the Indian express
ଭୁବନେଶ୍ବର: ଏକ ବାଇକ୍ ଚୋରି ମାମଲାର ତଦନ୍ତ କରୁକରୁ ଚନ୍ଦକା ଥାନା ପୁଲିସ ଏକ ବଡ଼ ବାଇକ୍ ଚୋରି ଗ୍ୟାଙ୍ଗ୍ର ୩ ସଦସ୍ୟଙ୍କୁ ଧରିଛି। ଅଭିଯୁକ୍ତମାନେ ହେଉଛନ୍ତି, ନୟାଗଡ଼ ବାହାଡ଼ଝୋଳାର ମାଧବ ରାଉତ, ଆମ୍ବପଡ଼ାର କୃଷ୍ଣଦତ୍ତ ସାମନ୍ତରାୟ ଓ ଖଣ୍ଡପଡ଼ା ବଳଭଦ୍ର ପ୍ରସାଦର ସୋମନାଥ ଜେନା। ସେମାନଙ୍କଠାରୁ ୬ ବାଇକ୍ ଜବତ କରାଯାଇଛି। ସେମାନଙ୍କୁ ପଚରାଉଚରା କରିବା ବେଳେ ଏହି ଗ୍ୟାଙ୍ଗ୍ରେ ଆଉ କେତେକ ସଦସ୍ୟ ରହିଥିବା ପୁଲିସ୍ ଜାଣିବାକୁ ପାଇଛି। ଅଭିଯୁକ୍ତଙ୍କ ସୂଚନା ଆଧାରରେ ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ପୁରୀ, ଭୁବନେଶ୍ବର, ଖୋର୍ଦ୍ଧା ଓ ନୟାଗଡ଼ ଅଞ୍ଚଳରୁ ଏମାନେ ବାଇକ୍ ଚୋରି କରନ୍ତି। ଏହା ପରେ ବାଇକ୍ର ରଙ୍ଗ ବଦଳାଇ ନକଲି ନମ୍ବର ଲଗାଇ ବିକ୍ରି କରିଥାନ୍ତି। ବିଶେଷକରି ପାର୍କିଂସ୍ଥଳକୁ ଏମାନେ ଟାର୍ଗେଟ୍ କରିଥାନ୍ତି। ସୁରକ୍ଷା ଢିଲା ଥିଲେ ସେଠାରୁ ଚୋରି କରି ପଳାଇଥା’ନ୍ତି। ଫଳରେ ଅଧିକ ପରିଶ୍ରମ କରିବାକୁ ପଡ଼େ ନାହିଁ ଓ ଘଟଣାସ୍ଥଳରେ ଧରାପଡ଼ି ମାଡ଼ ଖାଇବା ଭୟ ମଧ୍ୟ ନଥାଏ।
ସୂଚନା ମୁତାବକ, ଚନ୍ଦକାର ମୃତ୍ୟୁଞ୍ଜୟ ପ୍ରଧାନ ସ୍ଥାନୀୟ ନିଟ୍ କଲେଜ୍କୁ ଯାଇଥିଲେ। କଲେଜ୍ ପାର୍କିଂରେ ନିଜ ଗ୍ଲାମର ମୋଟର ସାଇକେଲ୍(ଓଡି ୦୨ ଜେ ୬୫୩୭) ରଖି ଅଫିସ୍ ଭିତରକୁ ଯାଇଥିଲେ। ଫେରିବା ବେଳକୁ ବାଇକ୍ ନଥିବା ଦେଖିଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ଥାନାର ସ୍ପେସାଲ ସ୍କ୍ବାଡ୍ ତଦନ୍ତ କରୁଥିଲା। ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍ରୁ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିଲା।
Follow Us