ଜବରଦଖଲମୁକ୍ତ ହେଲା ରାଜମହଲ-ଏଜି ରାସ୍ତା, ପୁଣି ଜବରଦଖଲ କଲେ ୧୦ହଜାର ଜରିମାନା

Advertisment

ଗଣେଶ ମନ୍ଦିର ପାଖରେ ବାଇକ୍ ପାର୍କିଂ, ରାସ୍ତାରେ କାର୍‌ ପାର୍କିଂ

ଗଣେଶ ମନ୍ଦିର ପାଖରେ ବାଇକ୍ ପାର୍କିଂ, ରାସ୍ତାରେ କାର୍‌ ପାର୍କିଂ

ଜବରଦଖଲମୁକ୍ତ ହେଲା ରାଜମହଲ-ଏଜି ରାସ୍ତା, ପୁଣି ଜବରଦଖଲ କଲେ ୧୦ହଜାର ଜରିମାନା

New Indian Express

ଭୁବନେଶ୍ବର: ୟୁନିଟ-୧ ହାଟ ଏବଂ ୟୁନିଟ-୨ ମାର୍କେଟ୍‌ ବିଲଡିଂରେ ଦେଖା ଦେଉଥିବା ଭିଡ଼, ପାର୍କିଂ ସମସ୍ୟା ଦୂର କରିବା ଏବଂ ରାଜମହଲ ଛକରୁ ଏଜି ଏବଂ ଏଜି ଛକରୁ ରାଜମହଲ ମଧ୍ୟରେ ଯେମିତି ଗାଡ଼ି ଚଳାଚଳ ସ୍ବାଭାବିକ ହେବ ସେଥିପାଇଁ ଏହି ଦୁଇ ରାସ୍ତାରୁ ଆଜି ଜବରଦଖଲ ଉଚ୍ଛେଦ ହୋଇଛି। ରାଜମହଲରୁ ଏଜି ଏବଂ ଏଜିରୁ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତାରେ ଫୁଟପାଥ୍‌କୁ ଜବରଦଖଲମୁକ୍ତ କରିବା ସହ ବ୍ୟବସ୍ଥିତ ପାର୍କିଂ କରିବା, ‌ଶୌଚାଳୟଗୁଡ଼ିକର ପୁନରୁଦ୍ଧାର କରିବା ପାଇଁ କାମ ଆରମ୍ଭ ହୋଇଛି। ବିଏମ୍‌ସି ଓ କମିସନରେଟ୍ ପୁଲିସ ସହାୟତାରେ ଆଜି ଜବରଦଖଲ ଉଚ୍ଛେଦ ହୋଇଥିବାବେଳେ ଏଥିରେ ୨୬ଟି ଫଳ ଦୋକାନ, ୩ଟି ଟ୍ରଲି ଦୋକାନ, ଗୋଟିଏ ଫୁଲ ଦୋକାନ ଏବଂ ୪ଟି ଫାଷ୍ଟଫୁଡ୍‌ ଦୋକାନକୁ ଉଠାଯାଇଛି। ଏହାସହ ଏହି ରାସ୍ତାରେ ଉଠା ଦୋକାନ ପକାଇଲେ କିମ୍ବା କୌଣସି ପ୍ରକାରର ଜବରଦଖଲ କଲେ ୧୦ହଜାର ଟଙ୍କା ଜରିମାନା କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ବିଏମ୍‌ସିର ନିଷ୍ପତ୍ତି ଅନୁଯାୟୀ, ଏଣିକି ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତାରେ ୟୁନିଟ-୧ ହାଟ ସମ୍ମୁଖରେ ଆଉ ବାଇକ୍ ପାର୍କିଂ ହେବନି। ଏଠାରେ ଗୋଟିଏ ଲେନ୍‌ରେ କେବଳ ଚାରିଚକିଆ ଯାନ ପାର୍କିଂ ହେବ। ସେହିପରି ହାଟ ଭିତରେ ଗଣେଶ ମନ୍ଦିର ନିକଟରେ ଯେଉଁଠି ବାଇକ୍ ପାର୍କିଂ ହେଉଛି ସେହିଠାରେ ହିଁ ସମସ୍ତ ବାଇକ୍ ପାର୍କିଂ ହେବ। ଏଠାରେ ପ୍ରାୟ ୨୫୦ ବାଇକ୍ ପାର୍କିଂ ବ୍ୟବସ୍ଥା ହୋଇଛି। ସେହିପରି ହାଟ ସମ୍ମୁଖ ରାସ୍ତାକୁ ବ୍ୟାରିକେଡ୍‌ କରି ଏଠାରେ ପ୍ରାୟ ୫୦ଟି କାର୍‌ ପାର୍କିଂ ବ୍ୟବସ୍ଥା କରାଯିବ। ଗୋଟିଏ ଲେନ୍ ଭିତରେ ସବୁ କାର୍ ପାର୍କିଂ ହେବ। ଲେନ୍ ବାହାରେ ଯଦି କେହି ପାର୍କିଂ କରିବେ ତେବେ ପୁଲିସ ସେମାନଙ୍କଠାରୁ ଜରିମାନା ଆଦାୟ କରିବ। ବର୍ତ୍ତମାନ ହାଟ ସମ୍ମୁଖ ରାସ୍ତାରେ ଦୁଇ ଲେନ୍‌ରେ ବାଇକ୍ ଓ କାର୍ ପାର୍କିଂ ହେଉଥିବାବେଳେ ଏହାକୁ ହଟାଯିବ।

କେବଳ ଏତିକି ନୁହେଁ ୟୁନିଟ-୧ ଏବଂ ୟୁନିଟ-୨ ହାଟ ପାର୍ଶ୍ବରେ ଥିବା ଫୁଟପାଥ୍‌କୁ ସଂପୂର୍ଣ୍ଣ ଜବରଦଖଲ ମୁକ୍ତ କରାଯାଇଛି। ଏଥିପାଇଁ ସମସ୍ତ ଫଳ ବ୍ୟବସାୟୀଙ୍କୁ ଉଠାଯାଇଛି। ସେମାନଙ୍କୁ ବିଏମ୍‌ସିର ଫଳ ମାର୍କେଟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବଳି ପଡ଼ିଥିବା କିଛି ବ୍ୟବସାୟୀଙ୍କୁ ଖୁବ୍‌ ଶୀଘ୍ର ଭେଣ୍ଡିଂ ଜୋନ୍ କିମ୍ବା ହାଟ ଭିତରେ ବସାଯିବ। କିନ୍ତୁ କେହି ଫୁଟପାଥ୍ ଜବରଦଖଲ କରିବେନି। ସମସ୍ତ ସରକାରୀ କ୍ବା‌ର୍ଟର୍ସ ସମ୍ମୁଖ, ରାସ୍ତା ଓ ଫୁଟପାଥ୍‌ ଜବରଦଖଲମୁକ୍ତ ରହିବ।

ବାଧକ ସାଜିଛି ପରିବା ଗୋଦାମ
ହାଟକୁ ଅଧିକ ସଙ୍କୁଚିତ ଏବଂ ହାଟ ଭିତରେ ଅଯଥା ଭିଡ଼ ସୃଷ୍ଟି କରୁଛି ପରିବା ଗୋଦାମ। ତେଣୁ ପରିବା ଗୋଦାମକୁ ଭଗବାନପୁରକୁ ସ୍ଥାନାନ୍ତର କରିବାକୁ ବିଏମ୍‌ସି ଯୋଜନା କରିଛି। ହେଲେ ଏହି ଯୋଜନା ୬ ମାସ ତଳୁ ଚୂଡ଼ାନ୍ତ ରୂପ ନେଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଏନେଇ କିଛି ପଦକ୍ଷେପ ନିଆଯାଇପାରୁନି। ସାଧାରଣ ପ୍ରଶାସନ ବିଭାଗ ବିଏମ୍‌ସିକୁ ପରିବା ଗୋଦାମ ସ୍ଥାନାନ୍ତର ପାଇଁ ୫ଏକର ଜମି ଯୋଗାଇ ଦେଇଥିଲେ ହେଁ ଏଠାରେ ଥିବା ବହୁ ୟୁକାଲିପଟାସ୍ ଗଛକୁ ଓଡ଼ିଶା ବନ ଉନ୍ନୟନ ନିଗମ କାଟୁନି। ତେଣୁ ବିଏମ୍‌ସି ତା’ର ଯୋଜନାକୁ ଏଠାରେ କାର୍ଯ୍ୟକାରୀ କରିପାରୁନି। ପରିବା ଗୋଦାମ ହଟିଲେ ଏଠାରୁ ହାଟ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ହାଟ ପୁନରୁଦ୍ଧାର କେବେ?
ୟୁନିଟ-୧ ହାଟର ପୁନରୁଦ୍ଧାର କରିବା ପାଇଁ ବିଏମ୍‌ସି ଦୀର୍ଘ ବର୍ଷ ତଳୁ ଯୋଜନା କଲାଣି। ହେଲେ ଆଜି ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିପାରୁନି। କିଛି ବର୍ଷ ତଳେ ହାଟ ନିକଟରେ ଥିବା କେତେକ ସରକାରୀ କ୍ବାର୍ଟର୍ସ ଉଚ୍ଛେଦ ହୋଇଥିବାବେଳେ କେତେକ ବ୍ୟବସାୟୀଙ୍କୁ ଉଚ୍ଛେଦ କରି କାମ ଆରମ୍ଭ କରିବାକୁ ଯୋଜନା ହୋଇଥିଲା। ହେଲେ ତାହା ହୋଇପାରିଲାନି। ହାଟ ଭିତରେ ବାରମ୍ବାର ଅଗ୍ନିକାଣ୍ଡ ଘଟିବା, ଅପରିଷ୍କାର ପରିସ୍ଥିତି ସୃଷ୍ଟି ହେବା କାରଣରୁ ବିଏମ୍‌ସି ପ୍ରଥମେ ଯୋଜନା କରିଥିଲା ଯେ, ୟୁନିଟ-୧ ହାଟରେ ବହୁତଳ କୋଠା ନିର୍ମାଣ କରି ଏଠାରେ ବ୍ୟବସାୟୀମାନଙ୍କୁ ଥଇଥାନ କରିବ। କିନ୍ତୁ ଆଜି ଯାଏଁ ଏନେଇ କିଛି ନି‌ଷ୍ପତ୍ତି ହୋଇପାରିଲାନି। ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତିି ଯେ, ୟୁନିଟ-୧ ହାଟର ପୁନରୁଦ୍ଧାର ପାଇଁ କ୍ରିଏଟିଭ୍ କନସଲଟାଣ୍ଟ ନାମକ ସଂସ୍ଥାକୁ ନିୟୋଜିତ କରାଯାଇଛି। ଏହି ସଂସ୍ଥା ଡିପିଆର୍ ଦେବା ପରେ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯିବ। ଏବେ ହାଟର ପୁନରୁଦ୍ଧାରରେ କୋର୍ଟରେ ଚାଲିଥିବା ମାମଲା ପ୍ରତିବନ୍ଧକ ସାଜିଛି। କିଛି ବ୍ୟବସାୟୀ ହାଇକୋର୍ଟରେ ମାମଲା ଦାୟର କରିଥିବାରୁ ହାଟ ପୁନରୁଦ୍ଧାର କାମ ଆରମ୍ଭ ହୋଇପାରୁନି। ତେଣୁ ‌ଏହି ମାମଲାଗୁଡ଼ିକୁ ଯଥାସମ୍ଭବ ଶୀଘ୍ର ଉଠାଇବାକୁ ବିଏମ୍‌ସି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe