ଧଉଳି: ଶାନ୍ତିସ୍ତୂପ ଧଉଳିରେ ନୂତନ ଭାବେ ଖୋଲା ଯାଇଥିବା ବାଇକ୍ ଷ୍ଟାଣ୍ଡକୁ ଧବଳେଶ୍ବର ବ୍ୟବସାୟୀ ସଂଘ ବିରୋଧ କରିଛି। ଆଜି ସକାେଳ ଦାୟିତ୍ବରେ ଥିବା କର୍ମଚାରୀ ପହଞ୍ଚି ଷ୍ଟାଣ୍ଡରେ ବାଇକ୍ ରଖିବା ଆରମ୍ଭ କରିବା କ୍ଷଣି ସଂଘର ଶତାଧିକ କର୍ମକର୍ତା ଏହାର ଦୃଢ଼ ବିରୋଧ କରିଥିଲେ। କୌଣସି ପରିସ୍ଥିତିରେ ସେମାନେ ଏଠାରେ ବାଇକ୍ ଷ୍ଟାଣ୍ଡ ଚଲାଇ ଦେବେ ନାହିଁ ବୋଲି କହି ହୋ ହଲ୍ଲା କରିଥିଲେ। ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଧଉଳି ଥାନା ଅଧିକାରୀ ଜୟଦେବ ବିଶ୍ବଜିତ ପହଞ୍ଚି ବ୍ୟବସାୟୀମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବ୍ୟବସାୟୀ ସଂଘକୁ ବାଇକ୍ ଷ୍ଟାଣ୍ଡ ପରିଚାଳନା ଦାୟିତ୍ବ ଦେବା ପାଇଁ ସେମାନେ ଦାବି କରିଥିଲେ। ଯଦି ଏ ଦିଗରେ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକରେ ତା’ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂଘ ଶାନ୍ତିସ୍ତୂପ ସମ୍ମୁଖରେ ଧାରଣାରେ ବସି ରହିବ ବୋଲି ଚେତାବନୀ ଦେଇଥିଲେ। ସୂଚନାଯୋଗ୍ୟ ପୂର୍ବରୁ ଦୀର୍ଘବର୍ଷ ଧରି ବ୍ୟବସାୟୀ ସଂଘ ମନମୁଖି ଭାବେ ବାଇକ୍ ଷ୍ଟାଣ୍ଡ ଚଲାଇଥିଲା। ମାତ୍ର ଷ୍ଟାଣ୍ଡରୁ ଆଦାୟ ହେଉଥିବା ଅର୍ଥରେ ଶାନ୍ତିସ୍ତୂପରେ ସଫେଇ, ପାନୀୟଜଳ ଓ ମେଳା ମହୋତ୍ସବ ପାଇଁ ଖର୍ଚ୍ଚ ହେଉଥିବା ସଂଘର ସଂପାଦକ ସୁମନ୍ତ ସୁବୁଦ୍ଧି ସଫେଇ ଦେଇଛନ୍ତି।
ଅନ୍ୟପକ୍ଷରେ ସଂପୂର୍ଣ୍ଣ ବେଆଇନ ଭାବେ ଚାଲିଥିବା ବାଇକ୍ ଷ୍ଟାଣ୍ଡକୁ ଗତ ଜୁଲାଇ ମାସରେ ପ୍ରଶାସନ ଅତର୍କିତ ଭାବେ ଚଢ଼ଉ କରି ବନ୍ଦ କରି ଦେଇଥିବା ପଞ୍ଚାୟତ ପ୍ରତିନିଧି କହିଛନ୍ତି। ଅଗଷ୍ଟ ୨୮ ତାରିଖ ଅପରାହ୍ଣରେ ଭୁବନେଶ୍ବର ସର୍କିଟ ହାଉସରେ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମ ପଞ୍ଚାୟତ ବାଇକ୍ ଷ୍ଟାଣ୍ଡ ପରିଚାଳନା କରିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା। ଷ୍ଟାଣ୍ଡର ଭିତ୍ତିଭୂମି ନିର୍ମାଣ ପାଇଁ ଭୁବନେଶ୍ବର ପଞ୍ଚାୟତ ସମିତି ପକ୍ଷରୁ ୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ତଦନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତିସ୍ତୂପ ପରିସରରେ ଗତକାଲି ନୂତନ ବାଇକ୍ ଷ୍ଟାଣ୍ଡର ଶୁଭାରମ୍ଭ ହୋଇଥିଲା। ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣିମା ସାହୁ ଏହାକୁ ଉଦ୍ଘାଟନ କରିଥିଲେ।
Follow Us