ମୁକ୍ତାକାଶ ବ୍ୟାୟାମଶାଳାରେ କୋଟି କୋଟି ବରବାଦ

Advertisment
ମୁକ୍ତାକାଶ ବ୍ୟାୟାମଶାଳାରେ କୋଟି କୋଟି ବରବାଦ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା)ରେ ଏବେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସଶକ୍ତ କରାଯାଉଛି। ଏହି ମହିଳାମାନଙ୍କ ଜରିଆରେ ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ ପ୍ରତିଷ୍ଠା କରାଯାଉଛି। ହେଲେ ଏହାକୁ ସଫଳ କରିବାକୁ ବିଏମ୍‌ସି ଚାହୁନାହିଁ। ଅପରାଗ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ କୋଟି କୋଟି ଟଙ୍କା ପାଣିରେ ପଡ଼ୁଛି। ହେଲେ ଲୋକଙ୍କ କାମରେ ଆସୁନାହିଁ। ପୋଖରୀପୁଟ ଅଞ୍ଚଳ ମୁକ୍ତା ଯୋଜନାରେ ଏଭଳି ଅର୍ଥଶ୍ରାଦ୍ଧର ଏକ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଥମେ ବିଏମ୍‌ସି ରାସ୍ତାରେ ପେଭର ବ୍ଲକ ପକାଇଛି। ଏହା ପରେ ଏହାକୁ ଖୋଳି ସେଠାରେ ମୁକ୍ତାକାଶ ବ୍ୟାୟମଶାଳା ସରଞ୍ଜାମ ପ୍ରତିଷ୍ଠା କରିଛି। ଏହା ବ୍ୟବହାର ହେବା ପୂର୍ବରୁ ତାକୁ ଉପାଡ଼ି ନେଇଛି। ଏହି ଖୋଳାପୋତାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ରାସ୍ତା ଉପରେ ହୋଇଥିବା ଯୋଗୁ ସାଧାରଣ ଲୋକଙ୍କ ଚଳପ୍ରଚଳରେ ସମସ୍ୟା ହେବାରୁ ଏହାକୁ ଉଠାଇ ନିଆଯାଇଥିବା ବିଏମ୍‌ସି କହିଛି। ହେଲେ ଏହାକୁ ପ୍ରତିଷ୍ଠା କରିବା ବେ‌ଳେ ଅଧିକାରୀଙ୍କୁ କିଭଳି ଦେଖାଗଲା ନାହିଁ ସେ ନେଇ ପ୍ରଶ୍ନ ଉଠିଛି।

ମୁକ୍ତା ଯୋଜନାରେ ବିଭିନ୍ନ ପ୍ରକଳ୍ପ କରିବାକୁ ସରକାର ଜୋର୍‌ ଦେଇଛନ୍ତି। ଏହାକୁ ପୌରସଂସ୍ଥା ଓ ମହାନଗର ନିଗମମାନେ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି। ଏହି କ୍ରମରେ ବିଏମ୍‌ସି ବିଭିନ୍ନ ପ୍ରକଳ୍ପ କରୁଛି। ସେଥିରୁ ଏହି ମୁକ୍ତାକାଶ ବ୍ୟାୟାମଶାଳା ପ୍ରମୁଖ। ଭୁବନେଶ୍ବରରେ ଏଭଳି ୩୭ଟି ହେବାକୁ ଯୋଜନା ହେଉଛି। ପୋଖରୀପୁଟ ଛକ ଫୁଟ୍‌ପାଥ୍‌ରେ ଏଭଳି ଏକ ବ୍ୟାୟାମଶାଳା ନିର୍ମାଣ ହୋଇଥିଲା। ଏଥିରେ ପାଖାପାଖି ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଏହା ରାସ୍ତା ଉପରେ ହୋଇଥିବାରୁ ହଟାଇବା ପାଇଁ ଦାବି ହୋଇଥିଲା। ଏଣୁ ବିଏମ୍‌ସି ଏହାକୁ ହଟାଇ ଦେଇଥିଲା। ଅର୍ଥାତ୍‌ ଏହାକୁ ସ୍ଥାପନ କରିବା ପାଇଁ ଖର୍ଚ୍ଚ ହୋଇଥିବା ୫୦ ହଜାର ଟଙ୍କା ବରବାଦ ହେଲା।
ଏହି ଜାଗା ଚିହ୍ନଟ କରିବାକୁ ସମ୍ପୃକ୍ତ ଜୋନ୍‌ମାନଙ୍କୁ ଦାୟିତ୍ବ ଦିଆଯାଇଛି। ଖୋଲା ଜାଗା ଦେଖି ସେମାନେ ସୁପାରିସ କରିବେ। ପୋଖାରୀପୁଟର ଏହି ଅଞ୍ଚଳ ଦକ୍ଷିଣ ପଶ୍ଚିମ ଜୋନ୍‌ ଅଧୀନରେ ରହିଛି। ଏହି ଜୋନ୍‌ର ଦାୟିତ୍ବରେ ଅଛନ୍ତି ଡେପୁଟି କମିସନର ରବିନାରାୟଣ ଜେଠୀ। ସେ ସମ୍ପୃକ୍ତ ଜୋନ୍‌ର ଇଞ୍ଜିନିୟରଙ୍କ ଜରିଆରେ ଏହି ଜାଗା ଚିହ୍ନଟ କରିଥିଲେ। ଏବେ କାହା ଉପରେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନା ଜନସାଧାରଣଙ୍କ ଅର୍ଥ ଅଧିକାରୀଙ୍କ ଅପାରଗତା ଯୋଗୁ ବରବାଦ ହେଇଯିବ ସେନେଇ ପ୍ରଶ୍ନ ଉଠିଛି।

ତେବେ ଏହି ଗୋଟିଏ ଘଟଣା ନୁହେଁ, ବରଂ ଏହି ଅଭିଯାନ ଅଧୀନରେ ତିଆରି ହୋଇଥିବା କେତେକ ବର୍ଷାଜଳ ଅମଳ ପ୍ରକଳ୍ପ ମଧ୍ୟ କାମରେ ଲାଗୁନାହିଁ। ଅନେକ ପ୍ରକଳ୍ପ ଢିପ ଜାଗାରେ ହୋଇଥିବାରୁ ଏହା କୌଣସି କାମରେ ଲାଗିବ ନାହିଁ ବୋଲି ଅଭିଯୋଗ ହୋଇଛି। ଏହି ଅଭିଯାନ ଅଧୀନରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଅଧିକରୁ ଅଧିକ କାମ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିବାରୁ ବିଏମ୍‌ସି ‌ଯେଉଁଠି ପାରୁଛି ସେଠି ଏଭଳି ପ୍ରକଳ୍ପ ପ୍ରତିଷ୍ଠା କରିଦେଉଛି। ଉପଯୋଗିତାକୁ ପ୍ରାଧାନ୍ୟ ଦେଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe