ବିନ୍ଦୁସାଗରକୁ ଦୟାରୁ ଉଜାଣି ସୁଅ: ବଦଳିଯିବ ପାଣିର ଚେହେରା, ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନକୁ ଅପେକ୍ଷା

ବିନ୍ଦୁସାଗରକୁ ଦୟାରୁ ଉଜାଣି ସୁଅ: ବଦଳିଯିବ ପାଣିର ଚେହେରା, ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନକୁ ଅପେକ୍ଷା

ପୁରୁଣା ଭୁବନେଶ୍ବର: ଦୟାନଦୀରୁ ବିନ୍ଦୁସାଗରକୁ ବହିବ ଉଜାଣି ସୁଅ। ଦୟା ନଦୀରୁ ଏଠାକୁ ପାଇପ୍‌ରେ ଆସିବ ପାଣି। ଏହି କୃତ୍ରିମ ତଥା ଉଜାଣି ସୁଅ ଦ୍ବାରା ଦୈନିକ ୨୦ ଲକ୍ଷ ଲିଟର ପାଣି ଆସି ବିନ୍ଦୁସାଗରରେ ପଡ଼ିବ। ସେହିଭଳି ପୁଷ୍କରିଣୀର ନିସ୍କାସନ ପଥ ଦେଇ ପାଣି ବାହାରିଯିବ। ଫଳରେ ବିନ୍ଦୁସାଗର ଜଳ ଏଣିକି ସବୁ ସମୟରେ ପ୍ରବାହମାନ ଅବସ୍ଥାରେ ରହିବ। ପୂର୍ବରୁ ବର୍ଷର ଅଧିକାଂଶ ସମୟ ଏହି ପୁଷ୍କରିଣୀ ଜଳ ସ୍ଥିର ହୋଇ ରହୁଥିବାରୁ ଅସ୍ବଚ୍ଛ ହୋଇପଡ଼ୁଥିଲା ଓ ପାଣିରେ ପ୍ରବଳ ମାତ୍ରାରେ ଜଳଜ ଗୁଳ୍ମଲତା, ଶିଉଳି ଓ ଦଳ ସୃଷ୍ଟି ହେଉଥିଲା। ତେଣୁ ଏଣିକି ଦୟାନଦୀର ଜଳ ଏହି ପୁଷ୍କରିଣୀରେ କୃତ୍ରିମ ସ୍ରୋତ ସୃଷ୍ଟି କରି ଏହି ସମସ୍ୟା ଦୂର କରିବ। ଏଥିପାଇଁ ସବୁ ପ୍ରସ୍ତୁତି ସରିଛି ଓ ପରୀକ୍ଷଣ ମଧ୍ୟ ସଫଳତାର ସହ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ଥିବାରୁ ଅପେକ୍ଷା କରାଯାଇଛି।

ସୂଚନାନୁସାରେ ୨୦୧୯ ମସିହାରେ ପର୍ଯ୍ୟଟନ ବିଭାଗ ଏହି ପ୍ରକଳ୍ପ ପାଇଁ କାମ ଆରମ୍ଭ କରିଥିଲା। ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉଦ୍ୟମରେ ଏହି ପ୍ରକଳ୍ପକୁ ଅନୁ‌ମୋଦନ କରାଯାଇଥିଲା। ଏଥିପାଇଁ ପ୍ରାୟ ୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଯୋଜନାନୁସାରେ ଦୟା ନଦୀରେ ଏକ ପମ୍ପ ହାଉସ୍ ନିର୍ମାଣ କରାଯାଇଛି। ସେଠାରୁ ପାଇପ୍‌ ଯୋଗେ ପାଣି ଆସି ସାମନ୍ତରାପୁରସ୍ଥିତ ୱାଟ୍‌କୋ କାର୍ଯ୍ୟାଳୟ ପରିସରରେ ଥିବା ବିଶୋଧନ କେନ୍ଦ୍ରରେ ସଂଚିତ ହେଉଛି। ପମ୍ପହାଉସ୍‌ରୁ ୱାଟ୍‌କୋ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୧୭୮୦ ମିଟର ପାଇପ୍‌ରେ ନଦୀ ଜଳ ଆସୁଛି। ସେହିଭଳି ସେଠାରୁ ୧୨ଇଞ୍ଚିଆ ପାଇପ୍‌ ଯୋଗେ ସାମନ୍ତରାପୁର, ଇଲେକ୍ଟ୍ରି ଅଫିସ୍‌, ନୂଆ ଲିଙ୍ଗରାଜ ମାର୍କେଟ ମଧ୍ୟ ଦେଇ ତୀର୍ଥେଶ୍ବର ରାସ୍ତାରେ ବିନ୍ଦୁସାଗର ଚାରିପଟକୁ ପାଇପ୍‌ ସଂଯୋଗ କରାଯାଇଛି। ବିନ୍ଦୁସାଗର ଚାରିପଟେ ୮ଇଞ୍ଚିଆ ପାଇପ୍‌ ବିଚ୍ଛାଯାଇଛି। ପୋଖରୀ ଚାରିକଡ଼ରେ ୧୬ଟି ପଏଣ୍ଟ କରାଯାଇଛି ଯେଉଁଠି ଜଳ ପୋଖରୀ ଭିତରକୁ ପଡ଼ୁଛି। ସୂଚନାନୁସାରେ ବ୍ୟୟ ଅଟକଳ ୭ କୋଟିରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୮୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏନେଇ ୱାଟ୍‌କୋର ପ୍ରବନ୍ଧକ ଗୁରୁଚରଣ ଦାସ କୁହନ୍ତି ଯେ ଏବେ ଟ୍ରାଏଲ୍‌ ଚାଲିଛି। ପରୀକ୍ଷଣରେ କୌଣସି ବଡ଼ଧରଣର ତ୍ରୁଟି ପରିଲକ୍ଷିତ ହୋଇନାହିଁ। ତେଣୁ ପ୍ରକଳ୍ପ କାମ ସଫଳତାର ଶେଷ ହୋଇଛି ଓ ଉଦ୍‌ଘାଟନ ହେବା ପରେ ନିୟମିତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe