ଗାଦିଛାଡ଼ିଲେ ବିନୟ, ଅନ୍ୟ ଅଧିକାରୀ କେବେ ଯିବେ?

ଗାଦିଛାଡ଼ିଲେ ବିନୟ, ଅନ୍ୟ ଅଧିକାରୀ କେବେ ଯିବେ?

ଭୁବନେଶ୍ବର: ଶେଷରେ ଗାଦି ଛାଡ଼ିଛନ୍ତି ବିଏମ୍‌ସି ଅତିରିକ୍ତ କମିସନର ବିନୟ କୁମାର ଦାସ। ଗତ ଜାନୁଆରି ମାସରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତାଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ଭାବରେ ବଦଳି ଆଦେଶ ଜାରି କରିଥିଲା। କିନ୍ତୁ ସେ ଯାଇ ନଥିଲେ। ବଦଳି ଆଦେଶର ଦୀର୍ଘ ଦୁଇ ମାସ ରହିବା ପରେ ଆଜି ତାଙ୍କୁ ବିଏମ୍‌ସି ରିଲିଭ୍‌ କରିଛି। ଆଜି ବିଏମ୍‌ସି କାର୍ଯ୍ୟାଳୟରେ ଏକ ବିଦାୟକାଳୀନ ସଭାରେ ମେୟର ସୁ‌ଲୋଚନା ଦାସଙ୍କ ସମେତ ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ବରି‌ଷ୍ଠ ଅଧିକାରୀଙ୍କ ସମେତ କର୍ମଚାରୀମାନେ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ତାଙ୍କ ସ୍ଥାନରେ ପଦୋନ୍ନତି ପାଇଥିବା ବିଏମ୍‌ସିର ଡେପୁଟି କମିସନର ଥିବା ଶୁଭେନ୍ଦୁ କୁମାର ସାହୁ ଅତିରିକ୍ତ କମିସନର ଭାବରେ ଦାୟିତ୍ବ ତୁଲାଇବାକୁ ଆଦେଶ ହୋଇଛି।
ତେବେ କେବଳ ବିନୟ ଦାସ ନୁହନ୍ତି, ବିଏମ୍‌ସି ଡେପୁଟି କମିସନର୍‌ ଗାୟତ୍ରୀ ସାମନ୍ତରାୟଙ୍କ ମଧ୍ୟ ବଦଳି ହୋଇଛି।

ଦୁଇ ଦୁଇ ଥର ତାଙ୍କର ବଦଳି ହୋଇଥିଲେ ମଧ୍ୟ ସେ ଗାଦି ଛାଡ଼ୁ ନାହାନ୍ତି। କୌତୂହଳପ୍ରଦ ହେଉଛି ସେ ବିନୟ ଦାସଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏଷ୍ଟାବ୍ଲିସମେଣ୍ଟ ଅଫିସର ଭାବରେ ବିନୟ ଦାସଙ୍କର ବଦଳି ଫାଇଲ୍‌ ସେ ହିଁ ପ୍ରସ୍ତୁତ କରି କମିସନରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ତାଙ୍କ ବଦଳି ଫାଇଲ୍‌ ମଧ୍ୟ ସେ ହିଁ ପ୍ରସ୍ତୁତ କରିବେ। କିନ୍ତୁ ସେ ପ୍ରସ୍ତୁତ କରୁନାହାନ୍ତି କିମ୍ବା କମିସନର ତାଙ୍କୁ ଆଦେଶ ଦେଉନାହାନ୍ତି। ଦୁଇ ବର୍ଷ ତଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତାଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟାଙ୍କ ଓଏସ୍‌ଡି ଭାବରେ ବଦଳି କରିଥିଲା।

କିନ୍ତୁ ତାଙ୍କ ଜାଗାରେ ଯୋଗ ଦେବା ପାଇଁ କୌଣସି ଅଧିକାରୀଙ୍କୁ ଆଦେଶ ଦେଇନଥିଲା। ଅର୍ଥାତ୍‌, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଜାଣି ଜାଣି ଏହି ଗଳାବାଟ ରଖିଥିଲା। ଯାହାର ଫାଇଦା ନେଇ ଅଫିସର ନ ଥିବା ଦର୍ଶାଇ ତାଙ୍କୁ ବିଏମ୍‌ସି ଛାଡ଼ି ନଥିଲା। ଠିକ୍‌ ସେହିଭଳି ସହକାରୀ କମିସନର ପଲ୍ଲବୀ ବେହେରାଙ୍କ କଟକ ମହାନଗର ନିଗମକୁ ବଦଳି ହୋଇଛି। କିନ୍ତୁ ତାଙ୍କ ଜାଗାରେ ମଧ୍ୟ ରିଲିଭର୍‌ ନାହାନ୍ତି ବା ତାଙ୍କ ବଦଳରେ କୌଣସି ଅଫିସରଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଏଣୁ ସେ ମଧ୍ୟ ଏହାର ଫାଇଦା ନେଇ ସରକାରୀ ଆଦେଶକୁ ଫୁ’ କରି ଦେଇଛନ୍ତି। ବର୍ଷବର୍ଷ ଧରି ଅଧିକାରୀମାନେ ଗୋଟିଏ ଜାଗା‌ରେ ରହିଥିବାରୁ ବିଏମ୍‌ସିରେ ଅନିୟମିତତା ବଢ଼ିଥିବା ସଚେତନ ନାଗରିକମାନେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe