇଥିଲା। ଏହା ଏକ ଦଶନ୍ଧି ଧରି ଠିକ୍‌ରେ ଚାଲିଥିଲା। ମାତ୍ର ଗତ ୫ ବର୍ଷ ହେଲା ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ବିଶେଷକରି ୨୦୧୮ରେ ବାତ୍ୟା ଫନି ସମୟରେ ଏହି ପାର୍କର ଚିତ୍ର ବଦଳି ଯାଇଥିଲା। ସମସ୍ତ ସାମଗ୍ରୀ ଭାଙ୍ଗି ରୁଜି ଯାଇଥିଲା। ଗୋଟେ ବର୍ଷ ଧରି ସେମିତି ସବୁ ସରଞ୍ଜାମ ପଡ଼ି ରହିବା ପରେ ମରାମତି କରିବାକୁ କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିଥିଲେ। ମାତ୍ର ୨୦୨୦ରେ କରୋନା ମାଡ଼ ପାର୍କକୁ ପୁଣି ଅଚଳ କରିଦେଲା।

ସୂଚନାଯୋଗ୍ୟ, ଏଠାରେ ପ୍ରତିବର୍ଷ ଓରେଡା ପକ୍ଷରୁ ପ୍ରଦର୍ଶନୀ ଆୟୋଜନ କରାଯାଉଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିବା ସୌର ପ୍ରକଳ୍ପଗୁଡ଼ିକ ଉପରେ ଆଲୋଚନା ହେଉଥିଲା। ପ୍ରଦର୍ଶନୀରେ ସୌରଶକ୍ତି ପରିଚାଳିତ ଉପକରଣ ବିକ୍ରି କରାଯାଉଥିଲା। ବିଭିନ୍ନ ସେମିନାର୍ କରାଯାଇ ନୂତନ ସୌରଚାଳିତ ଯନ୍ତ୍ର ଉପରେ ପିଲାଙ୍କୁ ଶିକ୍ଷା ଦିଆଯାଉଥିଲା। ଏବେ ସବୁ କାର୍ଯ୍ୟକ୍ରମ ବନ୍ଦ। ଓରେଡା ପରିଚାଳନା ନିର୍ଦ୍ଦେଶକ ଧନଞ୍ଜୟ ସ୍ବାଇଁ କହିଛନ୍ତି ଯେ ସୁରକ୍ଷା କର୍ମୀ ଥିଲେ ମଧ୍ୟ ସାମଗ୍ରୀଗୁଡ଼ିକ ଚୋରି ହୋଇଯାଉଛି। ଏବେ କନ୍‌ଫରେନ୍‌‌ସ ହଲ୍‌ର କାନ୍ଥ ଖରାପ ହୋଇଯାଇଛି। ମରାମତି ଚାଲିଥିବାରୁ ଏବେ ଭିତରକୁ କାହାକୁ ଛଡ଼ାଯାଉନାହିଁ। ସେହିଭଳି ୱାଟର କିଓସ୍କ, ସୋଲାର ଟ୍ରି ଆଦିର ମରାମତି କାମ ପାଇଁ ବାହାରୁ ଇଞ୍ଜିନିୟର୍‌ ଆସିଛନ୍ତି। ୩ରୁ ୪ଟି ପ୍ରକଳ୍ପ ମଧ୍ୟ ଭାଙ୍ଗିଯାଇଛି ଓ ସେସବୁର ମରାମତି କରାଯାଉଛି। ଫାଇନାନ୍ସ ବିଡ୍ ଡକାଯିବା ପରେ ଟେକ୍ନିକାଲ ବିଡ୍ କରାଯାଉଛି। ଅଗ୍ରୀମ ଆକାରରେ ଇଡ୍‌କୋକୁ ୪୦ ଲକ୍ଷ ଟଙ୍କା ଦିଆଯାଇଛି। ୩ରୁ ୪ମାସ ମଧ୍ୟରେ ମରାମତି ସରିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହା ପରେ ଦର୍ଶକଙ୍କ ଲାଗି ଏହି ପାର୍କ ପୁଣିଥରେ ଖୋଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe