ଭୁବନେଶ୍ୱର : କିସ୍ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ବିଜୁ ଗବେଷଣା ଚେୟାର। ମଙ୍ଗଳବାର କିସ୍ ପରିସରରେ ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧ ଦିବସ ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେଇ କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଏହା ଘୋଷଣା କରିଛନ୍ତି। ପ୍ରଫେସର ଶତପଥୀ କହିଲେ, ଖୁବ୍ ଶୀଘ୍ର କିସ୍ରେ ବିଜୁ ଗବେଷଣା ଚେୟରା ପ୍ରତିଷ୍ଠା କରାଯାଇ ଏହା ଜରିଆରେ ବିଜୁବାବୁଙ୍କ ଉପରେ ଅଧିକତମ ଗବେଷଣା କରାଯିବ। ବିଜୁ ଗବେଷଣା ଚେୟାର ପ୍ରତିଷ୍ଠା ହେବାରେ କିସ୍ ହେଉଛି ସମଗ୍ର ଦେଶରେ ପ୍ରଥମ ବିଶ୍ୱବିଦ୍ୟାଳୟ। ଏହା ଛଡ଼ା କିସ୍ ପରିସରରେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଜୁ ବାବୁଙ୍କ ଆଦର୍ଶ, ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା ସଂପର୍କରେ କିସ୍ର ୨୭ହଜାର ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, କିସ୍ ପରିସରରେ ପୂର୍ବରୁ ଜାତିର ଜନକ ମହାତ୍ମା ଗାନ୍ଧୀ, ବାବାସାହେବ ଆମ୍ବେଦକର, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ଗୋପବନ୍ଧୁ, ଉତ୍କଳ ଗୌରବ ମଧୁସୂଦନ, ବୁଦ୍ଧଦେବ ଓ ସ୍ୱାମୀ ବିବେକାନନ୍ଦଙ୍କ ମୂର୍ତି ପ୍ରତିଷ୍ଠା ହୋଇଛି। ଅନ୍ୟମାନଙ୍କ ମଧ୍ୟରେ କିସ୍ର ସଂପାଦକ ଆର ଏନ୍ ଦାଶ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ, ସିଓଓ ସୂର୍ଯ୍ୟକାନ୍ତ ମହାନ୍ତି, ନିର୍ଦ୍ଦେଶକ ଡା. ପି. କେ. ଦାସ ଓ ରବି ବେହେରା, ଚିନ୍ତା ଓ ଚେତନାର ମହାସଚିବ ସୁରେନ୍ଦ୍ର ଦାସ ଓ ଭାଷ୍ୟକାର ଅଶୋକ ପାଣ୍ଡେ ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
କିଟ୍ ଓ କିସ୍ରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ : କିସ୍ରେ ପ୍ରତିଷ୍ଠା ହେବ ବିଜୁ ଗବେଷଣା ଚେୟାର
Advertisment
Follow Us